ବାଲ୍ୟ ବିବାହ ବିରୋଧରେ ୪ ହଜାରରୁ ଅଧିକ ମାମଲା ରୁଜୁ

ଆସାମରେ ମାତୃ ଓ ଶିଶୁ ମୃତ୍ୟୁହାର ସର୍ବାଧିକ

ବାଲ୍ୟ ବିବାହ ବିରୋଧରେ ୪ ହଜାରରୁ ଅଧିକ ମାମଲା ରୁଜୁ

ଗୁଆହାଟୀ: ଆସାମର ହିମନ୍ତ ବିଶ୍ବଶର୍ମା ସରକାର ବାଲ୍ୟ ବିବାହ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଏହାକୁ ନେଇ ରାଜ୍ୟରେ ମିଶ୍ର ପ୍ରତିକ୍ରିୟା ଓ ଉତ୍ତେଜନା ଦେଖିବାକୁ ମିଳିଛି। ଫେବ୍ରୁଆରି ୩ ତାରିଖରେ ଆସାମର ଦକ୍ଷିଣ ସାଲମଡ଼ା-ମାନକାଚାର ଜିଲ୍ଲାରେ ଜଣେ ବିଧବା ଓ ଦୁଇ ପିଲାଙ୍କ ମାଆ ଆତ୍ମହତ୍ୟା କରିଛନ୍ତି, କାରଣ ତାଙ୍କୁ ନାବାଳିକା ଅବସ୍ଥାରେ ବିବାହ ଦେଇଥିବା ତାଙ୍କ ବାପାଙ୍କୁ ଗିରଫ କରାଯାଇପାରେ ବୋଲି ସେ ଆଶଙ୍କା କରୁଥିଲେ।

ତା’ପରଦିନ ଜଣେ ୨୩ ବର୍ଷୀୟା ମହିଳା ତାଙ୍କ ଗିରଫ ବାପା ଓ ସ୍ବାମୀଙ୍କୁ ତୁରନ୍ତ ଖଲାସ କରା ନ ଗଲେ ଆତ୍ମହତ୍ୟା କରିବେ ବୋଲି ଗୋଲକଗଞ୍ଜ ଥାନାରେ ଧମକ ଦେଇଥିଲେ। ଫେବ୍ରୁଆରି ୫ରେ ସାଚାର ଜିଲ୍ଲାରେ ଜଣେ ୧୭ ବର୍ଷୀୟା ବାଳିକା ଆତ୍ମହତ୍ୟା କରିଛନ୍ତି। କାରଣ ସେ ଜଣଙ୍କୁ ଭଲପାଇ ବିବାହ କରିବାକୁ ଚାହୁଥିବା ବେଳେ ସରକାରଙ୍କ ସାମ୍ପ୍ରତିକ କାର୍ଯ୍ୟାନୁଷ୍ଠାନ ଯୋଗୁ ତାଙ୍କ ବାପାମାଆ ତାଙ୍କୁ ଏହି ବୟସରେ ବିବାହ ଦେବାକୁ ମନା କରିଦେଲେ।

ଆସାମ ସରକାରଙ୍କ ସାମ୍ପ୍ରତିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଅନେକ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଜାନୁଆରି ୨୩ ତାରିଖରେ ଆସାମ କ୍ୟାବିନେଟ୍‌ରେ ନିଷ୍ପତ୍ତି ହେଲା ଯେ ବାଲ୍ୟବିବାହ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେବେ‌ଠାରୁ ଏପର୍ଯ୍ୟନ୍ତ ବାଲ୍ୟ ବିବାହ ବିରୋଧରେ ୪୦୦୦ରୁ ଅଧିକ ମାମଲା ରୁଜୁ ହେବା ସହ ପ୍ରାୟ ୨୦୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଗଲାଣି। ୧୪ ବର୍ଷରୁ କମ୍ ବୟସ୍କାଙ୍କ ବିବାହ କ୍ଷେତ୍ରରେ ପୋକ୍‌ସୋ ଆଇନ ଲାଗୁ କରାଯାଉଥିବା ବେଳେ ୧୪-୧୮ ବୟସ୍କାଙ୍କ ବିବାହ କ୍ଷେତ୍ରରେ ବାଲ୍ୟ ବିବାହ ବିରୋଧୀ ଆଇନ ୨୦୦୬ ଅନୁଯାୟୀ ମାମଲା ରୁଜୁ କରାଯାଉଛି।

୨୦୧୯ ଓ ୨୦୨୦ର ଏନ୍‌ଏଫ୍‌ଏଚ୍‌ଏସ୍‌-୫ ଅନୁଯାୟୀ ଆସାମରେ ୨୦-୨୪ ବର୍ଷ ବୟସର ୩୧.୮ ପ୍ରତିଶତ ମହିଳା ଆଇନଗତ ବୟସ ସୀମା ୧୮ ବର୍ଷ ପୂର୍ବରୁ ବିବାହ କରିଛନ୍ତି, ଯାହା ଜାତୀୟ ସଂଖ୍ୟା ୨୩.୩ ପ୍ରତିଶତଠାରୁ ଅଧିକ। ସବୁଠାରୁ ଚିନ୍ତାଜନକ ବିଷୟ ହେଲା ବିବାହିତା ମହିଳାମାନଙ୍କ ମଧ୍ୟରୁ ୧୧.୭ ପ୍ରତିଶତ ମହିଳା ସର୍ଭେ ସମୟରେ ଗର୍ଭଧାରଣ କରିଥିଲେ ବା ମାଆ ହୋଇସାରିଥିଲେ, ଯେତେବେଳେ କି ସେମାନଙ୍କ ବୟସ ୧୫ରୁ ୧୯ ଭିତରେ ଥିଲା। ଏ କ୍ଷେତ୍ରରେ ସର୍ବଭାରତୀୟ ସଂଖ୍ୟା ହେଉଛି ୬.୮ ପ୍ରତିଶତ।

ଏହି କାରଣରୁ ଆସାମରେ ମାତୃ ମୃତ୍ୟୁ ହାର (ଏମ୍‌ଏମ୍‌ଆର୍) ଓ ଶିଶୁ ମୃତ୍ୟୁ ହାର (ଆଇଏମ୍‌ଆର୍) ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe