ରୁଷ୍‌ ବିରୋଧରେ ୫୦୦୦ରୁ ଊର୍ଦ୍ଧ୍ବ ଯୁଦ୍ଧ ଅପରାଧ ଅଭିଯୋଗ: ୟୁକ୍ରେନ୍ ଯୁଦ୍ଧର ୪୬ ଦିନ ୪୦ ଲକ୍ଷରୁ ଅଧିକ ଶରଣାର୍ଥୀ ସାଜିଲେଣି

Advertisment
ରୁଷ୍‌ ବିରୋଧରେ ୫୦୦୦ରୁ ଊର୍ଦ୍ଧ୍ବ ଯୁଦ୍ଧ ଅପରାଧ ଅଭିଯୋଗ: ୟୁକ୍ରେନ୍ ଯୁଦ୍ଧର ୪୬ ଦିନ ୪୦ ଲକ୍ଷରୁ ଅଧିକ ଶରଣାର୍ଥୀ ସାଜିଲେଣି

The Guardian

କିବ୍: ଛଅ ସପ୍ତାହରୁ ଊର୍ଦ୍ଧ୍ବ କାଳଧରି ୟୁକ୍ରେନ୍ ଯୁଦ୍ଧ ଚାଲିଥିବା ବେଳେ ଶୁକ୍ରବାର ଏକ ଟ୍ରେନ୍ ଷ୍ଟେସନରେ ପିଲାଙ୍କ ସମେତ ୫୦ରୁ ଊର୍ଧ୍ବ ଲୋକଙ୍କୁ ରୁଷ୍ ସୈନିକମାନେ ରକେଟ୍‌ ମାଡ଼ କରି ହତ୍ୟା କରିବା ପରେ ୟୁକ୍ରେନ୍‌ର ବିଦେଶ ମନ୍ତ୍ରୀ ଡିମିଟ୍ରୋ କୁଲେବା ରୁଷିଆ ବିରୋଧରେ ୫,୧୪୯ଟି ଯୁଦ୍ଧ ଅପରାଧ ଅଭିଯୋଗ ଆଣିଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି କହିଛନ୍ତି, ତାଙ୍କ ଦେଶର ସୁରକ୍ଷା ସେବା ବ୍ୟବସ୍ଥା ଦ୍ବାରା ରୁଷ୍‌ ସୈନିକଙ୍କ ବାର୍ତ୍ତାଳାପ ଟ୍ୟାପ୍ କରାଯାଇଛି ଯାହା ଯୁଦ୍ଧ ଅପରାଧର ପ୍ରମାଣ। ସୈନିକମାନେ କ’ଣ ଚୋରି କଲେ ବା କାହାକୁ ଅପହରଣ ‌କଲେ ଇତ୍ୟାଦି ବିଷୟରେ କଥା ହେବା ବେଳେ ତାକୁ ରେକର୍ଡ କରାଯାଇଛି। ଯେଉଁ ରୁଷ୍ ସୈନିକଙ୍କୁ ୟୁକ୍ରେନ୍‌ ବନ୍ଦୀ କରିଛି, ସେମାନେ ଲୋକଙ୍କୁ ହତ୍ୟା କରିଥିବାର ସ୍ବୀକାର କରିଛନ୍ତି। ଏପରି କେତେକ ପାଇଲଟଙ୍କୁ ବନ୍ଦୀ କରି ଜେଲରେ ରଖାଯାଇଛି, ଯେଉଁମାନଙ୍କ ପାଖରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ବୋମାମାଡ଼ କରିବା ପାଇଁ ମ୍ୟାପ୍ ଅଛି। ମୃତକଙ୍କ ଦେହାବଶେଷକୁ ଭିତ୍ତି କରି ଆହୁରି ତଦନ୍ତ ଜାରି ରହିଛି ବୋଲି ଗଣମାଧ୍ୟମ ସହ ଏକ ଅନ୍‌ଲାଇନ୍ ସାକ୍ଷାତ୍‌କାରରେ ଜେଲନ୍‌ସ୍କି କହିଛନ୍ତି।

କିବ୍ ମସ୍କୋ ବିରୋଧରେ ଦୁଷ୍କର୍ମ ସହ ଭୟଙ୍କର ଯୁଦ୍ଧ ଅପରାଧର ଅଭିଯୋଗ ଆଣିଛି। କିବ୍ ସହରତଳି ଅଞ୍ଚଳରେ ରୁଷ୍ ସୈନିକମାନେ ଏପରି ଅପରାଧ ଘଟାଇ ଚାଲିଛନ୍ତି। ଯେଉଁସବୁ ସହରକୁ ସେମାନେ ନିଜ ଦଖଲକୁ ନେଇଛନ୍ତି ସେଠାରେ ଏହିପରି ଅପରାଧ ଘଟାଇଥିବା କିବ୍ ଅଭିଯୋଗ କରିଛି। ତେବେ ଏହି ଯୁଦ୍ଧରେ ରୁଷ୍‌ର ପ୍ରାୟ ୧୯,୦୦୦ ସୈନିକ ମଧ୍ୟ ନିହତ ହୋଇଛନ୍ତି ବୋଲି କିବ୍ ଦାବି କରିଛି। ୟୁକ୍ରେନ୍ ଯୁଦ୍ଧର ସୁଦୂରପ୍ରସାରୀ ପ୍ରଭାବ ରହିଛି। ଏଥି ଯୋଗୁ ବିଶ୍ବର ଅନ୍ୟ ସ୍ଥାନଗୁଡ଼ିକରେ କୋଟି କୋଟି ଶିଶୁ ପୁଷ୍ଟିହୀନତାର ଶିକାର ହୋଇପାରନ୍ତି। ଗହମ, ଖାଇବା ତେଲ ଓ ଇନ୍ଧନ ସମେତ ଅନେକ ଅତ୍ୟାବଶ୍ୟକ ଜିନିଷର ଦରଦାମ୍ ବୃଦ୍ଧି ପାଇଛି। ବିଶେଷତଃ ଇଜିପ୍ଟ, ଲେବାନନ, ଲିବ୍ୟା, ସୁଦାନ, ସିରିୟା ଓ ୟେମେନରେ ଏହାର ଅଧିକ ପ୍ରଭାବ ପଡ଼ିବ ବୋଲି ୟୁନିସେଫ୍ ଚେତାବନୀ ଦେଇଛି।

ଜାତିସଂଘର ହିସାବ ଅନୁସାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪ ନିୟୁତରୁ ଅଧିକ ଲୋକ ନିଜ ଘରଦ୍ବାର ଛାଡ଼ି ଅନ୍ୟ ଦେଶରେ ଶରଣାର୍ଥୀ ସାଜିଛନ୍ତି। ଏହା ବିଶ୍ବର ଏକ ବିରାଟ ଶରଣାର୍ଥୀ ସଂକଟ ସୃଷ୍ଟି କରୁଛି। ସ୍ବତନ୍ତ୍ର ସେନା କାର୍ଯ୍ୟାନୁଷ୍ଠାନ ନାଁରେ ଫେବ୍ରୁ୍ଆରି ୨୪ରୁ ରୁଷିଆ ଯେଉଁ ଯୁଦ୍ଧ ଆରମ୍ଭ କରିଛି ତାହା ଆଗକୁ ଜାରି ରହିଲେ ସାରା ବିଶ୍ବ ଉପରେ ଭୟଙ୍କର ପ୍ରଭାବ ପଡ଼ିବ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କିବ୍ ଦଖଲ କରିବାରେ ବିଫଳ ହେବା ପରେ ବିଦ୍ରୋହୀମାନଙ୍କ ଅକ୍ତିଆରରେ ଥିବା ପୂର୍ବ ୟୁକ୍ରେନ୍‌ର ଡନବାସ ଅଞ୍ଚଳ ଯୁଦ୍ଧର କେନ୍ଦ୍ରବିନ୍ଦୁ ହୋଇଛି। ଏଠାରେ ଭୟଙ୍କର ଯୁଦ୍ଧ ହୋଇପାରେ ବୋଲି କୁହାଯାଉଛି। ୟୁକ୍ରେନ୍‌କୁ ୧୦୦ ନିୟୁତ ଡଲାର ମୂଲ୍ୟର ପ୍ରତିରକ୍ଷା ସହାୟତା ପ୍ରଦାନ କରିବାକୁ ଆଜି ବ୍ରିଟେନ୍‌ ଘୋଷଣା କରିଛି। ତା’ ଭିତରେ ଅଧିକ ଆଣ୍ଟି-ଟ୍ୟାଙ୍କ ମିସାଇଲ ଓ ଏୟାର ଡିଫେନ୍ସ ସିଷ୍ଟମ୍ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe