Image Courtesy of AP News
ନୂଆଦିଲ୍ଲୀ : ମଙ୍କିପକ୍ସ ମାମଲା ଦ୍ରୁତ ଗତିରେ ବ୍ୟାପୁଛି। ୨୦ ରାଷ୍ଟ୍ରରେ ୨୦୦ରୁ ଅଧିକ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ବିଭିନ୍ନ ରାଷ୍ଟ୍ରରେ ଏହାର ଦ୍ରୁତ ସଂକ୍ରମଣ ହେଉଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାର ଗୋଷ୍ଠୀ ସଂକ୍ରମଣ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଆମେରିକା ଏବଂ ୟୁରୋପରେ ଅଧିକ ମଙ୍କିପକ୍ସ ମାମଲା ଦେଖାଦେଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ଏବଂ ମଧ୍ୟପ୍ରାଚ୍ୟରେ ବି ସଂକ୍ରମଣ ବଢ଼ୁଛି। ଆୟରଲାଣ୍ଡ୍ରେ ଶନିବାର ଦିନ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ଆର୍ଜେଣ୍ଟିନାରେ ଶୁକ୍ରବାର ଦିନ ୨ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ଫିନଲାଣ୍ଡରେ ଶୁକ୍ରବାର ଦିନ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ବେଳେ ଇଟାଲିରେ ମଙ୍କିପକ୍ସ ମାମଲା ୧୨ରେ ପହଞ୍ଚିଛି ବୋଲି ଇଟାଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ଉତ୍ତର ଆମେରିକାର କାନାଡ଼ାରେ ୧୦ ନୂଆ ମଙ୍କିପକ୍ସ ମାମଲା ଚିହ୍ନଟ ହେବା ସହ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୬ରେ ପହଞ୍ଚିଛି। ଅନ୍ୟପକ୍ଷେ ଆମେରିକାର ୭ ରାଜ୍ୟରେ ୯ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ମଙ୍କିପକ୍ସ ପଶ୍ଚିମ ଏବଂ କେନ୍ଦ୍ରୀୟ ଆଫ୍ରିକାର ୧୧ ରାଷ୍ଟ୍ରରେ ସାଧାରଣ ରୋଗରେ ପରିଣତ ହୋଇଛି। ୧୯୫୮ରେ ପ୍ରଥମେ ଏହି ଭାଇରସ୍ ଚିହ୍ନଟ ହୋଇଥିଲା। ତେବେ ୧୯୭୦ରେ ପ୍ରଥମେ ମଣିଷଙ୍କଠାରେ ଏହି ଭାଇରସ୍ ଚିହ୍ନଟ ହେଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ମଙ୍କିପକ୍ସ ଏକ ସାଧାରଣ ରୋଗରେ ପରିଣତ ହୋଇଥିବା ୧୧ ରାଷ୍ଟ୍ର ବାଦ୍ ଅନ୍ୟ ରାଷ୍ଟ୍ରମାନଙ୍କରେ ଏହାର ୨୧୯ଟି ମାମଲା ଚିହ୍ନଟ ହୋଇଛି। ତେବେ ଆଗକୁ ସଂକ୍ରମଣ ଅତି ଦ୍ରୁତ ଗତିରେ ମାଡ଼ିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ଅଧିକାଂଶ ମାମଲା ସମଲିଙ୍ଗୀଙ୍କ ଠାରେ ଦେଖିବାକୁ ମିଳୁଛି। ବ୍ରିଟେନ୍ରେ ପ୍ରଥମ ମଙ୍କିପକ୍ସ ମାମଲା ମେ’ରେ ଚିହ୍ନଟ ହୋଇଥିଲା। ଏଯାବତ ବ୍ରିଟେନ୍ରେ ମୋଟ୍ ୯୦ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ସ୍ପେନ୍ରେ ମୋଟ୍ ୯୮ଟି ମାମଲା ଓ ପର୍ତୁଗାଲ୍ରେ ୭୪ ମାମଲା ଚିହ୍ନଟ ହୋଇଛି।
Follow Us