ମାଙ୍କଡ଼ ହାତରୁ ଦେଶୀ ବୋମା ପଡ଼ି ୩ ଜଣ ସାଙ୍ଘାତିକ ଆହତ

Advertisment
ମାଙ୍କଡ଼ ହାତରୁ ଦେଶୀ ବୋମା ପଡ଼ି ୩ ଜଣ ସାଙ୍ଘାତିକ ଆହତ

କାନପୁର: ଗୁରୁବାର ଦିନ ଫତେପୁର ଅନ୍ତର୍ଗତ ମନୁ କା ପୁର୍‌ଓ୍ଵା ଅଞ୍ଚଳରେ ମାଙ୍କଡ଼ମାନେ ଗଡ଼ମା ବା ସୂତୁଲି ବୋମା ଥିବା ଏକ ପଲିଥିନ୍‌ ମୁଣା ପକାଇ ଦେବାରୁ ଗୋଟିଏ ପିଲା ସମେତ ତିନି ଜଣ ସାଙ୍ଘାତିକ ଆହତ ହୋଇଛନ୍ତି।

ପଲିଥିନ୍‌ ମୁଣାରେ ଥିବା ସେ ବୋମାଗୁଡ଼ିକ କୋଣସି ଜିନିଷରେ ପିଟି ହୋଇଗଲେ ବା ପଡ଼ିଗଲେ ଶୂନ୍‌ଫଟକା ପରି ଫୁଟେ।

ପୋଡ଼ା ଓ ଖଣ୍ଡିଆ ଘା’ ଯୋଗୁଁ ଆହତ ହୋଇଥିବା ସେ ଲୋକମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା।

publive-image
ଖବର ଅନୁସାରେ,୬୦ ବର୍ଷିୟ ଗୁଲାବ ଗୁପ୍ତ ଏବଂ ତାଙ୍କର ୫ ବର୍ଷିୟ ନାତି ସମ୍ରାଟ୍‌ ନିଜ ଘର ପାଖରେ ସ୍କୁଲ୍‌ ବସ୍‌କୁ ଅପେକ୍ଷା କରି ଛିଡ଼ା ହୋଇଥିବା ବେଳେ ତାଙ୍କ ଉପରେ ବୋମା ପଡ଼ିଥିଲା। ମାଙ୍କଡ଼ମାନେ ପଲିଥିନ୍‌ ମୁଣା ପକାଇ ଦେବାରୁ କାନରୁ ଅତଡ଼ା ଖସିବା ପରି ଶବ୍ଦ ହୋଇଥିଲା। ଫଳରେ ସେଠାରେ ସ୍କୁଲ୍‌ ବସ୍‌କୁ ଅପେକ୍ଷା କରିଥିବା ଜେଜେ ଓ ନାତି ଏବଂ ଜଣେ ପଥଚାରୀ ସାଙ୍ଘାତିକ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ସେଠାକୁ ଧାଇଁ ଯାଇ ସେ ତିନି ଜଣଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ। ପରେ ପରେ ସେମାନେ ପୁଲିସରେ ମଧ୍ୟ ଖବର ଦେଇଥିଲେ।

ସମ୍ଭବତଃ ସେ ମାଙ୍କଡ଼ପଲ ଆବର୍ଜନା ଗଦାରୁ ଦେଶୀ ବୋମା ଥିବା ପଲିଥିନ୍‌ ମୁଣାଟି ଗୋଟାଇ ଆଣିଥିଲେ। ଗୋଟାଏ ଘରର ଟେରାସ୍‌ ଉପରେ ଡିଅାଁକୁଦା କରୁ କରୁ ହଠାତ୍‌ ପଲିଥିନ୍‌ ମୁଣାଟି ତାଙ୍କ ହାତରୁ ଖସି ପୀଡ଼ିତମାନଙ୍କ ଉପରେ ପଡ଼ିଯାଇଛି ବୋଲି ପୁଲିସ କହିଛି। ପୀଡ଼ିତମାନେ ବିପଦମୁକ୍ତ ବୋଲି ଡାକ୍ତରମାନେ କହିଛନ୍ତି। କିନ୍ତୁ ସମ୍ରାଟ୍‌ ଦେହରେ ଅଧିକ ପୋଡ଼ା ଘା’ ସୃଷ୍ଟି ହୋଇଛି।

ଯଥାଶୀଘ୍ର ମାଙ୍କଡ଼ମାନଙ୍କୁ ଠାବ କରି ଧରିବାକୁ ମ୍ୟୁନିସ୍‌ପାଲିଟିକୁ ଖବର ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe