ମୋଦୀଙ୍କ ୟୁକ୍ରେନ ଗସ୍ତ ଆଜି, ସାରା ବିଶ୍ବର ନଜର: ପୋଲାଣ୍ଡ ରାଷ୍ଟ୍ରପତିଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା

Advertisment

ୟୁକ୍ରେନ, ପଶ୍ଚିମ ଏସିଆ ସ୍ଥିତି ଚିନ୍ତାଜନକ

ୟୁକ୍ରେନ, ପଶ୍ଚିମ ଏସିଆ ସ୍ଥିତି ଚିନ୍ତାଜନକ

ମୋଦୀଙ୍କ ୟୁକ୍ରେନ ଗସ୍ତ ଆଜି, ସାରା ବିଶ୍ବର ନଜର: ପୋଲାଣ୍ଡ ରାଷ୍ଟ୍ରପତିଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା

ୱାରସା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ୨ ଦିନିଆ ପୋଲାଣ୍ଡ ଗସ୍ତରେ ଅଛନ୍ତି। ସେ ଆସନ୍ତାକାଲି ୟୁକ୍ରେନ ଗସ୍ତ କରିବେ। ମୋଦୀଙ୍କର ଏହି ଗସ୍ତ ଉପରେ ସାରା ବିଶ୍ବର ନଜର ରହିଛି। ଗତକାଲି ସନ୍ଧ୍ୟାରେ ପୋଲାଣ୍ଡ ରାଜଧାନୀ ୱାରସାରେ ପହଞ୍ଚିଥିବା ମୋଦୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଭାରତୀୟ ବଂଶୋଦ୍ଭବ ସଦସ୍ୟ ମଧ୍ୟ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ତାଙ୍କୁ ସ୍ବାଗତ କରିଥିଲେ। ମୋଦୀ ଆଜି ଗସ୍ତର ଦ୍ବିତୀୟ ଦିନରେ ପୋଲାଣ୍ଡ ରାଷ୍ଟ୍ରପତି ଆନ୍ଦ୍ରେଜ ଡୁଡ଼ା ଏବଂ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ୱାରସାରେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ମୋଦୀ କହିଛନ୍ତି, ଭାରତ ଏବଂ ପୋଲାଣ୍ଡ ମିଳିତ ସହଯୋଗରେ ଅନ୍ତର୍ଜାତୀୟ ମଞ୍ଚରେ ଆଗକୁ ବଢ଼ୁଛନ୍ତି।

ମୋଦୀ ଏହି ସମୟରେ ଜାତିସଂଘ ଏବଂ ଅନ୍ୟ ଅନ୍ତର୍ଜାତୀୟ ଅନୁଷ୍ଠାନରେ ସଂସ୍କାର ପାଇଁ ଗୁରୁତ୍ବାରୋପ କରିଛନ୍ତି। ବିଭିନ୍ନ ବୈଶ୍ବିକ ଚ୍ୟାଲେଞ୍ଜଗୁଡ଼ିକୁ ସାମ୍ନା କରିବାପାଇଁ ଜାତିସଂଘ ଓ ଅନ୍ୟାନ୍ୟ ଅନ୍ତର୍ଜାତୀୟ ଅନୁଷ୍ଠାନରେ ସଂସ୍କାର ଆସିବା ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି। ଉଭୟ ମୋଦୀ ଏବଂ ତାଙ୍କ ପୋଲାଣ୍ଡ ପ୍ରତିପକ୍ଷ ଏଥିରେ ରାଜି ବୋଲି ସେ କହିଛନ୍ତି । ମୋଦୀ ଆଜି ୱାରସାରେ ଅଜଣା ସୈନିକଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବାପରେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ କହିଛନ୍ତି, ଭାରତର ପ୍ରତିରକ୍ଷା ଆଧୁନିକୀକରଣ କାର୍ଯ୍ୟରେ ଅଂଶଗ୍ରହଣ କରିବାପାଇଁ ପୋଲାଣ୍ଡ ପ୍ରସ୍ତୁତ।

ୟୁକ୍ରେନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲିଆ ତାଇମୋଶେଙ୍କୋ କହିଛନ୍ତି, ମୋଦୀ ହେଉଛନ୍ତି ଜଣେ କିଂବଦନ୍ତି ନେତା। ୟୁକ୍ରେନରେ ଶାନ୍ତି ପାଇଁ ତାଙ୍କ ଗସ୍ତ ଗୁରୁତ୍ବପୂର୍ଣ୍ଣ। ଅନ୍ୟପକ୍ଷେ ଯୁଦ୍ଧ ସଂକ୍ରାନ୍ତରେ ଟିପ୍ପଣୀ ରଖି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ୟୁକ୍ରେନ ଏବଂ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଉତ୍ତେଜନା ଆମ ସମସ୍ତଙ୍କ ପାଇଁ ବଡ଼ ଚିନ୍ତାର କାରଣ। ଭାରତ ଏହା ବିଶ୍ବାସ କରେ ‌ଯେ ଯୁଦ୍ଧ କ୍ଷେତ୍ରରେ କୌଣସି ସମସ୍ୟାର ସମାଧାନ ହୋଇପାରିବନି। ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବାପାଇଁ ଆମେ କଥାବାର୍ତ୍ତା ଏବଂ କୂଟନୈତିକ ଉପାୟକୁ ସମର୍ଥନ କରୁଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe