ମୋଦୀଙ୍କ ସମାବେଶରେ ଭୁଶୁଡ଼ିଲା ଟେଣ୍ଟ:୯୦ରୁ ଊର୍ଦ୍ଧ୍ୱ ଆହତ, ୨ ଗୁରୁତର

Advertisment
ମୋଦୀଙ୍କ ସମାବେଶରେ ଭୁଶୁଡ଼ିଲା ଟେଣ୍ଟ:୯୦ରୁ ଊର୍ଦ୍ଧ୍ୱ ଆହତ, ୨ ଗୁରୁତର

କୋଲକାତା: ପଶ୍ଚିମବଙ୍ଗର ମେଦିନୀପୁର ଜିଲ୍ଲାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଜନ ସମାବେଶରେ ଟେଣ୍ଟ୍‌ ଭୁଶୁଡ଼ି ପଡ଼ିବା ଫଳରେ ୯୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ତେବେ ମଞ୍ଚାସୀନ ମୋଦୀ ଏବଂ ଅନ୍ୟ ବିଜେପି ନେତାମାନେ ସୁରକ୍ଷିତ ଅଛନ୍ତି। ସମସ୍ତ ଆହତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମେଦିନୀପୁର ମେଡିକାଲ୍‌ କଲେଜ୍‌ ଏବଂ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ଥିବା ଖବର ମିଳିଛି। ଆହତଙ୍କ ମଧ୍ୟରେ ୬୬ ଜଣ ପୁରୁଷ ଏବଂ ୨୪ ଜଣ ମହିଳା ଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ପ୍ରାଥମିକ ଚିକିତ୍ସାପରେ ଡିସ୍‌ଚାର୍ଜ କରିଦିଆଯାଇଛି।

ତେବେ ମୋଦୀ ଭାଷଣ ଦେବା ପରେ ସମସ୍ତ ଆହତମାନଙ୍କୁ ହସ୍ପିଟାଲ୍‌ରେ ଯାଇ ଭେଟିଛନ୍ତି ଏବଂ ସେମାନଙ୍କ ଉତ୍ତମ ଚିକିତ୍ସା ପାଇଁ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଣାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ମେଦିନୀପୁର କଲେଜ୍‌ ପଡ଼ିଆରେ ଏକ କୃଷକ କଲ୍ୟାଣ ସମାବେଶରେ ବକ୍ତବ୍ୟ ଦେଉଥିବା ସମୟରେ ହଠାତ୍‌ ଏକ ଅସ୍ଥାୟୀ ଟେଣ୍ଟ୍‌ ଭୁଶୁଡ଼ି ପଡ଼ିଥିଲା। ପ୍ରବଳ ବର୍ଷା ହେତୁ ଟେଣ୍ଟ୍‌ଟି ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ତେବେ ଏଭଳି ଏକ ଦୁର୍ଘଟଣା ପରେ ମଧ୍ୟ ଅନେକ ସଂଖ୍ୟାରେ ଦର୍ଶକ ସଭାସ୍ଥଳ ଛାଡ଼ି ନଥିବାରୁ ମୋଦୀ ଏହାର ପ୍ରଶଂସା କରି କହିଛନ୍ତି ଯେ ଆଜି ମୁଁ ପଶ୍ଚିମବଙ୍ଗ ଲୋକଙ୍କର ଏକ ନୂଆ ଶକ୍ତି ଦେଖୁଛି। କେହି ବିଶ୍ୱାସ କରିପାରିବେ କି ଟେଣ୍ଟ୍‌ ଭୁଶୁଡ଼ି ପଡ଼ିବା ଫଳରେ ସଭା ସୁରୁଖୁରୁରେ ଚାଲିବ ଏବଂ ଏତେସଂଖ୍ୟାରେ ଲୋକ ଉପସ୍ଥିତ ରହିବେ। ଅନ୍ୟପକ୍ଷେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯିବ ବୋଲି ଟ୍ଵିଟ୍‌ କରି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe