Image Courtesy of India Today
ନୂଆଦିଲ୍ଳୀ: କେରଳରେ ୫ମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ବେଳେ ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ଏହା ପୂର୍ବରୁ ଷଷ୍ଠ ମଙ୍କିପକ୍ସ ମାମଲା ରାଜଧାନୀ ଦିଲ୍ଲୀରେ ଚିହ୍ନଟ ହୋଇଥିଲା। ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଦେଶରେ ଗତକାଲି ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଛି। ଧୀରେ ଧୀରେ ସଂକ୍ରମଣ ବୃଦ୍ଧି ପାଇବା ପରେ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି ହେବାକୁ ଲାଗିଛି। କେରଳରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା କଥା କେରଳର ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଏହି ୩୦ ବର୍ଷୀୟ ନୂଆ ଆକ୍ରାନ୍ତଙ୍କୁ ମାଲପୁରମ୍ରେ ଚିକିତ୍ସା କରାଯାଉଛି।
ଉଲ୍ଲେଖଯୋଗ୍ୟ, ଦେଶରେ ପ୍ରଥମ ମଙ୍କିପକ୍ସ ମୃତ୍ୟୁ ହେବା ପରେ ମଙ୍କିପକ୍ସକୁ ନେଇ ଭୟ ବଢ଼ିଛି। ନିକଟରେ ୟୁଏଇରୁ କେରଳ ଫେରିଥିବା ଜଣେ ଯୁବକଙ୍କର ଗତ ଶନିବାର ଦିନ ମୃତ୍ୟୁ ହୋଇଥିଲା। ଦେଶରେ ପ୍ରଥମ ମଙ୍କିପକ୍ସ ମୃତ୍ୟୁ ହେବାପରେ କେନ୍ଦ୍ର ସରକାର ଯୁଦ୍ଧ କାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିଛନ୍ତି। ମଙ୍କିପକ୍ସ ମାମଲାର ଯାଞ୍ଚ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଜି ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରିଛି। ନିତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ)ଭିକେ ପଲ୍ ଏହି ଟାସ୍କ ଫୋର୍ସର ମୁଖ୍ୟ ଏବଂ ଏହାର ସଦସ୍ୟମାନଙ୍କ ମଧ୍ୟରେ ମନ୍ତ୍ରାଳୟର ଅଧିକାରୀ ଅଛନ୍ତି। ଦେଶର ପ୍ରମୁଖ ଡାକ୍ତରଖାନା ଏବଂ ଗବେଷଣା ଅନୁଷ୍ଠାନର ପ୍ରତିନିଧି ମଧ୍ୟ ଏଥିରେ ଅଛନ୍ତି। ଦେଶରେ ମଙ୍କିପକ୍ସ ସଂକ୍ରମଣର ଉତ୍ତମ ମୁକାବିଲା ଦିଗରେ ଏହି ଟାସ୍କ ଫୋର୍ସ ସହଯୋଗ କରିବ। ଟାସ୍କ ଫୋର୍ସ ମଧ୍ୟ ଆବଶ୍ୟକ ସ୍ଥଳେ ରାଜ୍ୟମାନଙ୍କୁ ପରାମର୍ଶ ଦେବ।
Follow Us