Image Courtesy of India Today
ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ମାମଲାରେ ‘ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍’ରେ ହାଜର ହେବା ସମୟରେ କୌଣସି ‘ଡ୍ରାମା’ (ଆବେଗ ଉଦ୍ରେକକାରୀ ପରିସ୍ଥିତି) ନ କରି ସତ୍ୟକୁ ପ୍ରତୀକ୍ଷା କରିଥିଲେ ବୋଲି ଆଜି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କୁ ସମାଲୋଚନା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।
ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’କୁ ଶାହ କହିଛନ୍ତି, ‘ଏସ୍ଆଇଟି’ରେ ହାଜର ହେବା ବେଳେ ମୋଦୀଜୀ କୌଣସି ଆବେଗ ଉଦ୍ରେକକାରୀ ପରିସ୍ଥିତି ସୃଷ୍ଟି କରି ନ ଥିଲେ। ଯଦି ‘ଏସ୍ଆଇଟି’ ମୁଖ୍ୟମନ୍ତ୍ରୀଙ୍କୁ ଜେରା କରିବାକୁ ଚାହିଁଲେ, ସେ ସହଯୋଗ କରିବାକୁ ସ୍ବତଃପ୍ରବୃତ୍ତ ପ୍ରସ୍ତୁତ ହୋଇଗଲେ। ପ୍ରତିବାଦ କ’ଣ ପାଇଁ?
ଗୃହମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ସମ୍ବିଧାନ ପ୍ରତି କିଭଳି ସମ୍ମାନ ପ୍ରଦର୍ଶନ କରାଯାଇ ପାରିବ, ତାହା ଦର୍ଶାଇ ମୋଦୀଜୀ ଦୃଷ୍ଟାନ୍ତ ରଖିଗଲେ। ତାଙ୍କୁ ଜେରା କରାଯିବା ବେଳେ କେହି ଧାରଣା ଦେଇ ନ ଥିଲେ କି, ତାଙ୍କ ପ୍ରତି ସମର୍ଥନ ଜଣାଇ କର୍ମୀମାନେ ଠିଆ ହୋଇ ନ ଥିଲେ। ଅଭିଯୋଗକାରୀମାନଙ୍କର ଯଦି ବିବେକ ଥାଆନ୍ତା, ସେମାନେ ତାଙ୍କୁ କ୍ଷମାଭିକ୍ଷା କରିଥାଆନ୍ତେ।
Image Courtesy of Deccan Heraldସୂଚନାଯୋଗ୍ୟ, ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆଉ ୬୩ଜଣଙ୍କୁ ତଦନ୍ତକାରୀ ଏଜେନ୍ସି ଦେଇଥିବା ‘କ୍ଲିନ୍ ଚିଟ୍’କୁ ସୁପ୍ରିମ୍ କୋର୍ଟ କାଏମ୍ ରଖିବା ପରେ ଗୃହମନ୍ତ୍ରୀ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ନ୍ୟାସ୍ନାଲ୍ ହେରାଲଡ୍ ସମ୍ବାଦପତ୍ର ମାମଲାରେ ରାହୁଲ୍ ଗାନ୍ଧୀଙ୍କୁ ଜେରା କରାଯିବା ସମୟରେ କଂଗ୍ରେସ ନେତା ଓ କର୍ମୀମାନେ ପ୍ରବର୍ତ୍ତନ ନିର୍ଦେଶାଳୟ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
Follow Us