Image Courtesy of NDTV
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ତାଙ୍କ ଭାଷଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ନାମ ନେଇ ଗାନ୍ଧି ପରିବାର ଓ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ସେମାନେ ନେହରୁଙ୍କ ସିଧାସଳଖ ବଂଶଜ ହୋଇଥିଲେ ମଧ୍ୟ ତାଙ୍କ ସାଙ୍ଗିଆ କାହିଁକି ବ୍ୟବହାର କରୁନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ‘ମୁଁ ଖବରକାଗଜରେ ପଢ଼ିଛି ଯେ ୬୦୦ ସରକାରୀ ଯୋଜନା ଗାନ୍ଧି-ନେହରୁ ପରିବାର ନାମରେ ନାମିତ ହୋଇଥିଲା। ଏହା ସତ୍ତ୍ବେ ସେମାନେ ନେହରୁ ସାଙ୍ଗିଆ ନେବା ପାଇଁ ଡରୁଛନ୍ତି। ଯଦି ସେ (ଜବାହରଲାଲ ନେହରୁ) ଏତେ ମହାନ ତେବେ ତାଙ୍କ ସାଙ୍ଗିଆ ସେମାନେ (ଗାନ୍ଧି ପରିବାର) କାହିକି ବ୍ୟବହାର କରୁନାହାନ୍ତି। ଯଦି କୌଣସି କାର୍ଯ୍ୟକ୍ରମରେ ନେହରୁଙ୍କ ନାମ ମୁଁ ଛାଡ଼ି ଦେଇଥାଏ ତା’ହେଲେ ସେମାନେ ଗର୍ଜନ କରୁଛନ୍ତି, ସେମାନଙ୍କ ଲୋମ ଟାଙ୍କୁରି ଉଠୁଛି।
ନେହରୁଙ୍କ ନାମ ମୁଁ କେଉଁଠି ଛାଡ଼ି ଦେଇଥିଲେ ତାହାକୁ ସୁଧାରି ପାରିବି। କିନ୍ତୁ ମୁଁ ବୁଝିପାରୁନି ଯେ ତାଙ୍କ ନିଜ ପରିବାରର ନୂଆ ପିଢ଼ି ନେହରୁ ସାଙ୍ଗିଆ ରଖିବାକୁ ଡରୁଛନ୍ତି। ନେହରୁ ସାଂଜ୍ଞାକୁ ନେଇ ସେମାନଙ୍କୁ ଏତେ ଲଜ୍ଜା କାହିଁକି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ‘ଏତେ ବଡ଼ ବ୍ୟକ୍ତିତ୍ବ ଯଦି ଆପଣଙ୍କୁ (କଂଗ୍ରେସକୁ) ମଂଜୁର ନାହି ଓ ପରିବାର (ଗାନ୍ଧି ପରିବାରକୁ ମଂଜୁର ନାହିଁ ତାହେଲେ ଆପଣମାନେ ଆମକୁ କାହିଁକି ହିସାବ ମାଗୁଛନ୍ତି’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ ଭଳି ଏକ ମହାନ ରାଷ୍ଟ୍ର କୌଣସି ପରିବାରର ସମ୍ପତ୍ତି ନୁହେଁ ବୋଲି କହି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ଦଳ ଓ ଏହାର ଶାସନରେ ଥିବା ନେତାମାନେ ସମ୍ବିଧାନର ଧାରା ୩୫୬ର ଦୁରୁପଯୋଗ କରିଛନ୍ତି। ୯୦ ଥର ନିର୍ବାଚିତ ସରକାରର ପତନ ଘଟାଇଛନ୍ତି। ସେମାନେ କିଏ ବୋଲି ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଟାର୍ଗେଟ୍ କରି ପ୍ରଶ୍ନ କରିଛନ୍ତି।
Follow Us