ଚୀନ୍‌ ଗସ୍ତରେ ମୋଦୀ, ୭ ବର୍ଷ ପରେ ପ୍ରଥମ

ଜାପାନ ଗସ୍ତ ଶେଷ କରିବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଐତିହାସିକ ଗସ୍ତରେ ଚୀନ୍‌ର ତିଆନ୍‌ଜିନ୍‌ରେ  ପହଞ୍ଚିଛନ୍ତି। ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ...

Untitled-1

ନୂଆଦିଲ୍ଲୀ : ଜାପାନ ଗସ୍ତ ଶେଷ କରିବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଐତିହାସିକ ଗସ୍ତରେ ଚୀନ୍‌ର ତିଆନ୍‌ଜିନ୍‌ରେ  ପହଞ୍ଚିଛନ୍ତି। ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ମୋଦୀ ଜିନପିଙ୍ଗଙ୍କ ନିମନ୍ତ୍ରଣ କ୍ରମେ ଏବେ ଚୀନ୍‌ ଗସ୍ତରେ ଅଛନ୍ତି।   ୭ ବର୍ଷ ପରେ ଏହା ମୋଦୀଙ୍କ ପ୍ରଥମ ଚୀନ୍‌ ଗସ୍ତ। ଏହା ପୂର୍ବରୁ ୨୦୧୮ରେ ମୋଦୀ ଚୀନ୍‌ ଗସ୍ତ କରିଥିଲେ।  ୨୦୨୦ ମସିହାରେ ସୀମା ସଂଘର୍ଷ ଯୋଗୁଁ ପ୍ରଭାବିତ ହୋଇଥିବା ଭାରତ-ଚୀନ୍ ସମ୍ପର୍କରେ ସୁଧାର ଆସିବାପରେ ଚୀନ୍‌ର ନିମନ୍ତ୍ରଣକୁ ‌ମୋଦୀ ଗ୍ରହଣ କରିଥିଲେ।   ଅନ୍ୟପକ୍ଷେ ରୁଷ୍‌ଠାରୁ ତୈଳ କ୍ରୟ ପାଇଁ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିବାବେଳେ ଏହି ସମୟରେ ‌ମୋଦୀଙ୍କର ଚୀନ୍‌ ଗସ୍ତ ଏବଂ ସେଠାରେ ଉଭୟ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ ଉପରେ ପୂରା ବିଶ୍ବର ନଜର ରହିଛି।। 
ପ୍ରଧାନମନ୍ତ୍ରୀ ମୋଦୀ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ ତାରିଖରେ ତିଆନ୍‌ଜିନ୍‌ରେ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ଶିଖର ସମ୍ମିଳନୀରେ ଯୋଗଦେବେ। ରବିବାର  ମୋଦୀ ଏକ ସ୍ୱାଗତ ସମାରୋହରେ ସାମିଲ ହେବେ।  ସେପ୍ଟେମ୍ବର ୧ ତାରିଖରେ ମୁଖ୍ୟ ନେତାମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହେବ। ଏସ୍‌ସିଓ ସମ୍ମିଳନୀରେ ମୋଦୀ ପହଲଗାମ ଆକ୍ରମଣ ଏବଂ ଅପରେସନ୍‌ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ବିବାଦ ଏବଂ ସୀମାପାର ଆତଙ୍କବାଦ ବିରୋଧରେ ଭାରତ ଆଭିମୁଖ୍ୟକୁ ଦୋହରାଇବେ ବୋଲି ଆଶା କରାଯାଉଛି।  
ଏସ୍‌ସିଓ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ, ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ବୈଠକ ବିଷୟରେ ସୂଚନା ଦେବେ ବୋଲି ଆଶା କରାଯାଉଛି।  ୨୦୨୪ରେ ରୁଷ୍‌ର କାଜାନରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଓ  ଚୀନ୍‌ ରାଷ୍ଟ୍ରପତି  ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ବୈଠକ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଉନ୍ନତି ଆଣିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe