Image Courtesy of India Today
ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ର ବେଲାରୁଷ୍ରେ ରୁଷ୍ ଆଣବିକ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିବ ବୋଲି ଶନିବାର ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ କହିଥିବା କଥା ‘ଟାସ୍’ ନିଉଜ୍ ଏଜେନ୍ସି ରିପୋର୍ଟ କରିଛି।
୧୯୯୦ ପରଠାରୁ ନିଜ ଦେଶ ବାହାରେ ଏ ଧରଣର ଅସ୍ତ୍ରଶସ୍ତ୍ର ଘାଟି କରିବା ହେବ ରୁଷ୍ ପାଇଁ ପ୍ରଥମ ଘଟଣା। ୧୯୯୦ରେ ସୋଭିଏତ୍ ଦେଶର ପତନ ପରେ ବିଚ୍ଛିନ୍ନ ହୋଇଯାଇଥିବା ବେଲାରୁଷ୍ ସମ୍ପ୍ରତି ରୁଷ୍ର ଅତି ଘନିଷ୍ଠ ହୋଇଉଠୁଛି। ମସ୍କୋ ୟୁକ୍ରେନ୍ ଆକ୍ରମଣ କରିବା ପରେ ରୁଷ୍ ଓ ବେଲାରୁଷ୍ ମଧ୍ୟରେ ଏହି ନିବିଡ଼ତା ଆହୁରି ଦୃଢ଼ିଭୂତ ହୋଇଛି। ନିଜ ସୈନ୍ୟଙ୍କୁ ଯୁଦ୍ଧରେ ଅଂଶ ଗ୍ରହଣ କରିବାରୁ ନିଷେଧ କରିଥିଲେ ମଧ୍ୟ ବେଲାରୁଷ୍ର ରାଷ୍ଟ୍ରପତି ଆଲେକ୍ଜେଣ୍ଡର୍ ଲୁକାଶେଙ୍କୋ ତାଙ୍କ ଦେଶକୁ ଯୁଦ୍ଧକ୍ଷେତ୍ର ଭାବେ ବ୍ୟବହାର କରିବା ଲାଗି ରୁଷ୍କୁ ଅନୁମତି ପ୍ରଦାନ କରିଛନ୍ତି।
ଏଥିପାଇଁ ରୁଷ୍ ଓ ବେଲାରୁଷ୍ ମଧ୍ୟରେ ରାଜିନାମା ସ୍ବାକ୍ଷର ହୋଇଛି। ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ କହିଛନ୍ତି, ଏଥିରେ କିଛି ଅସ୍ବାଭାବିକତା ନାହିଁ। ପ୍ରଥମତଃ, ଦଶନ୍ଧି ଦଶନ୍ଧି ହେବ ଯୁକ୍ତରାଷ୍ଟ୍ର ଆମେରିକା ଏ ଭଳି କାମ କରିଆସୁଛି। ଆମେରିକା ତା’ର ମିତ୍ର ରାଷ୍ଟ୍ରଗୁଡ଼ିକରେ ଆଣବିକ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖୁଛି।
Image Courtesy of India Todayସୂଚନାଯୋଗ୍ୟ, ଅନ୍ୟ ରାଷ୍ଟ୍ରରେ ରୁଷ୍ ରଖିବାକୁ ନିଷ୍ପତ୍ତି ନେଇଥିବା ବା ଆମେରିକା ରଖିଆସୁଥିବା ଆଣବିକ ଅସ୍ତ୍ରଗୁଡ଼ିକ ହେଉଛି ‘ଟ୍ୟାକ୍ଟିକାଲ୍’ ଶ୍ରେଣୀର। ଅର୍ଥାତ୍ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ନିମନ୍ତେ ଏହି ପରମାଣୁ ଅସ୍ତ୍ରକୁ କେବଳ ଯୁଦ୍ଧ କ୍ଷେତ୍ରରେ ବ୍ୟବହାର କରାଯାଏ।
କିନ୍ତୁ, ରୁଷ୍ କେବେ ବେଲାରୁଷ୍କୁ ଏହି ଅସ୍ତ୍ର ସ୍ଥାନାନ୍ତର କରିବ ତାହା ପୁଟିନ୍ ଘୋଷଣା କରି ନାହାନ୍ତି।
ସେପଟେ, ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନସ୍କି କହିଛନ୍ତି ଯେ, ପାଶ୍ଚାତ୍ୟ ମିତ୍ର ରାଷ୍ଟ୍ରମାନେ ଅଧିକ ସାମରିକ ସହାୟତା ନ ପଠାଇଲା ପର୍ଯ୍ୟନ୍ତ ୟୁକ୍ରେନ୍ ରୁଷ୍ ଆକ୍ରମଣକୁ ପ୍ରତିରୋଧ କରିବା ଆରମ୍ଭ କରିପାରିବ ନାହିଁ।
‘ବିବିସି’ ରିପୋର୍ଟ ଅନୁସାରେ, ଗୋଟାଏ ଜାପାନୀ ସମ୍ବାଦପତ୍ରକୁ ସେ କହିଛନ୍ତି ଯେ, ଅଧିକ କମାଣ, ତୋପ ଏବଂ ହିମାରସ୍ ରକେଟ୍ ଲଞ୍ଚର୍ ନ ପାଇଲେ ସେ ତାଙ୍କର ସୈନ୍ୟମାନଙ୍କୁ ପ୍ରତ୍ୟକ୍ଷ ଯୁଦ୍ଧକୁ ପଠାଇବେ ନାହିଁ।
Follow Us