ଆରାମ, ସମ୍ମାନ ଓ ପ୍ରଚାରର ଲୋଭ ଛାଡି ଦେଶର ହିତ ପାଇଁ ନିଷ୍ପତ୍ତି ନେବାକୁ ଭବିଷ୍ୟତ ଆଇଏଏସ ଅଫିସରଙ୍କୁ ପରାମର୍ଶ ଦେଲେ ମୋଦୀ

Advertisment
ଏମଏସପି ବ୍ୟବସ୍ଥା ହଟିବାର ପ୍ରଶ୍ନ ଉଠୁନାହିଁ : କୃଷକମାନଙ୍କୁ ମୋଦୀଙ୍କ ଆଶ୍ବାସନା

NDTV

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଲିମପ୍ରାପ୍ତ ଆଇଏଏସ୍ ଅଧିକାରୀମାନଙ୍କୁ ଆରାମ, ଖ୍ୟାତି ଏବଂ ପ୍ରଚାରର ପ୍ରଲୋଭନ ଛାଡି ଅତିରିକ୍ତ କାର୍ଯ୍ୟ ଗ୍ରହଣ କରିବା ଏବଂ ଜାତୀୟ ସ୍ୱାର୍ଥରେ ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର କେୱାଡିଆରୁ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆଜି ମସୌରୀସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀର ଭାରତୀୟ ସିଭିଲ ସେବାର ଶିକ୍ଷାନବୀଶ ଅଧିକାରୀଙ୍କ ସହ ମତବିନିମୟ କରିଛନ୍ତି । ତାଲିମ ନେଉଥିବା ଅଧିକାରୀମାନଙ୍କ ଉପସ୍ଥାପନ ଦେଖିବା ପରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଯେ ଭାରତୀୟ ସିଭିଲ ସେବାର ଶିକ୍ଷାନବୀଶ ଅଧିକାରୀମାନେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଆଦର୍ଶକୁ ଅନୁକରଣ କରି କାର୍ଯ୍ୟ କରିବା ଉଚିତ ।

ସର୍ଦ୍ଦାର ପଟେଲ କହିଥିଲେ ଯେ ଦେଶର ନାଗରିକଙ୍କ ସେବା କରିବା ସିଭିଲ ସେବା ଅଧିକାରୀଙ୍କ ସର୍ବୋତ୍ତମ କର୍ତ୍ତବ୍ୟ । ସେହି ମନ୍ତ୍ରରେ ଦୀକ୍ଷିତ ହୋଇ ସବୁ ପ୍ରଶାସନିକ ଅଧିକାରୀମାନେ ଦେଶର ସେବାରେ ବ୍ରତୀ ହେବା ଆବଶ୍ୟକ । ଦେଶର ସ୍ୱାର୍ଥ ପରିପ୍ରେକ୍ଷୀରେ ଯୁବ ଅଧିକାରୀମାନେ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରିବା ସହିତ ଦେଶର ଏକତା ଓ ସଂହତିକୁ ଅଧିକ ଦୃଢ କରିବା ଦିଗରେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଥିଲେ । ସିଭିଲ ସେବା ଅଧିକାରୀମାନେ ନିଷ୍ପତ୍ତି ଗ୍ରହଣ କରିବାବେଳେ ସାଧାରଣ ଜନତାଙ୍କ ସ୍ୱାର୍ଥ ଯେପରି ସୁରକ୍ଷିତ ରହେ ସେଥିପ୍ରତି ଯତ୍ନବାନ ହେବାକୁ ସେ ଗୁରୁତ୍ୱାରୋପ କରିଥିଲେ । ସଂପୃକ୍ତ ଅଧିକାରୀମାନେ ଯେଉଁ ବିଭାଗ ବା ଯେଉଁ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି ସର୍ବତ୍ର ଏହି ନୀତି ଓ ଆଦର୍ଶରେ କରିବା ଉଚିତ ବୋଲି ସେ କହିଥିଲେ ।

publive-image

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଭାରତୀୟ ସିଭିଲ ସେବା ଯାହା ଦେଶର ଇସ୍ପାତ ଢାଞ୍ଚା ବା ଷ୍ଟିଲ୍‌ ଫ୍ରେମଭାବେ ପରିଚିତ ତାହା କେବଳ ଦୈନନ୍ଦିନ କାର୍ଯ୍ୟ ପରିଚାଳନାରେ ସୀମିତ ରହିବା ଅନୁଚିତ । ସିଭିଲ ସେବା ସର୍ବଦା ରାଷ୍ଟ୍ରର ବିକାଶ ଦିଗରେ କାର୍ଯ୍ୟ କରିବା ଉଚିତ । ବିଶେଷକରି ସଂକଟ ସମୟରେ ଏହି ସେବାର ଅଧିକାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି ବୋଲି ସେ ସ୍ମରଣ କରାଇଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ଉପରୁ ତଳକୁ ନୀତିରେ ଶାସନ କରିବା ବ୍ୟବସ୍ଥାରେ ବିଶ୍ୱାସ କରନ୍ତି ନାହିଁ । ଯେଉଁମାନଙ୍କ ପାଇଁ ନୀତି ଓ ଯୋଜନାମାନ ପ୍ରସ୍ତୁତ କରାଯାଉଛି ସେମାନଙ୍କୁ ସେଥିରେ ସାମିଲ କରିବା ବିଶେଷ ଗୁରୁତ୍ୱପୂର୍ଣ୍ଣ ।

ସରକାରଙ୍କ ପଛରେ ଜନତା ହିଁ ବାସ୍ତବ ଚାଳକ ଶକ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଦେଶର ବର୍ତ୍ତମାନର ଶାସନ ବ୍ୟବସ୍ଥାରେ ସବୁ ବ୍ୟୁରୋକ୍ରାଟଙ୍କ ଭୂମିକା ହେଲା ସର୍ବନିମ୍ନ ସରକାର ଓ ସର୍ବାଧିକ ଶାସନ ନୀତିକୁ ସୁନିଶ୍ଚିତ କରି କାର୍ଯ୍ୟ କରିବା । ନାଗରିକଙ୍କ ଜୀବନରେ ଯେପରି ସରକାର ବା ପ୍ରଶାସନ ବିଶେଷ ହସ୍ତକ୍ଷେପ ନ କରେ ତାହାକୁ ସିଭିଲ ସେବା ଅଧିକାରୀମାନେ ସୁନିଶ୍ଚିତ କରିବା ସହ ସାଧାରଣ ନାଗରିକଙ୍କୁ ସଶକ୍ତ କରିବା ଆବଶ୍ୟକ । ଭାରତକୁ ଆତ୍ମନିର୍ଭର କରିବା ପାଇଁ ଚାଲିଥିବା ଉଦ୍ୟମରେ ସିଭିଲ ସେବାର ଶିକ୍ଷାନବୀଶ ଅଧିକାରୀମାନେ ‘ଭୋକାଲ ଫର୍‌ ଲୋକାଲ’ ମନ୍ତ୍ରକୁ କାର୍ଯ୍ୟରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe