Supreme Court notice to Shami
କୋଲକାତା: ଭାରତୀୟ ଦଳକୁ ଫେରିବାକୁ ଯୁଝୁଥିବା ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ରଣଜୀ ଟ୍ରଫିରେ ଭଲ ପ୍ରଦର୍ଶନ ସତ୍ତ୍ବେ ଅଜିତ ଅଗରକରଙ୍କ ନେତୃତ୍ବାଧୀନ ଜାତୀୟ ଚୟନ ସମିତି ତାଙ୍କୁ ଭାରତୀୟ ଦଳ ଲାଗି ବିଚାରକୁ ନେଉ ନାହାନ୍ତି। ସେପଟେ ପତ୍ନୀ ହସିନ ଜାହାଁ ତାଙ୍କୁ ଗୋଟିଏ ପରେ ଗୋଟିଏ ଆଇନଗତ ମାମଲାରେ ଛନ୍ଦିବାରେ ଲାଗି ପଡ଼ିଛନ୍ତି। ସାମିଙ୍କ ବିରୋଧରେ ଦାୟର କରିଥିବା ଘରୋଇ ହିଂସା ଓ କ୍ଷତିପୂରଣ ମାମଲାର ବିଚାର କୋଲକାତାରୁ ଦିଲ୍ଲୀକୁ ସ୍ଥାନାନ୍ତର କରିବା ନେଇ ହସିନ ଏବେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।
ସୁପ୍ରିମକୋର୍ଟ ସାମିଙ୍କୁ ନୋଟିସ୍ ଜାରି କରିଛନ୍ତି
ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ଆବେଦନକୁ ଗ୍ରହଣ କରି ସାମିଙ୍କୁ ନୋଟିସ୍ ଜାରି କରିଛନ୍ତି। ମାନ୍ୟବର ବିଚରପତି ମନୋଜ ମିଶ୍ର ଓ ଉଜ୍ଜ୍ବଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଠପୀଠ ଏହି ନୋଟିସ୍ ଜାରି କରିବା ସହ ସାମି ଓ ପଶ୍ଚିମବଙ୍ଗ ସରକାରଙ୍କୁ ଏହି ବିଷୟରେ ତୁରନ୍ତ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ହସିନଙ୍କ ଦାବିକୁ ଗ୍ରହଣ କଲେ ଏହି ମାମଲାରେ ଏବେ ସାମିଙ୍କୁ କୋଲକାତା ପରିବର୍ତ୍ତେ ଦିଲ୍ଲୀ ଦୌଡ଼ାଦୌଡ଼ି କରିବାକୁ ହେବ। ହସିନ ନିଜ ଓକିଲଙ୍କ ମାଧ୍ୟମରେ ଯୁକ୍ତି କରିଛନ୍ତି ଯେ ସାମି ଜଣେ ପେସାଦାର କ୍ରିକେଟର୍ ହୋଇଥିବାରୁ ସାରା ଦେଶରେ ମ୍ୟାଚ୍ ଓ ପ୍ରଶିକ୍ଷଣ ପାଇଁ ଭ୍ରମଣ କରୁଛନ୍ତି। ଏଣୁ ଦିଲ୍ଲୀ ଆସିବାରେ ତାଙ୍କର କିଛି ଅସୁବିଧା ହେବନାହିଁ।
ସେହିଭଳି ସେ ଉତ୍ତର ପ୍ରଦେଶରେ ରହୁଥିବାରୁ ମାମଲା ଲଢ଼ିବାକୁ କୋଲକାତା ଅପେକ୍ଷା ଦିଲ୍ଲୀ ଯିବା ଆସିବା କରିବା ତାଙ୍କ ପାଇଁ ସହଜ ହେବ ବୋଲି ମଧ୍ୟ ହସିନ କହିଛନ୍ତି। ଏହା ପୂର୍ବରୁ କୋଲକାତା ଉଚ୍ଚ ନ୍ୟାୟାଳୟ ଭରଣପୋଷଣ ବାବଦରେ ମାସିକ ୪ ଲକ୍ଷ ଟଙ୍କା ଦେବାକୁ ସାମି ଦେଇଥିବା ନିର୍ଦ୍ଦେଶର ପୁନର୍ବିଚାର କରି ଏହାକୁ ୧୦ ଲକ୍ଷ ଟଙ୍କାକୁ ବଢ଼ାଇବାକୁ ବି ହାସିନ ସୁପ୍ରିମକୋର୍ଟଙ୍କ ନିକଟରେ ଦାବି କରି ସାରିଛନ୍ତି। ସୂଚନାଯୋଗ୍ୟ ଯେ ହସିନ ଓ ସାମି ଦୀର୍ଘ ଦିନ ହେବ ଛାଡ଼ପତ୍ପୋଇଁ ଆଇନଗତ ଲଢ଼େଇ ଲଢ଼ୁଛନ୍ତି। ଉଭୟଙ୍କର ଝିଅଟିଏ ଥିଲା ବେଳେ ସାମିଙ୍କ ବିରୋଧରେ ହସିନ ଅନେକ ସମୟରେ ଘରୋଇ ହିଂସା ଅଭିଯୋଗ ଆଣି ସାରିଛନ୍ତି।
ଆହୁରି ପଢ଼ନ୍ତୁ: Pak cricketer's ex-wife calls him a murderer: ପାକିସ୍ତାନୀ କ୍ରିକେଟର୍ ଇମଦଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ
Follow Us