ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବାରଣାସୀରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ଏଠାରୁ ତୃତୀୟ ଥର ପାଇଁ ଲୋକସଭା ନିର୍ବାଚନ ଲଢୁଛନ୍ତି। ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ମୁଖ୍ୟ ହୋଇଥିଲେ ମଧ୍ୟ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ସମ୍ପତ୍ତି ସେମିତି କିଛି ଅଧିକ ନୁହେଁ। ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ସତ୍ୟପାଠ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତରେ ମାତ୍ର ୫୨,୯୨୦ ଟଙ୍କା ନଗଦ ରହିଛି। ସେଥିମଧ୍ୟରୁ ପୂର୍ବରୁ ୨୪,୯୨୦ ଟଙ୍କା ଥିବାବେଳେ ଗତକାଲି (ସୋମବାର) ସେ ବ୍ୟାଙ୍କରୁ ୨୮ ହଜାର ଟଙ୍କା ଉଠାଇଥିଲେ । ସେହିପରି ମନୋନୟନ ପତ୍ରରେ ସେ ପତ୍ନୀଙ୍କ ନାମ ସ୍ଥାନରେ ସେ ଯଶୋଦାବେନ ବୋଲି ଲେଖିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଅଛି - ଗୋଟିଏ ତାଙ୍କ ନିଜ ସହର ଗାନ୍ଧୀନଗରରେ ଏବଂ ଗୋଟିଏ ତାଙ୍କ ନିର୍ବାଚନ ମଣ୍ଡଳୀ ବାରାଣାସୀରେ । ଗାନ୍ଧୀନଗରସ୍ଥିତ ଷ୍ଟେଟ୍ ବ୍ୟାଙ୍କଅଫ୍ ଇଣ୍ଡିଆରେ ମୋଦୀଙ୍କ ୭୩ ହଜାର ଟଙ୍କା ଜମା ଥିବା ବେଳେ ବାରଣାସୀର ଆକାଉଣ୍ଟରେ ୭ ହଜାର ଟଙ୍କା ଜମା ରହିଛି। ସଞ୍ଚୟ ଖାତା ବ୍ୟତୀତ ଏସବିଆଇରେ ପ୍ରଧାନମନ୍ତ୍ରୀଙ୍କ ୨.୮୫ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ (ଏଫଡିଆର) ରହିଛି। ଏହାବ୍ୟତୀତ ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍ (ଏନ୍ ଏସ୍ ସି)ରେ ତାଙ୍କର ୯,୧୨,୩୯୮ ଟଙ୍କା ନିବେଶ ରହିଛି।
Follow Us