ନୂଆଦିଲ୍ଲୀ: ଭାରତରେ ପ୍ରତିରକ୍ଷା ଶିଳ୍ପ ପାର୍କ ସ୍ଥାପନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ୍ର କମ୍ପାନିଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ଭାରତ ଗସ୍ତ ଅବସରରେ ଆୟୋଜିତ ଏକ ବ୍ୟବସାୟିକ ବୈଠକରେ ମୋଦୀ କହିଛନ୍ତି, ଦୁଇଦେଶ ମଧ୍ୟରେ ବାଣିଜ୍ୟ କାରବାର ୨୦୧୭-୧୮ରେ ୨୦ ପ୍ରତିଶତ ବୃଦ୍ଧି ପାଇଛି। ଏହା ଆହୁରି ବୃଦ୍ଧି ପାଇବା ନେଇ ବିପୁଳ ସୁଯୋଗ ରହିଛି। ଭାରତରେ ଏବେ ପ୍ରତିରକ୍ଷା ଶିଳ୍ପ ସ୍ଥାପନ ପାଇଁ ଅନେକ ସୁଯୋଗ ରହିଛି। ତେଣୁ ରୁଷ୍ର କମ୍ପାନିମାନେ ଏ ଦିଗରେ ପୁଞ୍ଜିନିବେଶ କଲେ ଉଭୟ ପକ୍ଷ ଫାଇଦାରେ ରହିବେ। ମୋଦୀ କହିଛନ୍ତି, ପୂର୍ବାପେକ୍ଷା ଭାରତରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍ଡିଆଇ) ପାଇଁ ଅଧିକ ସହଜ ବାତାବରଣ ସୃଷ୍ଟି ହୋଇପାରିଛି। ଏଥିଲାଗି ଅନେକ ଅନୁକୂଳ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ତେଣୁ ରୁଷୀୟ କମ୍ପାନିମାନେ ପ୍ରତିରକ୍ଷା ଶିଳ୍ପ ସ୍ଥାପନ କଲେ ଦୁଇଦେଶର ପାରମ୍ପରିକ ସଂପର୍କକୁ ଆଉ ଏକ ଶକ୍ତି ମିଳିପାରିବ ବୋଲି ମୋଦୀ ଦର୍ଶାଇଛନ୍ତି। ମୋଦୀ କହିଛନ୍ତି, ନବ ଭାରତ ଗଠନ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଯେତେଶୀଘ୍ର ସମ୍ଭବ ଏହାକୁ ବାସ୍ତବ ରୂପ ଦେବାକୁ ଆମେ ଚାହୁଛୁ। ଏଥିପାଇଁ ଶିଳ୍ପାୟନର ବିକାଶ ଘଟିବା ଅପରିହାର୍ଯ୍ୟ। ଶିଳ୍ପାୟନ ଲାଗି ଆମେ ଅନେକ ସୁଯୋଗ ସୃଷ୍ଟି କରିଛୁ। ସାଗରମାଳା ପ୍ରକଳ୍ପରେ ବନ୍ଦରଗୁଡ଼ିକର ବିକାଶ କରିଛୁ। ୫୦ ସହରରେ ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣ କରିଛୁ। ଏହାଛଡ଼ା ରେଳ ଓ ସଡ଼କ ନେଟ୍ୱର୍କ ସୁଦୃଢ଼ କରିବା ସହ ବିମାନ ଚଳାଚଳ କ୍ଷେତ୍ରରେ ବ୍ୟାପକ ବିକଶ କରିଛୁ।
ପ୍ରତିରକ୍ଷା ଶିଳ୍ପ ପାର୍କ ସ୍ଥାପନ ପାଇଁ ମୋଦୀଙ୍କ ଆହ୍ବାନ
Advertisment
Follow Us