ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି। ମୋଦୀ ତାଙ୍କ ନିଜ ନିର୍ବାଚନମଣ୍ଡଳୀ ବାରଣାସୀରେ ୬୪ ହଜାର କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଭିତ୍ତିଭୂମି ମିସନ୍ର ଉଦ୍ଘାଟନ କରିଛନ୍ତି। ଏଥିସହ ମୋଦୀ ଆଜି ୫୨୦୦ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ମୋଦୀ କହିଛନ୍ତି, ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଭିତ୍ତିଭୂମି ମିସନ୍ ଭାରତର ସ୍ବାସ୍ଥ୍ୟ କ୍ଷେତ୍ରରେ ଆତ୍ମବିଶ୍ବାସ ଏବଂ ଆତ୍ମନିର୍ଭରତା ଭରିଦେବ। ଭାରତର ସ୍ବାସ୍ଥ୍ୟ ସୁବିଧା କ୍ଷେତ୍ରରେ ଏହା ଏକ ନୂଆ ଶକ୍ତି ଏବଂ ନୂ୍ଆ ବିକାଶ ଆଣିବ। ଭାରତରେ ଆମେ ବିଶ୍ବାସ କରୁ ଯେ, ସ୍ବାସ୍ଥ୍ୟ କ୍ଷେତ୍ରରେ ବିନିଯୋଗ ହେଉଛି ସବୁଠୁ ବଡ଼ ଏବଂ ସର୍ବୋତ୍କୃଷ୍ଟ ବିନିଯୋଗ।
ମୋଦୀ ଆଜି ସିଦ୍ଧାର୍ଥନଗର ଜିଲ୍ଲାରେ ୯ଟି ମେଡିକାଲ୍ କଲେଜ୍ର ଉଦ୍ଘାଟନ କରିଛନ୍ତି। ୯ କଲେଜର ଉଦ୍ଘାଟନ ସମୟରେ ମୋଦୀ ଉତ୍ତରପ୍ରଦେଶରେ ପୂର୍ବ ସରକାର ଉପରେ ବର୍ଷିଛନ୍ତି। ପୂର୍ବ ସରକାରକୁ ସମାଲୋଚନା କରି ମୋଦୀ କହିଛନ୍ତି, ସେମାନେ ପୂର୍ବାଞ୍ଚଳ ଚିତ୍ରକୁ ନଷ୍ଟ କରିଦେଇଛନ୍ତି। ପୂର୍ବାଞ୍ଚଳରେ ସ୍ବାସ୍ଥ୍ୟସେବା ଓ ସୁବିଧାର ବିକାଶ ଦିଗରେ ଧ୍ୟାନ ଦିଆଯାଇନି। ପୂର୍ବ ସରକାର କେବଳ ନିଜ ଲକର୍ ଭର୍ତ୍ତି କରିବାରେ ଲାଗି ପଡ଼ଥିଲେ। ସେମାନେ କେବଳ ନିଜ ପାଇଁ ରୋଜଗାର କରୁଥିଲେ। କିନ୍ତୁ ଗରିବଙ୍କ ଟଙ୍କାକୁ ସୁରକ୍ଷା ଦେବା ଆମର ଗୁରୁତ୍ବ ବୋଲି ମୋଦୀ କହିଛନ୍ତି। ପୂର୍ବାଞ୍ଚଳ ଆଗକୁ ଉତ୍ତର ଭାରତରେ ମେଡିକାଲ୍ର ପେଣ୍ଠସ୍ଥଳ ହେବ ବୋଲି ମୋଦୀ କହିଛନ୍ତି। ଏହାଦ୍ବାରା ରାଜ୍ୟବାସୀଙ୍କ ପାଇଁ ହସ୍ପିଟାଲ୍ରେ ୨୫୦୦ରୁ ଅଧିକ ନୂଆ ବେଡ୍ ଯୋଡ଼ାଯିବ ଏବଂ ଡାକ୍ତର, ନର୍ସ୍ମାନଙ୍କୁ ୫୦୦୦ ନିଯୁକ୍ତି ସୁଯୋଗ ମିଳିବ। ମୋଦୀ କହିଛନ୍ତି, ଆସନ୍ତା ୧୦-୧୨ ବର୍ଷ ମଧ୍ୟରେ ଭାରତ ଅନେକ ସଂଖ୍ୟାରେ ଡାକ୍ତରଙ୍କୁ ପାଇବ ଯେଉଁମାନଙ୍କ ସଂଖ୍ୟା ସ୍ବାଧୀନତାର ୭୦ ବର୍ଷ ମଧ୍ୟରେ ଗ୍ରାଜୁଏଟ୍ ହୋଇଥିବା ଡାକ୍ତରଙ୍କଠାରୁ ମଧ୍ୟ ଅଧିକ ରହିବ। କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଉପସ୍ଥିତ ଥିଲେ।
Follow Us