Image Courtesy: News Nation
ନୂଆଦିଲ୍ଲୀ: କିଛି ଦେଶରେ ମଙ୍କିପକ୍ସ ମାମଲାର ରିପୋର୍ଟ ମିଳିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଏବଂ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର)କୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି ବୋଲି ସରକାରୀ ସୂତ୍ରରୁ ପ୍ରକାଶ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିମାନବନ୍ଦର ଏବଂ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛି ବୋଲି ଏହି ସୂତ୍ରରୁ ଜାଣିବାକୁ ମିଳିଛି।
ଏକ ସରକାରୀ ସୂତ୍ରରୁ ପ୍ରକାଶ, ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ମଙ୍କିପକ୍ସ ପ୍ରଭାବିତ ଦେଶକୁ ଭ୍ରମଣ ଇତିହାସ ଥିବା ସମସ୍ତ ଅସୁସ୍ଥ ଯାତ୍ରୀଙ୍କୁ ବିଚ୍ଛିନ୍ନ କରି ରଖାଯାଉ ଏବଂ ସେମାନଙ୍କ ନମୁନାକୁ ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ବିଏସଏଲ୪ ପରୀକ୍ଷା ପାଇଁ ପଠାଯାଉ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଏବଂ ଆଇସିଏମଆରକୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ସଂପ୍ରତି ବ୍ରିଟେନ, ଆମେରିକା, ପର୍ତ୍ତୁଗାଲ, ସ୍ପେନ ଏବଂ ଅନ୍ୟ କେତେକ ୟୁରୋପୀୟ ଦେଶରୁ ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଛି। ମଣିଷ ଠାରେ, ମଙ୍କିପକ୍ସର ଲକ୍ଷଣଗୁଡ଼ିକ ସ୍ମଲପକ୍ସ (ହାଡ଼ଫୁଟି) ତୁଳନାରେ ସମାନ କିନ୍ତୁ ମୃଦୁ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଅନୁଯାୟୀ, ମଙ୍କିପକ୍ସ ସାଧାରଣତଃ ଜ୍ୱର, ଦାଗ ଏବଂ ଫୁଲି ଯାଇଥିବା ଲିମ୍ଫ ନୋଡ୍ (ଫୋଟକା ସଦୃଶ) ସହିତ ମଣିଷ ଠାରେ ପ୍ରକାଶ ପାଇଥାଏ ଏବଂ ଏହା ପରବର୍ତ୍ତୀ ସମୟରେ ଅନେକ ଡାକ୍ତରୀ ଜଟିଳତା ସୃଷ୍ଟି କରିପାରେ। ମଙ୍କିପକ୍ସ ସାଧାରଣତଃ ଏକ ଆତ୍ମ-ସୀମିତ ରୋଗ ଯାହା ଦୁଇରୁ ଚାରି ସପ୍ତାହ ପର୍ଯ୍ୟନ୍ତ ଲକ୍ଷଣ ସହିତ ରୋଗୀ ସହ ରହିଥାଏ। ତେବେ, ମଙ୍କିପକ୍ସ ଭୂତାଣୁ କ୍ଷତ, ଶରୀରର ତରଳ ପଦାର୍ଥ, ଶରୀରର ଦୂଷିତ ପଦାର୍ଥ ସହିତ ଘନିଷ୍ଠ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ବ୍ୟକ୍ତିଙ୍କୁ ସଂକ୍ରମିତ ହୁଏ ବୋଲି ହୁ କହିଛି।
Follow Us