ମୋଦୀଙ୍କ ଲଦାଖ ଗସ୍ତ, ଚୀନ୍‌ ପାଇଁ ବଡ଼ ଚେତାବନୀ

ଚୀନ୍‌ର ପ୍ରତିକ୍ରିୟା: ଆମକୁ ବିସ୍ତାରବାଦୀ କହିବା ଭିତ୍ତିହୀନ

ଲଦାଖରେ ପ୍ରଥମ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟକୁ ମଞ୍ଜୁର କଲେ ମୋଦୀ

Image Courtesy of Hindustan Times

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଚାନକ ଲଦାଖ୍‌ର ଲେହ ଅଂଚଳ ଗସ୍ତ କରି ଆଗୁଆ ଘାଟି ପରିଦର୍ଶନ କରିବା ଏବଂ ଗଲୱାନ ସଂଘର୍ଷରେ ଆହତ ଯବାନଙ୍କୁ ଭେଟିବା ଚୀନ୍‌ ପାଇଁ ଏକ ବଡ଼ ସାମରିକ ଏବଂ କୂଟନୈତିକ ବାର୍ତ୍ତା ଦେଇଛି। ଚୀନ୍‌ର ସାମରିକ ଶକ୍ତି ଆଗରେ ଭାରତ ମୁଣ୍ଡ ନୁଆଁଇବ ନାହିଁ ଏବଂ ଚୀନ୍‌ ପଟୁ ସାମାନ୍ୟ ଅତିକ୍ରମଣକୁ ମଧ୍ୟ ଭାରତ ବରଦାସ୍ତ କରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଗଲୱାନରେ ଘଟିଥିବା ସଂଘର୍ଷରେ ଭାରତ ୨୦ ଜଣ ଯବାନଙ୍କୁ ହରାଇଥିବା ବେଳେ ଚୀନ୍‌ ଆଜି ପର୍ଯ୍ୟନ୍ତ ନିଜ ସୈନିକଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ପ୍ରକାଶ କରିବାକୁ ସାହସ କରିପାରୁ ନାହିଁ। ବିଭିନ୍ନ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଚୀନ୍‌ର ଅତିକମ୍‌ରେ ୪୦ ଜଣ ସୈନିକ ପ୍ରାଣ ହରାଇଛନ୍ତି। ଚୀନ୍‌ ମୃତ୍ୟୁ ସଂଖ୍ୟା ଘୋଷଣା କଲେ ଯେଉଁ ସରକାରୀ ବିରୋଧୀ ସ୍ବର ଉଠିବ ତାହା ଜଟିଳ ସ୍ଥିତି ସୃଷ୍ଟି କରିବ ବୋଲି ଚୀନ୍‌ କମ୍ୟୁନିଷ୍ଟ ପାର୍ଟି ଆଶଙ୍କା କରୁଛି।

ଆଜି ପ୍ରଧାନମନ୍ତ୍ରୀଙ୍କ ଲେହ ଗସ୍ତ ନେଇ ଚୀନ୍‌ ବିଦେଶ ମନ୍ତ୍ରାଳୟ ଏବଂ ଚୀନ୍‌ ଦୂତାବାସ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ କୌଣସି ପକ୍ଷ ଉତ୍ତେଜନା ବଢ଼ାଇବା ଭଳି ପଦକ୍ଷେପ ଗ୍ରହଣ କରିବା ଉଚିତ ନୁହେଁ। ଆମକୁ ବିସ୍ତାରବାଦୀ କହିବା ମଧ୍ୟ ଭିତ୍ତିହୀନ। ଚୀନ୍‌ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଝାଓ ଲିଜିଆନ୍‌ କହିଛନ୍ତି, ଏଲ୍‌ଏସିରେ ଉତ୍ତେଜନା ହ୍ରାସ ପାଇଁ ଲଗାତାର ପ୍ରୟାସ ଚାଲିଛି। ଉଭୟ ଦେଶ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ସାମରିକ ଏବଂ କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିଛି ବୋଲି ସେ କହିଛନ୍ତି। ଭାରତ ନିଜର ଅଖଣ୍ଡତାକୁ ରକ୍ଷା କରିବା ପାଇଁ ଅତି କଠୋର ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି ଆଜି ପ୍ରଧାନମନ୍ତ୍ରୀ ଚୀନ୍‌କୁ ଯେଉଁ ବାର୍ତ୍ତା ଦେଇଛନ୍ତି ତାହା ଚୀନ୍‌ର ବିସ୍ତାରବାଦୀ ଯୋଜନାରେ ଅଙ୍କୁଶ ଲଗାଇବ ବୋଲି ଆଶା କରାଯାଉଛି। ଚୀନ୍‌ ଏଲ୍‌ଏସିରେ ସ୍ଥିତାବସ୍ଥା ବଦଳାଇବା ପାଇଁ କରୁଥିବା ପ୍ରୟାସକୁ ଭାରତ ଯେଭଳି ପ୍ରବଳ ପ୍ରତିରୋଧ କରିଛି ତାହାକୁ ଏବେ ବିଶ୍ବବ୍ୟାପୀ ସମର୍ଥନ ମିଳୁଛି। ଅଷ୍ଟ୍ରେଲିଆ, ଜାପାନ, ଆମେରିକା ଆଦି ରାଷ୍ଟ୍ର ଚୀନ୍‌ର ବିସ୍ତାରବାଦୀ ନୀତିକୁ କଡ଼ା ସମାଲୋଚନା କରିଥିବା ବେଳେ କରୋନା ମହାମାରୀ ସମୟରେ ଚୀନ୍‌ର ଏଭଳି ଷଡ଼୍‌ଯନ୍ତ୍ରକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe