zee news
ପାଟନା : ଦୀର୍ଘ ଦିନର ବ୍ୟବଧାନ ପରେ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ପାଟନା ବିଶ୍ୱବିଦ୍ୟାଳୟର ଶତାଦ୍ଦୀ ସମାରୋହରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ସମେତ ବିହାର ମୁଖ୍ୟମନ୍ତ୍ରୀ । ଆରଜେଡି ସହିତ ସମ୍ପର୍କ ଛିନ୍ନ କରି ବିଜେପି ସହିତ ମେଣ୍ଟ କରିବା ପରେ ପ୍ରଧାନମନ୍ତ୍ରୀଙ୍କ ଏହା ହେବ ଦ୍ୱିତୀୟ ବିହାର ଗସ୍ତ । ତେବେ ସରକାର ଗଠନ ପରେ ପ୍ରଥମ ଥର ପାଇଁ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ମୋଦି-ନୀତିଶ ।
ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଭୂୟସୀ ପ୍ରଶଂସା କରିଛନ୍ତି। ପୂର୍ବ ଭାରତର ବିକାଶରେ ବିହାରର ବିକାଶ ଜରୁରୀ। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କର ବିହାରର ବିକାଶ ଲାଗି ପ୍ରତିବଦ୍ଧତା ପ୍ରଶଂସନୀୟ ବୋଲି ମୋଦି କହିଛନ୍ତି। ୨୦୨୨ ମସିହାରେ ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନକରିବାକୁ ଯାଉଛି। ମୁଁ ଚାହୁଁଛି ୨୦୨୨ ସୁଦ୍ଧା ଯେମିତି ବିହାର ଦେଶର ବିକଶିତ ରାଜ୍ୟମାନଙ୍କ ତାଲିକାରେ ରହୁ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।
ଏଥିସହ ପ୍ରଧାନମନ୍ତ୍ରୀ ମୋଦି କହିଥଲେ ଯେ ମୁଁ ବିହାରର ମାଟିକୁ ପ୍ରଣାମ ଜଣାଉଛି। କାରଣ ଦେଶର ବିକାଶରେ ଏହି ମାଟିର ମଣିଷମାନଙ୍କର ବହୁ ଅବଦାନ ରହିଛି। ଦେଶର ବହୁ ଶୀର୍ଷ ବୁରୋକ୍ରାଟ୍ ବିହାରର ହୋଇଥିବା ବେଳେ ପାଟନା ୟୁନିଭର୍ସିଟି ବହୁ ବିଦ୍ବାନଙ୍କୁ ତିଆରି କରିଛି। ବିହାର ‘ଗଙ୍ଗା’ ଓ ‘ଜ୍ଞାନ’ର ଭୂମି ତେଣୁ ଏହାର ବହୁ ଦିଗରୁ ଭିନ୍ନ।
ଏହାସହ ବିହାରକୁ ଦୀପାବଳି ଉପହାର ଦେଇଛନ୍ତି ମୋଦି । ଆଜି ମୋଦି ଅନେକ ଯୋଜନାର ଶୁଭାରମ୍ଭ କରିବାର କାଯ୍ୟକ୍ରମ ରହିଛି । ପ୍ରଥମରୁ ହିଁ ଏହି ସମାରୋହକୁ ନେଇ ବିବାଦ ଦେଖାଦେଇଥିଲା । ସମାରୋହକୁ ଲାଲୁ ପ୍ରସାଦ ଯାଦବକୁ ଡକାଯାଇଥିଲେ ବି ଦିଲ୍ଲୀରେ ଥିବାରୁ ସେ ଏଥିରେ ସାମିଲ ହୋଇପାରିନାହାନ୍ତି । ବିଜେପି ନେତା ତଥା ପାଟନା ସାହେବର ସାଂସଦ ଶତ୍ରୁଘ୍ନ ସିହ୍ନାକୁ ଏହି ସମାରୋହକୁ ଡକାଯାଇନଥିବା ଖୋଦ ଶତ୍ରୁଘ୍ନ ସିହ୍ନା କହିଛନ୍ତି । ତେବେ ବିଶ୍ୱବିଦ୍ୟାଳୟ କୁଳପତି କହିଛନ୍ତି, ଶତ୍ରୁଘ୍ନ ସିହ୍ନାଙ୍କୁ ନିମନ୍ତ୍ରଣ ପଠାଯାଇଥିଲା ।
Follow Us