ମହମ୍ମଦ ଜୁବୈରଙ୍କୁ ସମସ୍ତ ୬ଟି ମାମଲାରେ ଜାମିନ: ୨୪ ଦିନ ପରେ ଜେଲ୍‌ରୁ ମୁକୁଳିଲେ

Advertisment
ମହମ୍ମଦ ଜୁବୈରଙ୍କୁ ସମସ୍ତ ୬ଟି ମାମଲାରେ ଜାମିନ: ୨୪ ଦିନ ପରେ ଜେଲ୍‌ରୁ ମୁକୁଳିଲେ

Image Courtesy of India Today

ନୂଆଦିଲ୍ଲୀ: ଅଲ୍ଟ ନ୍ୟୁଜ୍‌ ସହ ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ଆଜି ସୁପ୍ରିମକୋର୍ଟରେ ବଡ଼ ଆଶ୍ବସ୍ତି ମିଳିଛି। ଜୁବୈରଙ୍କ ବିରୋଧରେ ଉତ୍ତରପ୍ରଦେଶରେ ରୁଜୁ ହୋଇଥିବା ସମସ୍ତ ୬ଟି ମାମଲାରେ ତାଙ୍କୁ ଆଜି ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ମଂଜୁର କରିଛନ୍ତି। ଜୁବୈରଙ୍କ ଆବେଦନର ଶୁଣାଣି କରୁଥିବା ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି, ଜୁବୈରଙ୍କୁ ପୂର୍ବରୁ ଦିଲ୍ଲୀ କୋର୍ଟ ଜାମିନ ମଂଜୁର କରିଥିବା ବେଳେ ତାଙ୍କୁ ଜେଲ୍‌ରେ ରଖିବା ଯୁକ୍ତିଯୁକ୍ତ ନୁହେଁ। କୋର୍ଟ କହିଛନ୍ତି, ସଂଯମ ରକ୍ଷା କରି ଗିରଫ କ୍ଷମତା ବ୍ୟବହାର କରିବା ଉଚିତ। ଜୁବୈର ପଟିଆଲା ହାଉସ୍‌ କୋର୍ଟ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ୨୦,୦୦୦ ଟଙ୍କା ବେଲ୍‌ ବଣ୍ଡ୍‌ ଦାଖଲ କରିବାପରେ ତାଙ୍କୁ ତୁରନ୍ତ ଛାଡ଼ିବା ପାଇଁ କୋର୍ଟ ତିହାର ଜେଲ ସୁପରିନଟେଣ୍ଡେଣ୍ଟ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜୁବୈର ୨୪ ଦିନ ପରେ ଆଜି ରାତି ୯ଟା ସମୟରେ ଜେଲ୍‌ରୁ ମୁକୁଳିଛନ୍ତି। କୋର୍ଟ ଜୁବୈରଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ଥିବା ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିଛନ୍ତି।

ଜୁବୈରଙ୍କ ଟ୍ବିଟ୍‌ର ତଦନ୍ତ ପାଇଁ ଉତ୍ତରପ୍ରଦେଶ ସରକାର ଗଠନ କରିଥିବା ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌)କୁ କୋର୍ଟ ଅନାବଶ୍ୟକ କହି ଭାଙ୍ଗି ଦେଇଛନ୍ତି। ତେବେ ସମସ୍ତ ଏତଲାକୁ ଏକାଠି ଜଣେ କର୍ତ୍ତୃପକ୍ଷ ତଦନ୍ତ କରିବା ଠିକ୍‌ ବୋଲି କୋର୍ଟ କହିଛନ୍ତି। ଜୁବୈର ମଧ୍ୟ ଏନେଇ ପୂର୍ବରୁ କୋର୍ଟରେ ଆବେଦନ କରିଥିଲେ। କୋର୍ଟ କହିଛନ୍ତି, ଦିଲ୍ଲୀ ପୁଲିସ ଉକ୍ତ ମାମଲାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଉଚିତ। ତେବେ ଜୁବୈର ତାଙ୍କ ବିରୋଧରେ ଥିବା ସମସ୍ତ ଏତଲା କିମ୍ବା ଯେକୌଣସି ଏତଲା ରଦ୍ଦ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇପାରିବେ ବୋଲି କୋର୍ଟ କହିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ ହେଉଛି କୋର୍ଟ କହିଛନ୍ତି, କେବଳ ଟ୍ବିଟ୍‌ ପ୍ରସଙ୍ଗରେ ହିଁ ଭବିଷ୍ୟତରେ ଜୁବୈରଙ୍କ ବିରୋଧରେ ଯଦି ଏତଲା ରୁଜୁ ହୁଏ ତେବେ ତାଙ୍କୁ ଆଶ୍ବସ୍ତି ମିଳିବ। ଏହାର ଅର୍ଥ ଭବିଷ୍ୟତରେ ଜୁବୈରଙ୍କ ବିରୋଧରେ ଯେକୌଣସି ସ୍ଥାନରେ ଏତଲା ରୁଜୁ ହେବ ତାହା ଦିଲ୍ଲୀ ପୁଲିସକୁ ସ୍ଥାନାନ୍ତର ହୋଇପାରିବ।

ଶୁଣାଣି ସମୟରେ ଉତ୍ତରପ୍ରଦେଶ ସରକାରଙ୍କ ଓକିଲ କୋର୍ଟରେ କହିଥିଲେ, ଜୁବୈରଙ୍କ ଟ୍ବିଟ୍‌ ଉପରେ ରୋକ୍‌ ଲଗାଯାଉ। କିନ୍ତୁ ସରକାରଙ୍କ ଅନୁରୋଧକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। କୋର୍ଟ କହିଥିଲେ, ଜୁବୈରଙ୍କୁ ଟ୍ବିଟ୍‌ କରିବାରୁ ବାରଣ କରିବାର ଅର୍ଥ ହେଉଛି ଜଣେ ଓକିଲଙ୍କୁ ଯୁକ୍ତି ବାଢ଼ିବାପାଇଁ ମନା କରିବା। ଜଣେ ସାମ୍ବାଦିକଙ୍କୁ କିଭଳି ଭାବେ ଲେଖିବାପାଇଁ ମନା କରାଯାଇପାରିବ। ଯଦି ସେ ଆଇନର ଉଲ୍ଲଂଘନ କରିବେ ତେବେ ସେ ଆଇନ ପାଖରେ ଉତ୍ତରଦାୟୀ ରହିବେ। କିନ୍ତୁ ଜଣେ ବ୍ୟକ୍ତି ଯେତେବେଳେ ନିଜର ସ୍ବର ଉତ୍ତୋଳନ କରୁଛନ୍ତି ତାଙ୍କ ବିରୋଧରେ ଆଗୁଆ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe