The Prime Minister, Shri Narendra Modi and other leaders of various parties in both the Houses of Parliament, at the all-party meeting, on the eve of the Monsoon Session 2018, at Parliament House, in New Delhi on July 17, 2018.
ନୂଆଦିଲ୍ଲୀ: ବୁଧବାରଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ମଙ୍ଗଳବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ସୁପରିଚାଳନା ପାଇଁ ସବୁ ଦଳର ସହଯୋଗ କାମନା କରିଛନ୍ତି। ଦଳଗୁଡ଼ିକ ଏ ନେଇ ସହମତି ଜଣାଇଥିବା ମଧ୍ୟ ସରକାରଙ୍କ ସୂତ୍ରରୁ ଜାଣିବାକୁ ମିଳିଛି। ଅନ୍ୟପକ୍ଷରେ ବଜେଟ୍ ଅଧିବେଶନର ଗୃହକାର୍ଯ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ବାଧାପ୍ରାପ୍ତ ହୋଇଥିଲା ବେଳେ ଏଥରର ମୌସୁମୀ ଅଧିବେଶନ ବି ଧୋଇଯିବା ଆଶଙ୍କା କରାଯାଉଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ସମଗ୍ର ରାଷ୍ଟ୍ର ଚାହୁଛି ସଂସଦର ପ୍ରତ୍ୟେକ କାର୍ଯ୍ୟ ଦିବସ ବେକାର ନ ଯାଉ। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିତର୍କ ହେଉ ଏବଂ ବିଧେୟକଗୁଡ଼ିକ ମଞ୍ଜୁରି ଲାଭ କରୁ। ଦେଶର ସ୍ୱାର୍ଥ ସହ ଜଡ଼ିତ ପ୍ରତ୍ୟେକଟି ଘଟଣା ଉପରେ ବିତର୍କ ହେଉ ବୋଲି ଜନତା ଚାହୁଛନ୍ତି। ତେଣୁ ସରକାର ଆଇନ ପରିସରରେ ଆସୁଥିବା ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି। ତେଣୁ ଦେଶର ତଥା ଜନତାଙ୍କ ସ୍ୱାର୍ଥ ନିମନ୍ତେ ସରକାର ସବୁ ଦଳର ସହଯୋଗ କାମନା କରିଥିବା ସେ ଦର୍ଶାଇଛନ୍ତି। ଏମିତି କି ଦଳଗୁଡ଼ିକ ମଧ୍ୟ ସବୁ କାର୍ଯ୍ୟରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା କୁମାର କହିଛନ୍ତି।
ଅପରପକ୍ଷରେ ଉକ୍ତ ବୈଠକରେ ବିରୋଧୀ ଦଳ ନେତାମାନେ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। ବିଶେଷକରି ଉଚ୍ଚଶିକ୍ଷା ଓ ନିଯୁକ୍ତିରେ ଏସ୍ସି/ଏସ୍ଟିଙ୍କ ପାଇଁ ସଂରକ୍ଷଣ ଏବଂ ଭିଡ଼ ହିଂସା ନିୟନ୍ତ୍ରଣ ସକାଶେ ନୂଆ ଆଇନ ଆଣିବା ଉପରେ ଆଲୋଚନା କରିଥିଲେ। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସରକାର ଅନ୍ତତଃ ଭିଡ଼ହିଂସା ରୋକିବା ଲାଗି ପଦକ୍ଷେପ ନେବା ଉଚିତ ବୋଲି ସେମାନେ ଦର୍ଶାଇଥିଲେ।
ସହଯୋଗ ପାଇଁ ବିଜେଡିର ପ୍ରତିଶ୍ରୁତି
ନୂଆଦିଲ୍ଲୀ: ଆସନ୍ତାକାଲି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଗୃହ ପରିଚାଳନାରେ ସହଯୋଗ କରିବା ଲାଗି ବିଜେଡି ପ୍ରତିଶ୍ରୁତି ଦେଇଛି। ମଙ୍ଗଳବାର ସଂସଦର ଲାଇବ୍ରେରି ବିଲ୍ଡିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଲୋକସଭାରେ ବିଜେଡି ନେତା ଭର୍ତ୍ତୃହରି ମହତାବ ଓ ରାଜ୍ୟସଭାରେ ବିଜେଡିର ନେତା ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇ ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ଦଳ ପକ୍ଷରୁ ସବୁ ସହଯୋଗ କରାଯିବ ବୋଲି କହିଥିଲେ। ସଂସଦକୁ ସୁରୁଖୁରୁରେ ଚଳାଇବା ଉଭୟ ଶାସକ ଓ ବିରୋଧୀ ଦଳଗୁଡ଼ିକର ରାଷ୍ଟ୍ରୀୟ କର୍ତ୍ତବ୍ୟ ବୋଲି ଅନେକ ନେତା ମତପୋଷଣ କରିଥିଲେ। ସର୍ବଦଳୀୟ ବୈଠକ ଶେଷରେ ‘ସମ୍ବାଦ’କୁ ସୂଚନା ଦେଇ ବିଜେଡିର ରାଜ୍ୟସଭା ନେତା ପ୍ରସନ୍ନ ଆଚାର୍ଯ୍ୟ କହିଲେ ଯେ ସାଂସଦମାନେ ଗୃହକାର୍ଯ୍ୟକୁ ସୁରୁଖୁରୁରେ ଚଳାଇବାରେ ସହଯୋଗ କଲେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରିବ। ତେଣୁ ଗୃହ କାର୍ଯ୍ୟ ଠିକ୍ରେ ଚାଲୁ ବୋଲି ବିଜେଡି ଚାହୁଛି। ଅନ୍ୟପକ୍ଷରେ ଆଜିର ସର୍ବଦଳୀୟ ବୈଠକରେ ଦଳ ପକ୍ଷରୁ କୌଣସି ପ୍ରସଙ୍ଗ ଉପସ୍ଥାପନ କରାଯାଇ ନ ଥିଲା। କିନ୍ତୁ ଗୃହ କାର୍ଯ୍ୟ ଚାଲିବା ପରେ ଦଳର ସାଂସଦମାନେ ବିଭିନ୍ନ ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରସନ୍ନ କହିଥିଲେ।
Follow Us