Kerala Kaumudi
ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆଜି ୧୧ ଦିନ ପୂରିଥିବାବେଳେ ଋଷର ଆକ୍ରମଣ ଦ୍ୱାରା ୟୁକ୍ରେନର ଅନେକ ପ୍ରମୁଖ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେବେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ପ୍ରୟାସ କରୁଛନ୍ତି | ଏହି ପ୍ରସଙ୍ଗକୁ ନେଇ ଆଜି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍ ମାଧ୍ୟମରେ କଥାବାର୍ତ୍ତା କରିଛନ୍ତି। ପ୍ରାୟ ୫୦ ମିନିଟ ଧରି ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଥିବା ବେଳେ ୟୁକ୍ରେନର ବର୍ତ୍ତମାନ ପରିସ୍ଥିତି ଉପରେ ଆଲୋଚନା କରିଥିଲେ।
ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଆଲୋଚନା ବାବଦରେ ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୂଚନା ଦେଇଥିବାବେଳେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ସିଧାସଳଖ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କୁ ଅନୁରୋଧ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନର ସୁମିରେ ଫସିଥିବା ଭାରତୀୟ ନାଗରିକଙ୍କୁ ଶୀଘ୍ର ସ୍ଥାନାନ୍ତର କରିବାକୁ ଗୁରୁତ୍ୱ ଦେଇଥିଲେ | ଛାତ୍ରଛାତ୍ରୀମାନଙ୍କୁ କିଭଳି ନିରାପଦ ସ୍ଥାନାନ୍ତର କରାଯାଇପାରିବ ସେଥିଲାଗି ରୁଷ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଶ୍ୱାସନା ଦେଇଛନ୍ତି |
ସୂଚନା ଥାଉ କି ପୁଟିନଙ୍କ ସହ କଥାବାର୍ତ୍ତା ପୂର୍ବରୁ ମୋଦୀ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିଙ୍କ ସହ କଥା ହୋଇଥିଲେ | ପୂର୍ବ ୟୁକ୍ରେନୀୟ ନଗରୀ ସୁମିରେ ଫସି ରହିଥିବା ବହୁସଂଖ୍ୟକ ଭାରତୀୟ ନାଗରିକମାନଙ୍କୁ ସ୍ଥାନାନ୍ତରଣ କରିବାରେ ସହଯୋଗ କରିବା ବାବଦରେ ମୋଦୀ ଫୋନ୍ରେ ୩୫ ମିନିଟ୍ କାଳ କଥାବାର୍ତ୍ତା କରିଥିଲେ | ଉଭୟ ନେତା ୟୁକ୍ରେନ୍ର ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ। ସଙ୍କଟ ଟାଳିବା ନିମନ୍ତେ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ପ୍ରତ୍ୟକ୍ଷ ଆଲୋଚନାକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ।
Follow Us