Image Courtesy of Hindustan Times
ନୂଆଦିଲ୍ଲୀ: ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ସଂସ୍କାର ଆଣିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଏକ ମାସ ମଧ୍ୟରେ ୫୦ରୁ ଅଧିକ ବୈଠକ କରିଛନ୍ତି। କରୋନା ମହାମାରୀ ପାଇଁ ଦୈନିକ ଆଲୋଚନା ଏବଂ ସାଧାରଣ କାର୍ଯ୍ୟକ୍ରମର ଅନୁପସ୍ଥିତିରେ ମୋଦୀ ନିଜକୁ ଭର୍ଚୁଆଲ୍ ଆଲୋଚନାରେ ସାମିଲ କରାଇଛନ୍ତି। ପ୍ରତିଟି ବୈଠକ ପ୍ରାୟ ୨ ଘଣ୍ଟା ହୋଇଥାଏ ଏବଂ ବୈଠକରେ ଅତି ବେଶୀରେ ୧୦ ଜଣ ଅଂଶଗ୍ରହଣ କରିଥାନ୍ତି। ବିଭିନ୍ନ କ୍ଷେତ୍ରରେ ସଂସ୍କାର ଏବଂ ସୁଧାର ଆଣିବାପାଇଁ ମୋଦୀ ଏହି ଭର୍ଚୁଆଲ୍ ବୈଠକ କରିଛନ୍ତି। ଗରିବ ଏବଂ ମଧ୍ୟମ ବର୍ଗର ନାଗରିକଙ୍କ ଜୀବନକୁ ସହଜ କରିବାପାଇଁ ସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ଟିକସ ଏବଂ କଲ୍ୟାଣକାରୀ ନୀତି କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ଼ ଏବଂ ଟେକ୍ ନୋଲୋଜିର ବ୍ୟବହାର ନେଇ ବିଭିନ୍ନ ବୈଠକ ହୋଇଛି।
ପ୍ରଧାନମନ୍ତ୍ରୀ ଟିକସ ଆକଳନରେ ସ୍ବଚ୍ଛତା, ସ୍ଥାନୀୟ ସରକାରୀସ୍ତରରେ ଦକ୍ଷତା ବୃଦ୍ଧି ପାଇଁ ଟେକ୍ନୋଲୋଜି ବ୍ୟବହାର, ଗ୍ରାମୀଣ ଅଞ୍ଚଳରେ ଅନ୍ଲାଇନ୍ ପଢ଼ା ପାଇଁ ସୁବିଧା ସୁଯୋଗ ବୃଦ୍ଧି କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି। କରୋନା ମହାମାରୀ ସମୟରେ ଗ୍ରାମୀଣ ଅଞ୍ଚଳର ପିଲାମାନେ କିଭଳି ପାଠ ପଢ଼ିପାରିବେ ଏବଂ ଇଣ୍ଟରନେଟ୍ ଯୋଗାଯୋଗ ଅଧିକ ସହଜ ହେବ ସେ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି।
Follow Us