ବାଇଡେନ ଦମ୍ପତିଙ୍କୁ ମୋଦୀଙ୍କ ସ୍ବତନ୍ତ୍ର ଉପହାର: ୧୦ ଉପନିଷଦ, ଦଶଦାନ, ଚନ୍ଦନକାଠ ବାକ୍ସ, ସବୁଜ ହୀରା

ବାଇଡେନ ଦମ୍ପତିଙ୍କୁ ମୋଦୀଙ୍କ ସ୍ବତନ୍ତ୍ର ଉପହାର: ୧୦ ଉପନିଷଦ, ଦଶଦାନ, ଚନ୍ଦନକାଠ ବାକ୍ସ, ସବୁଜ ହୀରା

ୱାସିଂଟନ: ଏକ ଚତୁର୍ଦିବସୀୟ ରାଷ୍ଟ୍ରୀୟ ଗସ୍ତରେ ଆମେରିକା ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ହ୍ବାଇଟ୍‌ ହାଉସ୍‌ରେ ପହଞ୍ଚିବା ପରେ ରାଷ୍ଟ୍ରପତି ଜୋ ବାଇଡେନ ଓ ପ୍ରଥମ ମହିଳା ଜିଲ ବାଇଡେନଙ୍କୁ ସ୍ବତନ୍ତ୍ର ଉପହାର ପ୍ରଦାନ କରିଛନ୍ତି। ସେ ବାଇଡେନଙ୍କୁ ‘ଦ ଟେନ୍ ପ୍ରିନ୍ସିପାଲ୍ ଉପନିଷଦଜ୍’ (୧୦ ପ୍ରମୁଖ ଉପନିଷଦ) ପୁସ୍ତକର ପ୍ରଥମ ସଂସ୍କରଣର ଏକ କପି ପ୍ରଦାନ କରିଥିଲେ, ଯାହା ଲଣ୍ଡନର ଫେବର ଆଣ୍ଡ୍ ଫେବର ଲିମିଟେଡ୍ ଦ୍ବାରା ପ୍ରକାଶ ପାଇଥିଲା। ୧୯୩୭ ମସିହାରେ ଡବ୍ଲୁବି ୟିଟ୍‌ସ ଭାରତୀୟ ଉପନିଷଦଗୁଡ଼ିକର ଇଂରାଜି ଅନୁବାଦ ପ୍ରକାଶ କରିଥିଲେ। ଶ୍ରୀ ପୁରୋହିତ ସ୍ବାମୀ ଏହାର ସହଲେଖକ ଥିଲେ। ୧୯୩୦ ଦଶକ ସାରା ସେମାନେ ଏହି ଅନୁବାଦ ଓ ପ୍ରକାଶନ କାର୍ଯ୍ୟ କରିଥିଲେ।

ଉପନିଷଦ ସହ ମୋଦୀ ବାଇଡେନ ଦମ୍ପତିଙ୍କୁ ଦେଇଥିଲେ ଏକ ଚନ୍ଦନକାଠର ବାକ୍ସ। ଏଥିରେ ଲତା, ଫୁଲ ଆଦିର ଅନେକ କମକୂଟ ହୋଇଥିଲା। ବାକ୍ସ ଭିତରେ ଏକ ଗଣେଶ ମୂର୍ତ୍ତି ଓ ରୁପାର ଦୀପ ଥିଲା। ଏହାକୁ କୋଲକାତାର ରୁପା-ବଣିଆଙ୍କ ପଞ୍ଚମ ପିଢ଼ି ତିଆରି କରିଥିଲେ। ଏହାଛଡ଼ା ମୋଦୀ ଚନ୍ଦନବାକ୍ସ ଭିତରେ ୧୦ଟି ପାତ୍ରରେ ୧୦ ପ୍ରକାର ସାମଗ୍ରୀ ରଖି ବାଇଡେନ ଦମ୍ପତିଙ୍କୁ ଉପହାର ଦେଇଥିଲେ। ଶାସ୍ତ୍ରରେ ‘ଦଶଦାନ’ର କଥା ଅଛି, ଯଥା: ଗୋଦାନ (ଗାଈ), ଭୂଦାନ (ଭୂମି), ତିଳଦାନ (ରାଶି), ହିରଣ୍ୟଦାନ (ସୁନା), ଘୃତଦାନ (ଘିଅ), ଧାନ୍ୟଦାନ (ଧାନ), ବସ୍ତ୍ରଦାନ (ଲୁଗା), ଗୁଡ଼ଦାନ (ଗୁଡ଼), ରୌପ୍ୟଦାନ (ରୁପା) ଓ ଲବଣଦାନ (ଲୁଣ)। ମୋଦୀ ବାକ୍ସ ଭିତରେ ଏକ ରୁପାର ନଡ଼ିଆ ରଖିଥିଲେ, ଯାହାକୁ ପଶ୍ଚିମବଙ୍ଗର କୁଶଳୀ କଳାକାର ତିଆରି କରିଛନ୍ତି।

ଗୋଦାନ ବଦଳରେ ସେ ଏହି ରୁପା ନଡ଼ିଆ ଦାନ କରିଥିଲେ। ସୁବାସିତ ଚନ୍ଦନକାଠ କର୍ଣ୍ଣାଟକର ମହୀଶୂରରୁ ଅଣାଯାଇଥିଲା, ଯାହାକୁ ଭୂମି ବଦଳରେ ମୋଦୀ ଦାନ କରିଥିଲେ। ଆଉ ଏକ ପାତ୍ରରେ ଥିଲା ଧଳାରାଶି (ତିଳଦାନ) ଯାହାକୁ ତାମିଲନାଡ଼ୁରୁ ଅଣାଯାଇଥିଲା। ଏକ ୨୪ କ୍ୟାରେଟ୍ ହଲମାର୍କ ବାଲା ସ୍ବର୍ଣ୍ଣମୁଦ୍ରା ମଧ୍ୟ ଏକ ପାତ୍ରରେ ରଖାଯାଇଥିଲା। ଏକ ୯୯.୫ ପ୍ରତିଶତ ଶୁଦ୍ଧ ହଲମାର୍କ ଥିବା ରୌପ୍ୟମୁଦ୍ରା ମଧ୍ୟ ବାକ୍ସରେ ଥିଲା, ଯାହାକୁ ରାଜସ୍ଥାନର କଳାକାର ତିଆରି କରିଥିଲେ। ଲବଣଦାନ ପାଇଁ ଗୁଜରାଟରୁ ଲୁଣ ଅଣାଯାଇଥିଲା। ଏଥିସହ ପ୍ରଧାନମନ୍ତ୍ରୀ ମୋଦୀ ଲାବରେଟୋରିରେ ବିକଶିତ କରାଯାଇଥିବା ଏକ ୭.୫ କ୍ୟାରେଟର ସବୁଜ ହୀରା ପ୍ରଥମ ମହିଳା ଜିଲ ବାଇଡେନଙ୍କୁ ଉପହାର ଦେଇଥିଲେ। ଏଥିରେ ଖଣିରୁ ଖୋଳାଯାଇଥିବା ପ୍ରାକୃତିକ ହୀରାର ସବୁ ଗୁଣ ରହିଛି। ଅପରପକ୍ଷେ ବାଇଡେନ ଦମ୍ପତି ମୋଦୀଙ୍କୁ ମଧ୍ୟ ଏକ ହାତତିଆରି ଏକବିଂଶ ଶତାବ୍ଦୀର ପ୍ରାଚୀନ ଆମେରିକୀୟ ବୁକ୍ ଗ୍ୟାଲେରୀ ଓ ଭିଣ୍ଟେଜ ଆମେରିକୀୟ କ୍ୟାମେରା ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe