କେବଳ ସହରରେ ନୁହେଁ, ମୋଦୀ-ଯୋଗୀ ସରକାର ଗାଁଗଣ୍ଡାରେ ମଧ୍ୟ ବିକାଶ କରିବ: ପ୍ରଧାନମନ୍ତ୍ରୀ

କେବଳ ସହରରେ ନୁହେଁ, ମୋଦୀ-ଯୋଗୀ ସରକାର ଗାଁଗଣ୍ଡାରେ ମଧ୍ୟ ବିକାଶ କରିବ: ପ୍ରଧାନମନ୍ତ୍ରୀ

Image Courtesy of Zee News

ଜାଲୌନ୍‌: କେବଳ ସହରରେ ନୁହେଁ ମୋଦୀ-ଯୋଗୀ ସରକାର ଗାଁଗଣ୍ଡାରେ ମଧ୍ୟ ବିକାଶ କରିବ ବୋଲି ଆଜି ୨୯୬ କି.ମି. ଦୀର୍ଘ ‘ବୁନ୍ଦେଲ୍‌ଖଣ୍ଡ ଏକ୍ସପ୍ରେସ୍‌ ୱେ’ ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଏକ୍ସପ୍ରେସ୍‌ ୱେ ଯୋଗୁଁ ଏ ଅଞ୍ଚଳରେ ଶିଳ୍ପାଞ୍ଚଳର ବିକାଶ ଘଟିବ। ଏଇଟା ହେଉଛି ମୋଦୀ ଓ ଯୋଗୀ ସରକାର। ଆମେ କେବଳ ସହରରେ ନୁହେଁ ଗାଁଗଣ୍ଡାରେ ବି ବିକାଶ କରିବୁ।

ପରୋକ୍ଷଭାବେ ବିଗତ ସରକାରମାନଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସରଯୂ କେନାଲ୍‌ ପ୍ରକଳ୍ପ ଶେଷ ହେବାକୁ ୪୦ ବର୍ଷ ଲାଗିଲା। ଗୋରଖପୁର ସାର କାରଖାନା ୩୦ ବର୍ଷ ହେବ ବନ୍ଦ ହୋଇ ରହିଥିଲା। ଅର୍ଜୁନ ଜଳଭଣ୍ଡାର ପ୍ରକଳ୍ପ ୧୨ ବର୍ଷରେ ସମ୍ପୂର୍ଣ୍ଣ ହେଲା। ଆମେଠି ରାଇଫଲ୍‌ କାରଖାନାରେ ଖାଲି ଗୋଟାଏ ‘ସାଇନ୍‌ ବୋର୍ଡ’ ଲାଗିଥିଲା।

publive-image Image Courtesy of India TV News

ସେ ଆହୁରି ମଧ୍ୟ କହିଛନ୍ତି, ରାଏ ବରେଲିସ୍ଥିତ ରେଳଡବା କାରଖାନା ଖାଲି ରେଳଡବାଗୁଡ଼ିକରେ ରଙ୍ଗ ଦେବାରେ ସମର୍ଥ ହୋଇଥିଲା। କିନ୍ତୁ, ଏବେ ଉତ୍ତର ପ୍ରଦେଶରେ ନିଷ୍ଠାର ସହ ଭିତ୍ତିଭୂମିର ବିକାଶ ଚାଲିଛି। ବହୁ ରାଜ୍ୟକୁ ଉତ୍ତର ପ୍ରଦେଶ ପଛରେ ପକାଇ ଦେଇଛି। ଭାବମୂର୍ତ୍ତି କ୍ଷେତ୍ରରେ ମଧ୍ୟ ତା’ର ପରିବର୍ତ୍ତନ ଘଟିଛି।

ଏଥିସହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସ୍‌ପ୍ରେସ୍‌ ୱେ ପାଖରେ ‘ଟୁରିଜିମ୍‌ ସର୍କିଟ୍‌’ ବିକାଶ କରିବା ଲାଗି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି। ସେ କହିଛନ୍ତି, ଏକ୍ସପ୍ରେସ୍‌ ୱେ ନିକଟରେ କେତେଗୁଡ଼ିଏ ଦୁର୍ଗ ଅଛି। ୟୁରୋପରେ ଦୁର୍ଗ ଥିବା ସ୍ଥାନ ସବୁ ପର୍ଯ୍ୟଟନ ଶିଳ୍ପରେ ପରିଣତ ହୋଇଛି। ଏହି ଦୁର୍ଗ ସବୁ ଦେଖିବାକୁ ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ଚମତ୍କାର ‘ଟୁରିଜିମ୍‌ ସର୍କିଟ୍‌’ ନିର୍ମାଣ କରିବା ଲାଗି ମୁଁ ଯୋଗୀଜୀଙ୍କ ସରକାରକୁ କହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe