Mohan government exempts beef from GST: Congress threatens agitation
ଭୋପାଳ: ମଧ୍ୟପ୍ରଦେଶରେ ଗୋମାଂସକୁ ନେଇ ଏକ ନୂତନ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଏକ ଗେଜେଟ୍ ବିଜ୍ଞପ୍ତି, ଗୋମାଂସକୁ ଜିଏସଟି ମୁକ୍ତ କରିବା ନେଇ ରିପୋର୍ଟ ହୋଇଛି। ରାଜନୈତିକ ମହଲରେ ଏନେଇ ଝଡ଼ ସୃଷ୍ଟି ହୋଇଛି। ରାଜ୍ୟ କଂଗ୍ରେସ ସଭାପତି ଜିତୁ ପଟୱାରୀ ଏହି ନିଷ୍ପତ୍ତି ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି ଏବଂ ସରକାର ଗୋମାଂସ ରପ୍ତାନିକୁ ପ୍ରୋତ୍ସାହିତ କରୁଥିବାର ଅଭିଯୋଗ କରିଛନ୍ତି। ସେ ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଗାଈ ପ୍ରତି ଭକ୍ତି ଉପରେ ସିଧାସଳଖ ଆକ୍ରମଣ ବୋଲି କହିଛନ୍ତି ଏବଂ ଏହି ପ୍ରସଙ୍ଗରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଘୋଷଣା କରିଛନ୍ତି।
ମଧ୍ୟପ୍ରଦେଶ ବାଣିଜ୍ୟିକ ଟିକସ ବିଭାଗ ସେପ୍ଟେମ୍ବର ୧୮ ତାରିଖରେ ଜିଏସଟି ହାର ହ୍ରାସ କରି ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିବା ପରେ ବିବାଦ ଆରମ୍ଭ ହୋଇଥିଲା। ଜିତୁ ପଟୱାରୀ ଦାବି କରିଥିଲେ ଯେ, ଏହି ବିଜ୍ଞପ୍ତି ଗୋମାଂସକୁ ଜିଏସଟିରୁ ମୁକ୍ତ କରିଛି। ସେ ଏକ ସାମ୍ବାଦିକ ସମ୍ମିଳନୀରେ ପଚାରିଥିଲେ ଯେ, ଜଣେ ମୁଖ୍ୟମନ୍ତ୍ରୀ ଯିଏ ନିଜକୁ ଗୋ ଭକ୍ତ ବୋଲି ଦାବି କରୁଛନ୍ତି ତାଙ୍କ ଶାସନରେ ଏପରି ନିଷ୍ପତ୍ତି କିପରି ନିଆଯାଇପାରିଲା। ପଟୱାରୀ ଅଭିଯୋଗ କରିଛନ୍ତି,ବିଶ୍ୱବ୍ୟାପୀ ଗୋମାଂସ ରପ୍ତାନିକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଯାହା ବିଜେପି ସରକାରଙ୍କ କଥା ଏବଂ କାମ ମଧ୍ୟରେ ଥିବା ପାର୍ଥକ୍ୟକୁ ପ୍ରକାଶ କରିଥିବା ସେ କହିଛନ୍ତି।
କଂଗ୍ରେସର ଅଭିଯୋଗ ପରେ, ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେପି ରାଜ୍ୟ ସଭାପତି ହେମନ୍ତ ଖଣ୍ଡେଲୱାଲ କହିଛନ୍ତି ଯେ, ସେ ଅନେକ ଥର ଜିଏସଟି ତାଲିକା ପଢ଼ିଛନ୍ତି, କିନ୍ତୁ ସେ ଏପରି କିଛି ବୁଝିପାରି ନାହାନ୍ତି। ଏହି ସମୟରେ, ବିଜେପି ବିଧାୟକ ରାମେଶ୍ୱର ଶର୍ମା କଂଗ୍ରେସକୁ ସମାଲୋଚନା କରି କହିଛନ୍ତି, କଂଗ୍ରେସ ଗୋ ଚୋରାଚାଲାଣକାରୀଙ୍କ ସହ ହାତ ମିଳାଇଛି। ସେ ଜିତୁ ପଟୱାରୀଙ୍କୁ ମନେ ପକାଇ ଦେଇଛନ୍ତି ଯେ, ବିଜେପି ସରକାର ୨୦୦୪ ମସିହାରେ ଗୋ ହତ୍ୟା ବନ୍ଦ କରିବା ପାଇଁ ଏକ ଆଇନ ପ୍ରଣୟନ କରିଥିଲେ। ଶର୍ମା ପାଲଟା ଜବାବ ଦେଇଛନ୍ତି, କମଲନାଥ ସରକାର ସମୟରେ କଂଗ୍ରେସ ଗୋ ଚୋରାଚାଲାଣକାରୀଙ୍କ ସପକ୍ଷରେ ଆଇନ ପ୍ରଣୟନ କରୁଥିଲା, ତେଣୁ ଜିତୁ ଗୋ ହତ୍ୟା ଉପରେ ପ୍ରଚାର କରିବା ଉଚିତ୍ ନୁହେଁ।
କଂଗ୍ରେସ ଏବେ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । ଜିତୁ ପଟୱାରୀ ଘୋଷଣା କରିଛନ୍ତି ଯେ, କଂଗ୍ରେସ ଦଳ କୌଣସି ମୂଲ୍ୟରେ ଗୋହତ୍ୟା କରିବାକୁ ଦେବ ନାହିଁ। ଏହି ନିଷ୍ପତ୍ତିର ପ୍ରତିବାଦରେ ସେପ୍ଟେମ୍ବର ୨୬ଏବଂ ୨୭ ତାରିଖରେ ସାରା ମଧ୍ୟପ୍ରଦେଶରେ ଏକ ବିଶାଳ ପ୍ରତିବାଦ କରାଯିବ। ଏହି ପ୍ରତିବାଦର ଏକ ଅଂଶ ସ୍ୱରୂପ, କଂଗ୍ରେସ କର୍ମୀମାନେ ଗୋ ଆଶ୍ରୟସ୍ଥଳ ପରିଦର୍ଶନ କରିବେ ଏବଂ ରାସ୍ତାରେ ବୁଲୁଥିବା ଗୋରୁମାନଙ୍କୁ ଧରି କଲେକ୍ଟରଙ୍କ କାର୍ଯ୍ୟାଳୟକୁ ନେଇଯିବେ। ପଟୱାରୀ ଏହା ମଧ୍ୟ ଦାବି କରିଛନ୍ତି ଯେ, ଯଦି ଗୋମାଂସ ଉପରେ ଜିଏସଟି ଶୂନକୁ ହ୍ରାସ କରାଯାଇଛି, ତେବେ ଗତ ଆଠ ବର୍ଷ ମଧ୍ୟରେ ସଂଗୃହିତ ସମସ୍ତ ଜିଏସଟି ଅର୍ଥ ଫେରସ୍ତ କରାଯିବା ଉଚିତ୍।
Follow Us