ନୂଆଦିଲ୍ଲୀ : ଦୀର୍ଘ ୭୦ ବର୍ଷ ପରେ ଭାରତ ମାଟିକୁ ଚିତା ଫେରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ତାଙ୍କ ଜନ୍ମଦିନରେ ୮ଟି ଚିତାକୁ ମଧ୍ୟପ୍ରଦେଶର କୁନୋ ପାଲ୍ପୁର ଜାତୀୟ ଉଦ୍ୟାନରେ ପ୍ରବେଶ କରାଇଛନ୍ତି। ମୋଦୀ ଆଜିର ଦିନକୁ ଏକ ଐତିହାସିକ ଦିନ ବୋଲି କହିଛନ୍ତି। ନାମିବ୍ୟାରୁ ୮ଟି ଚିତା ଆସି ଭାରତ ପହଞ୍ଚିବା ହେଉଛି ଇତିହାସରେ ସବୁଠୁ ବଡ଼ ବନ୍ୟପ୍ରାଣୀ ସ୍ଥାନାନ୍ତରଣ ପ୍ରକଳ୍ପ। ବାଘ ମୁହଁ ଆକାରରେ ସଜ୍ଜିତ ହୋଇଥିବା ଏକ ସ୍ବତନ୍ତ୍ର ବିମାନରେ ସ୍ବତନ୍ତ୍ର କାଠ ପିଞ୍ଜରା ଦ୍ବାରା ଚିତାଙ୍କୁ ଅଣାଯାଇଛି। ସ୍ଥାନାନ୍ତରଣ ପ୍ରକଳ୍ପରେ ସହଯୋଗ କରିବାପାଇଁ କିଛି ପ୍ରାଣୀ ଚିକିତ୍ସକ ମଧ୍ୟ ଆସିଛନ୍ତି। ପ୍ରଥମେ ଏହି ଚିତାମାନଙ୍କୁ ଏକ କ୍ବାରାଣ୍ଟିନ୍ ଏନକ୍ଲୋଜରରେ ରଖାଯିବ। ପ୍ରାୟ ମାସକ ପରେ ସେମାନଙ୍କୁ ଜାତୀୟ ଉଦ୍ୟାନର ଖୋଲା ଜଙ୍ଗଲ ଅଞ୍ଚଳକୁ ଛଡ଼ାଯିବ। ଶିକାରକୁ ଏଡ଼ାଇବା ପାଇଁ କୁନୋରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରତି ଚିତା ପାଇଁ ଏକ ୨୪ ଘଣ୍ଟିଆ ଯାଞ୍ଚ ଟିମ୍ ଗଠନ କରାଯାଇଛି। ଏମାନେ ୨୪ ଘଣ୍ଟା ଚିତା ଉପରେ ନଜର ରଖିବେ।
Business Todayଶନିବାର ସକାଳ ୮ଟାରେ ୮ଟି ଚିତାକୁ ନେଇ ଆସିଥିବା ସ୍ବତନ୍ତ୍ର ବିମାନ ଗ୍ବାଲିୟରର ମହାରାଜପୁର ବାୟୁସେନା ଘାଟିରେ ପହଞ୍ଚିଥିଲା। ପ୍ରାୟ ୧୧ ଘଣ୍ଟାର ଯାତ୍ରା କରି ୫ଟି ମାଈ ଚିତା ଏବଂ ୩ଟି ଅଣ୍ଡିରା ଚିତା ଗ୍ବାଲିୟରରେ ପହଞ୍ଚିବାପରେ ସେମାନଙ୍କୁ ବାୟୁସେନାର ହେଲିକପ୍ଟରରେ କୁନୋ ଜାତୀୟ ଉଦ୍ୟାନ ନିଆଯାଇଥିଲା। ପ୍ରଧାନମନ୍ତ୍ରୀ ଏହାପରେ କୁନୋ ଜାତୀୟ ଉଦ୍ୟାନରେ ଚିତାଙ୍କୁ ଛାଡ଼ିବା ପରେ ଏକ ପ୍ରଫେସନାଲ କ୍ୟାମେରା ଦ୍ବାରା ଚିତାର ଫଟୋ ଉଠାଇଥିଲେ। ମୋଦୀ ଶନିବାର ଦିନ ପ୍ରଥମେ ୧ ନମ୍ବର ଏନକ୍ଲୋଜରରେ ୨ଟି ଚିତା ଛାଡ଼ିଥିବା ବେଳେ। ଦ୍ବିତୀୟ ଏନକ୍ଲୋଜରରୁ ଆଉ ଏକ ଚିତା ଛାଡ଼ିଥିବା ଦେଖିବାକୁ ମିଳିଛି। ବାକି ୫ଟି ଚିତାଙ୍କୁ ଉପସ୍ଥିତ ଥିବା ଅନ୍ୟ ପ୍ରମୁଖ ବ୍ୟକ୍ତି ଏନକ୍ଲୋଜରରେ ଛାଡ଼ିଥିଲେ। ଚିତାଙ୍କୁ ନୂଆ ଘର ମିଳିଥିବାରୁ ସେମାନଙ୍କୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ନିରୀକ୍ଷଣରେ ରଖାଯିବ। ସମସ୍ତ ଚିତାଙ୍କ ଶରୀରରେ ରେଡିଓ କୋଲାର ଲାଗିଛି। ଏହାଦ୍ବାରା ସାଟେଲାଇଟ୍ ମାଧ୍ୟମରେ ସେମାନଙ୍କ ଯାଞ୍ଚ ହୋଇପାରିବ। ଜାତୀୟ ଉଦ୍ୟାନରେ ଚିତାଙ୍କୁ ସାମିଲ କରାଇବାପରେ ମୋଦୀ କହିଛନ୍ତି, ଦୀର୍ଘ ୭ ଦଶନ୍ଧି ପୂର୍ବେ ଦେଶରେ ଚିତା ବିଲୁପ୍ତ ହୋଇଯାଇଥିଲା। ‘ଚିତା ପ୍ରକଳ୍ପ’ ଅଧୀନରେ ଦେଶ ପୁଣିଥରେ ଚିତାଙ୍କୁ ଫେରାଯାଇଛି। ପରିବେଶ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଦିଗରେ ଏହା ଆମର ପ୍ରୟାସ। ମୋଦୀ କହିଛନ୍ତି, ଏକବିଂଶ ଶତାବ୍ଦୀର ଭାରତ ସମଗ୍ର ବିଶ୍ୱକୁ ଏକ ବାର୍ତ୍ତା ଦେଉଛି ଯେ ଅର୍ଥନୀତି ଏବଂ ପରିବେଶ ପରସ୍ପର ବିରୋଧୀ କ୍ଷେତ୍ର ନୁହେଁ। ପରିବେଶ ଏବଂ ଅର୍ଥନୀତିର ଉତ୍ତମ ସନ୍ତୁଳନ କିଭଳି ସମ୍ଭବ ତାହା ଭାରତ କରିଦେଖାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶନିବାର ଦିନ ମୋଦୀଙ୍କ ସହ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଚୌହାନ କହିଛନ୍ତି, ବିଲୁପ୍ତ ହୋଇଥିବା ଚିତାଙ୍କୁ ପୁଣିଥରେ ଫେରାଇବାର ଯେଉଁ ପ୍ରୟାସ ଆରମ୍ଭ ହୋଇଛି ତାହା ନିଶ୍ଚିତ ଭାବେ ଏକ ଐତିହାସିକ ପଦକ୍ଷେପ ଏବଂ ଏହା ରାଜ୍ୟରେ ପର୍ଯ୍ୟଟନକୁ ଆହୁରି ସମୃଦ୍ଧ କରିବ।
Follow Us