ମତେ ହଟାଇବାକୁ ଆୟର ପାକିସ୍ତାନରେ ‘ସୁପାରି’ ଦେଇଥିଲେ : ମୋଦି

Advertisment
ମତେ ହଟାଇବାକୁ ଆୟର ପାକିସ୍ତାନରେ ‘ସୁପାରି’ ଦେଇଥିଲେ : ମୋଦି

ଅହମଦାବାଦ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ‘ନୀଚ’ ଶବ୍ଦର ବ୍ୟବହାର କରି ଗୁଜରାଟ ରାଜନୀତିରେ ଝଡ଼ ସୃଷ୍ଟି କରିଥିବା କଂଗ୍ରେସ ନେତା ମଣି ଶଙ୍କର ଆୟରଙ୍କ ବିରୋଧରେ ମୋଦି ଆଜି ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ଲାଗିି ଆୟର ପାକିସ୍ତାନରେ ସୁପାରି ଦେଇଥିଲେ ବୋଲି ମୋଦି ଏକ ଜନସଭାରେ କହିଛନ୍ତି। ୨୦୧୫ ମସିହାରେ ଆୟର ପାକିସ୍ତାନ ଗସ୍ତରେ ଥିବାବେଳେ ସେ କିଛି ପାକିସ୍ତାନୀଙ୍କୁ କହିଥିଲେ- ଯେ ପର୍ଯ୍ୟନ୍ତ ମୋଦିଙ୍କୁ ରାସ୍ତାରୁ ହଟା ନଯାଇଛି ସେପର୍ଯ୍ୟନ୍ତ ଭାରତ ପାକିସ୍ତାନ ସମ୍ପର୍କ ସୁଧୁରିବନି। ଏହି ପ୍ରସଙ୍ଗକୁ କଂଗ୍ରେସ ଦବାଇ ଦେଇଥିଲା ଏବଂ ଆୟରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ବୋଲି ମୋଦି ଅଭିଯୋଗ କରିଛନ୍ତି। କଂଗ୍ରେସର କାର୍ଯ୍ୟ ସଂସ୍କୃତିକୁ ସମାଲୋଚନା କରି ମୋଦି କହିଛନ୍ତି କଂଗ୍ରେସ କେବେ ବି ଅସଲ ବିକାଶ ଚାହୁନାହିଁ। ସବୁ କ୍ଷେତ୍ରରେ ବିକାଶ ପ୍ରକ୍ରିୟାକୁ ଅଟକାଇ ରଖିଛି, ଲଟକାଇ ରଖିବା ଏବଂ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରିବା କଂଗ୍ରେସର ସଂସ୍କୃତି ପାଲଟିଛି ବୋଲି ମୋଦି କହିଛନ୍ତି।
ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ଯୋଗଦେଇ ମୋଦି ଉତ୍ତର ଗୁଜରାଟର ବନାସକଣ୍ଠା ଜିଲ୍ଲାର ଏକ କ୍ଷୁଦ୍ର ସହରରେ ଉଦ୍‌ବୋଧନ ଦେଇ କହିଛନ୍ତି ଆୟର ଯେଉଁ ଦୁର୍ବ୍ୟବହାର କରିଛନ୍ତି ତାହା ମୋ ପାଇଁ ନା’ ଗୁଜରାଟ ବାସୀଙ୍କ ପାଇଁ ଅପମାନ ତାହା ଜନସାଧାରଣ ସ୍ଥିର କରିବା ଆବଶ୍ୟକ। ଡିସେମ୍ବର ୧୮ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେଲେ କଂଗ୍ରେସ ଉଚିତ ଜବାବ ପାଇବ ବୋଲି ମୋଦି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe