Outlook India
ନୂଆଦିଲ୍ଲୀ: ଦେଶରେ କୋଭିଡ୍ର ତୃତୀୟ ଲହରରେ ଦ୍ରୁତ ସଂକ୍ରମଣ ଜାରି ରହିଛି। ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟା ମଧ୍ୟରେ ୨,୬୮,୮୩୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୪୦୨ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ତୁଳନାରେ ଆଜି ୪,୬୩୧ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି। ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ଟପିଯାଇଛି। ଗତକାଲି ତୁଳନାରେ ଓମିକ୍ରନ୍ ସଂକ୍ରମଣ ମାମଲାରେ ୫.୦୧ ପ୍ରତିଶତ ବୃଦ୍ଧି ହୋଇଛି। ଅନ୍ୟପକ୍ଷେ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୪,୮୫,୭୫୨ରେ ପହଞ୍ଚିଛି। ଦିନକରେ ଦେଶରେ ସକ୍ରିୟ ମାମଲାରେ ୧,୪୫,୭୪୭ ବୃଦ୍ଧି ହୋଇଛି। ମୋଟ୍ ସକ୍ରିୟ ମାମଲା ୧୪,୧୭,୮୨୦ ରହିଛି। ସକ୍ରିୟ ମାମଲା ୨୨୩ ଦିନରେ ସର୍ବାଧିକ ଥିବା ବେଳେ ଏହା ମୋଟ୍ ସଂକ୍ରମଣ ମାମଲାର ୩.୮୫ ପ୍ରତିଶତ।
ଗତ ୨୪ ଘଣ୍ଟାରେ ଦେଶରେ ୧,୨୨,୬୮୪ ଜଣ କରୋନାରୁ ସୁସ୍ଥ ହେବା ସହ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩,୪୯,୪୭,୩୯୦କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ଜାତୀୟ ଆରୋଗ୍ୟ ହାର ୯୪.୮୩ ପ୍ରତିଶତ ରହିଛି। ଦୈନିକ ପଜିଟିଭ୍ ହାର ୧୬.୬୬ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍ ହାର ୧୨.୮୪ ପ୍ରତିଶତରେ ପହଞ୍ଚିଛି। କରୋନା ଯୋଗୁଁ ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ଆଜି ୪୩,୨୧୧ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ୍ ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୭୧,୨୪,୨୭୮ ରହିଛି। ମହାରାଷ୍ଟ୍ରରେ ସକ୍ରିୟ ମାମଲା ୨,୬୫,୩୮୭ ରହିଛି। କର୍ଣ୍ଣାଟକରେ ଗତକାଲି ସଂକ୍ରମଣ ମାମଲା ୨୮,୭୨୩ ଥିବାବେଳେ ଦିଲ୍ଲୀରେ ୨୪,୩୮୩, ତାମିଲନାଡ଼ୁରେ ୨୩,୪୫୯ ଏବଂ ପଶ୍ଚିମବଙ୍ଗରେ ୨୨,୬୪୫ ମାମଲା ରହିଛି। ଦୈନିକ ନୂଆ ମାମଲାର ୫୨.୯୭ ପ୍ରତିଶତ ଉକ୍ତ ୫ ରାଜ୍ୟରେ ରହିଛି। ମହାରାଷ୍ଟ୍ରରେ କେବଳ ୧୬.୦୭ ପ୍ରତିଶତ ନୂଆ ମାମଲା ରହିଛି।
ମହାରାଷ୍ଟ୍ରରେ ଡେଲ୍ଟା ଏବେ ବି ପ୍ରଭାବୀ ପ୍ରଜାତି
ମୁମ୍ବାଇ: ଓମିକ୍ରନ୍ ଆତଙ୍କ ଖେଳାଇ ଥିଲେ ସୁଦ୍ଧା ମହାରାଷ୍ଟ୍ରରେ ଡେଲ୍ଟା ଏବେ ବି ପ୍ରଭାବୀ ପ୍ରଜାତି ହୋଇ ରହିଛି। ରାଜ୍ୟରେ ଚିହ୍ନଟ ହେଉଥିବା ମାତ୍ରାଧିକ ମାମଲା ଡେଲ୍ଟା ବୋଲି ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଡାକ୍ତର ପ୍ରଦୀପ ବ୍ୟାସ ତାଙ୍କ ସହକର୍ମୀମାନଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ, ଆକଳନ କରାଯାଇଥିବା ୪,୨୦୦ରୁ ଅଧିକ ନମୁନାରୁ ୬୮ ପ୍ରତିଶତ ନମୁନାରେ ଡେଲ୍ଟା ପ୍ରଜାତି ଚିହ୍ନଟ ହୋଇଛି। ଅନ୍ୟ ୩୨ ପ୍ରତିଶତ ରୋଗୀ ଓମିକ୍ରନ୍ ଆକ୍ରାନ୍ତ ହୋଇଛନ୍ତି । ମହାମାରୀର ଦ୍ବିତୀୟ ଲହରରେ ଡେଲ୍ଟା ଆତଙ୍କ ଖେଳାଇ ଦେଇଥିଲା। ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରନ୍ ଡିସେମ୍ବର ପ୍ରଥମ ସପ୍ତାହରେ ଭାରତରେ ବ୍ୟାପିବା ଆରମ୍ଭ କଲା। ଶୁକ୍ରବାର ରାତି ସୁଦ୍ଧା ମହାରାଷ୍ଟ୍ରରେ ୧୬୦୫ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି। ଡାକ୍ତର ବ୍ୟାସ କହିଛନ୍ତି, ଗତବର୍ଷ ନଭେମ୍ବର ୧ରୁ ୪,୨୬୫ କୋଭିଡ ରୋଗୀଙ୍କ ନମୁନା ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା। ୪,୨୦୧ ମାମଲାର ଫଳ ପ୍ରକାଶ ପାଇଛି। ଏଥିମଧ୍ୟରୁ ୧୩୬୭ ମାମଲାରେ ଓମିକ୍ରନ୍ ପ୍ରଜାତି ଚିହ୍ନଟ ହୋଇଛି। ଏହା ୩୨ ପ୍ରତିଶତ ଏବଂ ଅନ୍ୟ ୬୮ ପ୍ରତିଶତ ମାମଲାରେ ଡେଲ୍ଟା ପ୍ରଜାତି ଚିହ୍ନଟ ହୋଇଛି।
Follow Us