ଧାନବାଦ: ଗତ ମଙ୍ଗଳବାର ଝାଡ଼ଖଣ୍ଡର ଧାନବାଦରେ ଏକ ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ହୋଇ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଓ ୮ ଜଣ ମହିଳା ଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ହୋଇଥିବା ଆପାର୍ଟମେଣ୍ଟର ନାମ ଆର୍ଶୀବାଦ ଟାୱାର ଏବଂ ଏହା ସହରର ଅନ୍ୟତମ ପ୍ରମୁଖ ଅଞ୍ଚଳ ଜୋର୍ଫାଟକରେ ଅବସ୍ଥିତ।
ଗତ ମଙ୍ଗବଳାର ଦିନ ଏହି ଆର୍ଶୀବାଦ ଟାୱାର ଆପାର୍ଟମେଣ୍ଟରେ ରହୁଥିବା ସୁବୋଧ ଶ୍ରୀବାସ୍ତବଙ୍କ ଝିଅଙ୍କ ବିବାହ ସିଦ୍ଧି ବିନାୟକରେ ଚାଲିଥିଲା। ବିବାହ ବେଦୀରେ ବସିଥିବା ଶ୍ବାତୀ ବାରମ୍ବାର ନିଜ ମା’ ଓ ଭାଇଙ୍କୁ ଖୋଜୁଥିଲା। କିନ୍ତୁ ସେ କି ଜାଣିଥିଲା ସେ ବିବାହ ବେଦୀରେ ବସିଥିବା ବେଳେ ଆପାର୍ଟମେଣ୍ଟରେ ଲାଗିଥିବା ନିଆଁ ଆଁରେ ତାଙ୍କ ମା’, ଭଉଣୀ, ଦାଦା ଓ ଖୁଡ଼ି ସମେତ ୧୫ଜଣଙ୍କ ଜୀବନ ଚାଲିଯାଇଛି ବୋଲି।
ବିବାହ ସରିବା ପରେ ସେ ଯେତେବେଳେ ଏହି ଅଘଟଣ ବିଷୟରେ ଜାଣିଥିଲେ ସ୍ତବ୍ଧ ହୋଇଯାଇଥିଲେ। ଏମିତି କି କାନ୍ଦି ବି ପାରି ନଥିଲେ। କିଛି ସମୟ ପରେ ବିବାହ ମଣ୍ଡପରେ ମା’ ଓ ଭଉଣୀ ସହିତ ସମ୍ପର୍କୀୟଙ୍କୁ ହରାଇ ଭୋଭୋ ହୋଇ କାନ୍ଦି ଅଚେତ ହୋଇ ପଡ଼ିଥିଲେ ଶ୍ବାତୀ। ବରଘର ଲୋକଙ୍କ ସହିତ ତାଙ୍କ ନିଜଲୋକ ତାଙ୍କୁ ସମ୍ଭାଳିଥିଲେ।
ଝାଡ଼ଖଣ୍ଡର ଧାନବାଦ ଆର୍ଶୀବାଦ ଟାୱାର ଆପାର୍ଟମେଣ୍ଟରେ ମଙ୍ଗଳବାର ସନ୍ଧ୍ୟା ୬.୩୦ ସମୟରେ ନିଆଁ ଲାଗି ଯାଇଥିଲା। ପ୍ରଥମେ ତୃତୀୟ ମହଲାରେ ନିଆଁ ଲାଗିଥିବା ବେଳେ ଆଖି ପିଛୁଳାକେ ଏହା ନିଆଁ ଚାରି ଆଡ଼କୁ ବ୍ୟାପି ଯାଇଥିଲା। ୨୦ଟି ଅଗ୍ନି ନିର୍ବାପକ ଦଳ ନିଆଁ ଲିଭା କାର୍ଯ୍ୟରେ ମୁତୟନ ହୋଇଥିଲେ।
୩୦ରୁ ଅଧିକ ଲୋକଙ୍କୁ ଅଗ୍ନି ନିର୍ବାପକ ଦଳ ଉଦ୍ଧାର କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ଆହତ ହୋଇଥିଲେ। ସମସ୍ତ ଗୁରୁତରଙ୍କୁ ପାଟଳିପୁତ୍ର ନର୍ସିଂ ହୋମ୍ରେ ଭର୍ତ୍ତି କରାଯାଇଛି। ଆଜି ଭିତରେ ଏହି ଘଟଣାରେ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।
Follow Us