ବିରୋଧୀଙ୍କ ଉପରେ ବର୍ଷିଲେ ମୋଦୀ: ଦାଦନଙ୍କୁ ଉସ୍‌କେଇଥିଲା କଂଗ୍ରେସ

Advertisment

ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ନେଇ କଂଗ୍ରେସ, ଆପ୍‌ର ତୀବ୍ର ପ୍ରତିକ୍ରିୟା

ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ନେଇ କଂଗ୍ରେସ, ଆପ୍‌ର ତୀବ୍ର ପ୍ରତିକ୍ରିୟା

୧୦୦ କିଷାନ ଡ୍ରୋନ୍‌ର ଶୁଭାରମ୍ଭ କଲେ ମୋଦୀ

Image Courtesy of India Today

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ବିରୋଧୀ ଦଳ, ବିଶେଷକରି କଂଗ୍ରେସ ଉପରେ ବର୍ଷିଛନ୍ତି। କରୋନା ମହାମାରୀ ପରିଚାଳନାରେ ଭାରତର ସାମର୍ଥ୍ୟ ବଖାଣିବା ସହିତ ବିରୋଧୀଙ୍କ ମନୋଭାବ, କଂଗ୍ରେସର ଅହଂକାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ବିତର୍କ ଉପରେ ଉତ୍ତର ରଖି ପ୍ରଧାନମନ୍ତ୍ରୀ ଆଜି ବିରୋଧୀଙ୍କ କଡ଼ା ସମାଲୋଚନା କରିଛନ୍ତି। ଦେଶ ବର୍ତ୍ତମାନ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି। ଆଗାମୀ ଦିନରେ ଭାରତ ‌କିଭଳି ‌ବିଶ୍ବର ନେତୃତ୍ବ ନେଇପାରିବ ତାହା ଚିନ୍ତା କରିବାର ପ୍ରକୃଷ୍ଟ ସମୟ ଏବେ ରହିଛି। କରୋନା ମହାମାରୀ ପରେ ବିଶ୍ବରେ ଏକ ନୂଆ ସମୀକରଣ ସୃଷ୍ଟି ହୋଇଛି। ଭାରତର ନେତୃତ୍ବକୁ ସ୍ବୀକୃତି ମିଳିଛି। ବିଶ୍ବ ନେତୃତ୍ବ ଭୂମିକା ଭାରତ ଗ୍ରହଣ କରିବା ଆବଶ୍ୟକ। ଦେଶ ଏହି ସୁଯୋଗର ହାତଛଡ଼ା କରିବା ଉଚିତ ନୁହେଁ ବୋଲି ମୋଦୀ କହିଛନ୍ତି।

କଂଗ୍ରେସକୁ ସିଧା ଆକ୍ରମଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏତେ ନିର୍ବାଚନରେ ହାରିବା ପରେ ବି ଏହି ଦଳର ଅହଂକାରରେ କୌଣସି ପରିବର୍ତ୍ତନ ହୋଇନାହିଁ। ନାଗାଲାଣ୍ଡରେ କଂଗ୍ରେସ ୨୪ ବର୍ଷ ପୂର୍ବେ, ଓଡ଼ିଶାରେ ୨୭ ବର୍ଷ ପୂର୍ବେ ଲୋକେ କଂଗ୍ରେସକୁ ଭୋଟ ଦେଇଥିଲେ। ଗୋଆରେ କଂଗ୍ରେସ ୨୮ ବର୍ଷ ତଳେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇଥିଲା। ୧୯୮୮ରେ ତ୍ରିପୁରାରେ ଲୋକମାନେ କଂଗ୍ରେସକୁ ଭୋଟ ଦେଇଥିଲେ। ସେହିଭଳି ପଶ୍ଚିମବଙ୍ଗରେ ୧୯୭୨ରେ କଂଗ୍ରେସ ଜିତିଥିଲା। ଦଳ ତେଲେଙ୍ଗାନା ସୃଷ୍ଟି ପାଇଁ ଶ୍ରେୟ ଦାବି କରୁଛି। କିନ୍ତୁ ଲୋକମାନେ ସେଠାରେ ଦଳକୁ ଗ୍ରହଣ କରୁନାହାନ୍ତି। ଏତେସବୁ ରାଜ୍ୟରେ ହାରିବା ପରେ ମଧ୍ୟ କଂଗ୍ରେସର ଅହଂକାର ଯାଇନାହିଁ। ତୁମ ପରିବେଶ ଏହାକୁ ତୁମଠାରୁ ଯିବାକୁ ଦେଇନାହିଁ। ଏଠାରେ ନିର୍ବାଚନ ଫଳ ପ୍ରସଙ୍ଗ ନୁହେଁ, କିନ୍ତୁ ଯେଉଁମାନେ ଦୀର୍ଘଦିନ ଧରି କ୍ଷମତାରେ ରହିଥିଲେ ସେମାନଙ୍କ ମାନସିକତାକୁ ନେଇ ପ୍ରଶ୍ନ ଉଠିଛି। ଯେଉଁଠି ଲୋକମାନେ ବିକଳ୍ପ ପନ୍ଥା ପାଇଛନ୍ତି ସେଠାରେ ତୁମକୁ ଆଉ ଥରେ କ୍ଷମତାକୁ ଆସିବାକୁ ଦେଇନାହାନ୍ତି।

କରୋନା ସମୟରେ କଂଗ୍ରେସ ଦଳ ସବୁ ସୀମା ଟପିଯାଇଛି। ପ୍ରଥମ ଲହର ବେଳେ ଲୋକମାନେ ଲକଡାଉନ୍‌ରେ ଥିଲେ। ଯିଏ ଯେଉଁଠି ଅଛନ୍ତି ସେଇଠି ଥାଆନ୍ତୁ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ। କିନ୍ତୁ ସେହି ସମୟରେ କଂଗ୍ରେସ ଓ ଆପ୍‌ ପ୍ରବାସୀ ଶ୍ରମିକଙ୍କୁ ଉସ‌୍‌କେଇଥିଲେ। ମୁମ୍ବାଇ ଷ୍ଟେସନରେ ଠିଆ ହୋଇ ପ୍ରବାସୀ ଶ୍ରମିକଙ୍କୁ ମାଗଣା ଟିକଟ ବାଣ୍ଟୁଥିଲା। ଦିଲ୍ଲୀ ସରକାର ମଧ୍ୟ ଲୋକଙ୍କୁ ସହର ଛାଡ଼ିବା ପାଇଁ କହିବା ସହିତ ବସ୍ ଯୋଗାଇ ଦେଇଥିଲା। ଏହାଫଳରେ କରୋନା ଦ୍ରୁତବେଗରେ ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବ୍ୟାପିଥିଲା।

କରୋନା ଏକ ମହାମାରୀ ହୋଇଥିଲେ ମଧ୍ୟ କିଛି ଲୋକ ରାଜନୈତିକ ଫାଇଦା ପାଇଁ ଏହାର ଅପବ୍ୟବହାର କରିଥିଲେ। କିଛି ଲୋକ ଭାବିଥିଲେ ଯେ ଏହା ମୋଦୀଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିବ। ତୁମେ ମୋତେ ବିରୋଧ କରିପାର। କିନ୍ତୁ ଫିଟ୍ ଇଣ୍ଡିଆ ଓ ଅନ୍ୟାନ୍ୟ ଯୋଜନାକୁ କାହିଁକି ବିରୋଧ କରୁଛ? ଯୋଗ ପାଇଁ କିଏ ଗର୍ବ କରେ ନାହିଁ? କିନ୍ତୁ ତୁମେ ଏହାକୁ ମଜାରେ ଉଡ଼ାଉଛ। ଅନେକ ରାଜ୍ୟରେ ବହୁବର୍ଷ ପୂର୍ବରୁ ତୁମେ କ୍ଷମତାରୁ ବାହାରେ ରହିଛି। ଆସନ୍ତା ୧୦୦ ବର୍ଷ ପାଇଁ କ୍ଷମତାକୁ ନଆସିବା ପାଇଁ ତୁମେ ସଂକଳ୍ପ କରିଛ ବୋଲି ମୋଦୀ ଆକ୍ଷେପ କରିଛନ୍ତି। ମୋଦୀ କହିଛନ୍ତି ତାଙ୍କ ସରକାର ଏବଂ ଦଳ ଗଣତନ୍ତ୍ରରେ ଦୃଢ଼ ବିଶ୍ବାସ ରଖିଛି। ସମାଲୋଚନା ହେଉଛି ଗଣତନ୍ତ୍ରର ଏକ ଅତ୍ୟାବଶ୍ୟକ ଅଙ୍ଗ। ସମାଲୋଚନା ଗଣତନ୍ତ୍ରର ରତ୍ନ, କିନ୍ତୁ ସବୁ ଜିନିଷକୁ ଅନ୍ଧ ଭାବେ ବିରୋଧ କରିବା ଗଣତନ୍ତ୍ର ପାଇଁ ଅପମାନ। ତେବେ ପ୍ରବାସୀ ଶ୍ରମିକମାନଙ୍କୁ ଉସ୍‌କେଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ କଂଗ୍ରେସ ଓ ଆପ୍‌ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ମହାରାଷ୍ଟ୍ରରେ କଂଗ୍ରେସ ଓ ଶିବ ସେନା ଏହାର ପ୍ରତିବାଦ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କ ବିବୃତିକୁ ଡାହା ମିଛ କହିଛନ୍ତି। ଲୋକଙ୍କ ଦୁଃଖ ଯନ୍ତ୍ରଣାକୁ ନେଇ ମୋଦୀ ରାଜନୀତି କରୁଛନ୍ତି ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି। କରୋନାରେ କ୍ଷତି ସହିଥିବା ବ୍ୟକ୍ତିଙ୍କ ପ୍ରତି ପ୍ରଧାନମନ୍ତ୍ରୀ ସ‌େମ୍ବଦନଶୀଳ ହେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe