Image Courtesy of NDTV
ନୂଆଦିଲ୍ଲୀ: କେରଳର ମାଲାପ୍ପୁରମ୍ରେ ଜଣେ ୪୨ ବର୍ଷୀୟ ମହିଳା ଏବଂ ତାଙ୍କ ୨୪ ବର୍ଷିୟ ପୁଅ ସାଥିହୋଇ ‘ଲୋକସେବା ଆୟୋଗ’ (ପିଏସ୍ସି) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ କରିଛି।
ଗଣମାଧ୍ୟମକୁ ପୁଅ ବିବେକ କହିଛନ୍ତି, ଆମେ ଏକାଠି କୋଚିଙ୍ଗ୍ କ୍ଲାସ୍କୁ ଯାଉ। ମାଆ ମତେ ସଫଳ କରାଇଛନ୍ତି ଏବଂ ବାପା ଆମ ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରି ଦେଥିଲେ। ଶିକ୍ଷକମାନଙ୍କଠାରୁ ଆମେ ଅନେକ ପ୍ରେରଣା ପାଇଥିଲୁ। ଏକତ୍ର ପଢ଼ିଥିଲେ ବି ଏକତ୍ର ପାସ୍ କରିବୁ ବୋଲି କେବେ କଳ୍ପନା କରି ନ ଥିଲୁ। ଆମେ ଦୁହେଁ ଖୁବ୍ ଆନନ୍ଦିତ।
Image Courtesy of NDTVପୁଅ ୧୦ମ ଶ୍ରେଣୀରେ ପଢୁଥିବା ବେଳେ ତାକୁ ଉତ୍ସାହ ଦେବା ଲାଗି ମାଆ ବିନ୍ଦୁ ପୁସ୍ତକ ପଢ଼ା ଆରମ୍ଭ କଲେ। କିନ୍ତୁ, ଏହି ପୁସ୍ତକ ପଢ଼ା ବିନ୍ଦୁଙ୍କୁ ମଧ୍ୟ କେରଳ ‘ପିଏସ୍ସି’ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ପ୍ରେରଣା ଦେଲା। ୯ ବର୍ଷ ପରିଶ୍ରମ କରି ସେ ଓ ତାଙ୍କ ପୁଅ ଏକତ୍ର ସରକାରୀ ଚାକିରି କରିବାକୁ ବାହାରିଛନ୍ତି।
ଏହି ପରୀକ୍ଷାରେ ବିନ୍ଦୁ ‘ଲୋଅର୍ ଡିଭିଜ୍ନାଲ୍ କ୍ଲର୍କ’ (ଏଲ୍ଡିସି) ପରୀକ୍ଷାରେ ୩୮ ରାଙ୍କ୍ରେ ଥିବା ବେଳେ ପୁଅ ‘ଲାଷ୍ଟ୍ ଗ୍ରେଡ୍ ସର୍ଭିସ୍’ ପରୀକ୍ଷାରେ (ଏଲ୍ଜିଏସ୍) ୯୨ ରାଙ୍କ୍ରେ ରହିଛି। ସଫଳତା ପାଇଁ ପୁଅ ୩ ଥର ଉଦ୍ୟମ କରିଥିବା ବେଳେ ମାଆ ୪ଥର ଉଦ୍ୟମ କରିଥିଲେ। ପୂର୍ବରୁ ବିନ୍ଦୁ ଗୋଟାଏ ଅଙ୍ଗନବାଡ଼ି କେନ୍ଦ୍ରରେ ୧୦ବର୍ଷ ପଢାଇ ଥିଲେ।
‘ଷ୍ଟ୍ରିମ୍-୨’ ପଦବୀ ନିମନ୍ତେ କେରଳରେ ବୟସ ସୀମା ୪୦ ବର୍ଷ, କିନ୍ତୁ ନିର୍ଦ୍ଦିଷ୍ଟ କେତେକ ବର୍ଗଙ୍କ ନିମନ୍ତେ ବୟସ ସୀମା ୩ ରୁ ୫ ବର୍ଷ ପର୍ଯ୍ୟନ୍ତ କୋହଳ କରାଯାଏ।
Follow Us