୨୪ ଘଣ୍ଟାରେ ୨୦ରୁ ଅଧିକ ବିମାନକୁ ବୋମା ଧମକ: ଚଳିତ ସପ୍ତାହରେ ୭୦ଟି ମିଥ୍ୟା କଲ୍

ଗତ ୨୪ ଘଣ୍ଟା ମଧ୍ୟରେ ଭାରତୀୟ ବିମାନ କମ୍ପାନି ଦ୍ୱାରା ପରିଚାଳିତ ୨୦ରୁ ଅଧିକ ବିମାନକୁ ବୋମା ଧମକ ମିଳିଥିବାରୁ ନାଗରିକ ବିମାନ ସେବାରେ ଗୁରୁତର ବିଭ୍ରାଟ ଦେଖାଦେଇଛି। ଏଭଳି ଧମକ ଯୋଗୁଁ ସୁରକ୍ଷା ଯାଞ୍ଚ ଜାରି ରହିଥିବା ବେଳେ ଉଡ଼ାଣରେ ପରିବର୍ତ୍ତନ କରାଯାଇଛି।

gdjgdgjgjgj

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତୀୟ ବିମାନ କମ୍ପାନି ଦ୍ୱାରା ପରିଚାଳିତ ୨୦ରୁ ଅଧିକ ବିମାନକୁ ବୋମା ଧମକ ମିଳିଥିବାରୁ ନାଗରିକ ବିମାନ ସେବାରେ ଗୁରୁତର ବିଭ୍ରାଟ ଦେଖାଦେଇଛି। ଏଭଳି ଧମକ ଯୋଗୁଁ ସୁରକ୍ଷା ଯାଞ୍ଚ ଜାରି ରହିଥିବା ବେଳେ ଉଡ଼ାଣରେ ପରିବର୍ତ୍ତନ କରାଯାଇଛି। ଆଜି ଇଣ୍ଡିଗୋ ଓ ଆକାଶ ଏୟାର୍‌ର ୫ଟି ଲେଖାଏଁ ବିମାନକୁ ଧମକ ମିଳିଥିବା ବେଳେ ଭିସ୍ତାରାର ୩ଟି ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସର ଗୋଟିଏ ବିମାନକୁ ମଧ୍ୟ ଟାର୍ଗେଟ କରାଯାଇଛି।

ଶନିବାର ସକାଳେ ଭିସ୍ତାରା ଏୟାରଲାଇନ୍ସର ୩ଟି ଅନ୍ତର୍ଜାତୀୟ ବିମାନକୁ ବୋମା ଧମକ ମିଳିଥିବା ବେଳେ ସମସ୍ତ ବିମାନକୁ ଯାଞ୍ଚ ପରେ ଏହା ମିଥ୍ୟା ପ୍ରମାଣିତ ହୋଇଥିଲା। ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଭିସ୍ତାରା ବିମାନକୁ ଫ୍ରାଙ୍କଫର୍ଟକୁ ଡାଇଭର୍ଟ କରାଯାଇଥିଲା। ସେଠାରେ ଯାଞ୍ଚ ପରେ କୌଣସି ବିପଦ ନଥିବା ଜଣାପଡ଼ିବା ପରେ ବିମାନଟି ପୁନଃଉଡ଼ାଣ ଆରମ୍ଭ କରିଥିଲା। ଧମକ ପାଇଥିବା ଅନ୍ୟ ଦୁଇଟି ଭିସ୍ତାରା ବିମାନ ଜାତୀୟ ରାଜଧାନୀରୁ ପ୍ୟାରିସ୍ ଏବଂ ହଂକଂ ଅଭିମୁଖେ ଯାତ୍ରା କରୁଥିଲା। ଦିଲ୍ଲୀରୁ ପ୍ୟାରିସ୍ ଯାଉଥିବା ବିମାନ ୟୁକେ-୨୧ ସୁରକ୍ଷିତ ଭାବେ ପ୍ୟାରିସ୍-ଚାର୍ଲସ୍ ଡି ଗାଲ୍ ବିମାନବନ୍ଦରରେ ଅବତରଣ କରିଥିଲା। ସେହିପରି ହଂକଂ ଅଭିମୁଖେ ଯାତ୍ରା କରୁଥିବା ବିମାନ ୟୁକେ-୧୬୧ ହଂକଂ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା।

ଦୁବାଇରୁ ଜୟପୁର ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନରେ ୧୮୯ ଜଣ ଯାତ୍ରୀ ଥିବାବେଳେ ଇମେଲ୍ ଜରିଆରେ ବୋମା ଧମକ ମିଳିଥିଲା। ଜୟପୁର ବିମାନ ବନ୍ଦରରେ ବ୍ୟାପକ ଯାଞ୍ଚ କରାଯାଇଥିଲେ ମଧ୍ୟ କିଛି ସନ୍ଦେହଜନକ ବସ୍ତୁ ମିଳିନଥିଲା। ଧମକ ପାଇଥିବା ଇଣ୍ଡିଗୋ ବିମାନଗୁଡ଼ିକ ମଧ୍ୟରେ ମୁମ୍ବାଇରୁ ଇସ୍ତାନବୁଲକୁ ଚଳାଚଳ କରୁଥିବା ୬ଇ ୧୭, ଦିଲ୍ଲୀରୁ ଇସ୍ତାନବୁଲକୁ ଚଳାଚଳ କରୁଥିବା ୬ଇ ୧୧ ଏବଂ ଯୋଧପୁରରୁ ଦିଲ୍ଲୀକୁ ଚଳାଚଳ କରୁଥିବା ୬ଇ ୧୮୪ ବିମାନ ରହିଛି। ଶୁକ୍ରବାର ବେଙ୍ଗାଲୁରୁରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଏହାର କ୍ୟୁପି ୧୩୬୬ ବିମାନ ଉଡ଼ାଣର କିଛି ସମୟ ପୂର୍ବରୁ ବୋମା ଧମକ ନେଇ ମିଥ୍ୟା କଲ୍‌ ପାଇଥିଲା। ଗତ ସପ୍ତାହରେ ବିଭିନ୍ନ ଏୟାରଲାଇନ୍ସକୁ ପ୍ରାୟ ୭୦ଟି ମିଥ୍ୟା କଲ୍ ଆସିଥିଲା। ଏ ବାବଦ ସମସ୍ତ ଧମକପୂର୍ଣ୍ଣ କଲ, ଇମେଲ ଏବଂ ସୋସିଆଲ ମିଡିଆ ପୋଷ୍ଟ୍‌ ମିଥ୍ୟା ପ୍ରମାଣିତ ହୋଇଥିବା ବେଳେ ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି।

ଏହି ନକଲି ଧମକର ସମସ୍ତ ଉତ୍ସକୁ ଠାବ କରିବା ପାଇଁ ତଦନ୍ତ ଜାରି ରହିଛି ଏବଂ ସାଇବର କ୍ରାଇମ୍‌ ୟୁନିଟ୍‌ର ଏକ ସ୍ବତନ୍ତ୍ର ଶାଖା ମଧ୍ୟ ଏହି ତଦନ୍ତରେ ସାମିଲ ହୋଇଛି। ଅକ୍ଟୋବର ୧୪ରେ ମୁମ୍ବାଇରୁ ଆସୁଥିବା ୩ଟି ବିମାନକୁ ଧମକ ଦେବା ଅଭିଯୋଗରେ ଛତିଶଗଡ଼ର ଜଣେ ୧୭ ବର୍ଷୀୟ ବାଳକକୁ ମୁମ୍ବାଇ ପୁଲିସ ଅଟକ ରଖିଥିଲା। ଯେଉଁ ଫୋନ୍‌ରୁ ଏହି ଧମକ ଦିଆଯାଇଥିଲା ତାହାର କିଛି ଆଇପି ଠିକଣା ଲଣ୍ଡନ ସମେତ ବିଦେଶୀ ସ୍ଥାନରେ ଠାବ କରାଯାଇଥିଲା। ପୁଲିସର ବିଭିନ୍ନ ଟିମ୍ ଭର୍ଚୁଆଲ୍ ପ୍ରାଇଭେଟ୍ ନେଟ୍‌ଵାର୍କ (ଭିପିଏନ୍) ସେବା ପ୍ରଦାନକାରୀ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ସହ ଯୋଗାଯୋଗ କରି ବିପଦପୂର୍ଣ୍ଣ ବାର୍ତ୍ତା ସମ୍ପର୍କରେ ସୂଚନା ମାଗିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବୋମା ଧମକକୁ ରୋକିବା ପାଇଁ କଠୋର ନିୟମ ଲାଗୁ କରିବାକୁ ଯୋଜନା କରିଛି ଏବଂ ଖୁବ୍‌ଶୀଘ୍ର ଏ ବାବଦ ନୂଆ ନୀତି ଘୋଷଣା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe