Image Courtesy of Knowledia
ଜୟପୁର: ସଂଗୃହୀତ ପ୍ରମାଣଗୁଡ଼ିକୁ ଗୋଟାଏ ମାଙ୍କଡ଼ ନେଇ ପଳାଇଯାଇଛି ବୋଲି ଏକ ନରହତ୍ୟା ମାମଲାର ଶୁଣାଣି କରୁଥିବା ଅଦାଲତରେ ଅଜବ କୈଫିୟତ୍ ଦେଇଛି ରାଜସ୍ଥାନ ପୁଲିସ। ପୁଲିସ ହେପାଜତରୁ ମାଙ୍କଡ଼ ନେଇ ପଳାଇଥିବା ପ୍ରମାଣ ସାମଗ୍ରୀ ମଧ୍ୟରେ ଗୋଟାଏ ଛୁରି ଥିବା କଥା ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁସାରେ, ୨୦୧୬ ସେପ୍ଟେମ୍ବର ମାସରେ ରାଜସ୍ଥାନର ରାଜଧାନୀ ଜୟପୁରର ଚାନ୍ଦୱାଜି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଶଶୀକାନ୍ତ ଶର୍ମାଙ୍କ ମୃତ୍ୟୁ ଘଟଣା ପୁଲିସ ତଦନ୍ତ କରୁଛି। ତାଙ୍କର ଶବ ମିଳିବା ୩ ଦିନ ପୂର୍ବରୁ ସେ ନିଖୋଜ ହୋଇ ଯାଇଥିଲେ। ଶର୍ମାଙ୍କ ପରିବାର ଅଭିଯୋଗ କରିଥିଲେ କି, ତାଙ୍କୁ ହତ୍ୟା କରାଯାଇଛି। ଶବ ଉଦ୍ଧାର ପରେ ଦିଲ୍ଲୀ-ଜୟପୁର ରାଜପଥ ମଧ୍ୟ ଅବରୋଧ କରି ପ୍ରତିବାଦ କରାଯାଇଥିଲା।
ପ୍ରତିବାଦ ପ୍ରଦର୍ଶନର ୫ ଦିନ ପରେ ପୁଲିସ ରାହୁଲ୍ ଏବଂ ମୋହନଲାଲ୍ କାଣ୍ଡେରାଙ୍କୁ ପୁଲିସ ଗିରଫ କରିଥିଲା। ଉଭୟେ ଚାନ୍ଦୱାଜିର ବାସିନ୍ଦା। ଦୁହିଁଙ୍କୁ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ଙ୍କ ଅଦାଲତରେ ହାଜର କରାଯାଇଥିଲା।
 Image Courtesy of Zee Newsଥାନା ‘ଅଡିଟରି’ରେ ଜାଗା ନ ଥିବାରୁ ହତ୍ୟାରେ ବ୍ୟବହୃତ ଅସ୍ତ୍ର ସମେତ ସମସ୍ତ ପ୍ରମାଣ ଥିବା ବ୍ୟାଗ୍ଟିକୁ ଥାନା ପରିସରରେ ଥିବା ଗୋଟାଏ ଗଛମୂଳେ ରଖାଯାଇଥିଲା।
ସେବେଠାରୁ ଅଦାଲତରେ ବହୁ ପର୍ଯ୍ୟାୟ ଦେଇ ଉକ୍ତ ମାମଲାର ବିଚାର ଚାଲିଥିଲା। ନିକଟରେ ପ୍ରମାଣ ଉପସ୍ଥାପନ ନିମନ୍ତେ ଅଦାଲତ କହିବାରୁ ପୁଲିସ କହିଲା କି, ସେଗୁଡ଼ିକୁ ମାଙ୍କଡ଼ଟାଏ ଚୋରାଇ ନେଇଛି।।
ଛୁରି ବ୍ୟତିରେକେ, ଉକ୍ତ ବସ୍ତାରେ ହତ୍ୟାକାଣ୍ଡ ସହ ସମ୍ପୃକ୍ତ ଥିବା ଆଉ ୧୫ଟି ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଥିଲା। ସେମାନେ ସଂଗ୍ରହ କରିଥିବା ପ୍ରମାଣ ଚୋରି ହୋଇଯାଇଛି ବୋଲି ନିମ୍ନ ଅଦାଲତରେ ପୁଲିସ ଦାଖଲ କରିଥିବା ଲିଖିତ ବିବୃତିରେ ଉଲ୍ଲେଖ କରିଛି।
ଏଥିରେ ଉତ୍କ୍ଷିପ୍ତ ହୋଇ ଅଦାଲତ ପୁଲିସକୁ ନୋଟିସ ଜାରି କରିବା ପରେ ପୁଲିସ ବିଭାଗ ଥାନାର ଜଣେ ଦାୟିତ୍ବହୀନ କନେଷ୍ଟବଳଙ୍କୁ ଏଥିପାଇଁ ଦାୟୀ କରିଥିଲା। ପୁଲିସ ଆହୁରି ମଧ୍ୟ କହିଛି ଯେ, ଘଟଣା ପରେ ସେ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଥିଲା। ପରେ ସେ ଚାକିରିରୁ ଅବସର ଗ୍ରହଣ କରିଥିଲେ ଓ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
  
 Follow Us