Image Courtesy of India Today
ଭୋପାଳ: କରୋନାଭାଇରସ୍ ମହାମାରୀ କାଳରେ ଲୋକେ ରୋଗପ୍ରତିରୋଧକ ସାମର୍ଥ୍ୟ ବୃଦ୍ଧି ଉପରେ ଗୁରୁତ୍ବ ଦେଉଥିବା ବେଳେ ମଧ୍ୟପ୍ରଦେଶ ବଜାରରେ ଏକ ଜାତୀୟ ଆୟୁର୍ବେଦିକ ଶାଢ଼ି ଚହଳ ପକାଇଛି।
‘ଆୟୁବସ୍ତ୍ର’ ନାଁ ଦିଆଯାଇଥିବା ଏହି ଶାଢ଼ି ସବୁ ରୋଗପ୍ରତିରୋଧକ ସାମର୍ଥ୍ୟ ବୃଦ୍ଧିକାରୀ ଗୁଣ ଥିବା ଜଡ଼ିବୁଟି ମିଶ୍ରଣରେ ପ୍ରସ୍ତୁତ ହୋଇଛି। ଖାଲି ଶାଢ଼ି ନୁହେଁ, ଜଡ଼ିବୁଟି ବ୍ୟବହାର କରାଯାଇ ଅନ୍ୟାନ୍ୟ ଲୁଗାପଟା ବି ତିଆରି ହେଉଛି।
ମଧ୍ୟପ୍ରଦେଶ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ନିଗମ ଏହି ଜାତୀୟ ଶାଢ଼ି ତିଆରି କରି ବିକ୍ରୟ କରୁଛି। ପ୍ରାଚୀନ ଜଡ଼ିବୁଟି ଦ୍ବାରା ପାଗ କରାଯାଇଥିବାରୁ ଏ ଶାଢ଼ି ପିନ୍ଧିଲେ ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି ପାଇବ ବୋଲି ନିଗମ ଦାବି କରିଛି।
Image Courtesy of India Todayସର୍ବସାଧାରଣଙ୍କ ନିମନ୍ତେ ଏହି ରୋଗପ୍ରତିରୋଧକ ସାମର୍ଥ୍ୟ ବୃଦ୍ଧିକାରୀ ଶାଢ଼ି ତିଆରିର ଦାୟିତ୍ବ ନ୍ୟସ୍ତ କରାଯାଇଛି ଭୋପାଳର ଟେକ୍ଷ୍ଟାଇଲ୍ ବିଶେଷଜ୍ଞ ବିନୋଦ ମାଲେବର୍ଙ୍କ ଉପରେ। ଏହି ପ୍ରକାର ଶାଢ଼ି ତିଆରି ନିମନ୍ତେ ସ୍ବତନ୍ତ୍ର ଦକ୍ଷତା ଏବଂ ଅଧିକ ସମୟ ଆବଶ୍ୟକ ହୁଏ। ସୂକ୍ଷ୍ମ ଭାବେ ବୁଣାଯାଇଥିବା ଏହି ଶାଢ଼ି ସବୁ ଗୁଡ଼ାଏ ପ୍ରକ୍ରିୟାକରଣ ପର୍ଯ୍ୟାୟ ଦେଇ ଯାଇଥାଏ।
ଏହି ଶାଢ଼ିକୁ ଲବଙ୍ଗ, ଅଳେଇଚ, ଚକ୍ରଫଳ, ଜାଈଫଳ, ଡାଳଚିନି, ଗୋଲମରିଚ, ଜୀରକ, ତେଜପତ୍ର ଅର୍କରେ ପାଗ କରାଯାଇଥାଏ। ଏ ସମସ୍ତ ସମାଗ୍ରୀକୁ ଏକତ୍ର ଚୂର୍ଣ୍ଣ କରାଯାଇ ୪୮ ଘଣ୍ଟାରୁ ଅଧିକ ସମୟ ଧରି ପାଣିରେ ରଖାଯାଏ। ଏହାପରେ ସାମଗ୍ରୀ ମିଶ୍ରିତ ପାଣିକୁ ଫର୍ଣ୍ଣେନ୍ସ୍ରେ ରଖାଯାଇ ବାମ୍ଫ ବାହାର କରାଯାଏ। ଏହି ବାମ୍ଫରେ ବୁଣାକପଡ଼ାକୁ କିଛି ଘଣ୍ଟା ପାଗ କରି ଶାଢ଼ି ଓ ମାସ୍କ୍ ଆଦି ପ୍ରସ୍ତୁତ କରାଯାଏ। ଏହି ଉପାୟରେ ଖଣ୍ଡିଏ ଶାଢ଼ି ପ୍ରସ୍ତୁତି କରିବାକୁ ଲାଗିଥାଏ ପାଞ୍ଚ ଛଅ ଦିନ।
Image Courtesy of India Todayବିନୋଦ ମାଲେବର୍ ଦାବି କରିଛନ୍ତି ଯେ, ଏହି ଲୁଗାପଟା ବ୍ୟବହାର କଲେ ରୋଗପ୍ରତିରୋଧକ ସାମର୍ଥ୍ୟ ବଢ଼େ। ସଂକ୍ରମଣ ଠାରୁ ଦୂରେଇ ରହିବାକୁ ଏହା ହେଉଛି ଶହ ଶହ ବର୍ଷ ପୁରାତନ ପଦ୍ଧତି। ଦୀଘ ଦୁଇ ମାସର ପ୍ରଚେଷ୍ଟା ପରେ ଯାଇ ଆୟୁର୍ବେଦିକ ଶାଢ଼ି ତିଆରି ନିମନ୍ତେ ସମୁଚ୍ଚିତ ଉପାୟ ମିଳିଥିଲା। ଚାରି ପାଞ୍ଚ ଧୁଆଯାଏଁ ଏହି ଶାଢ଼ିରେ ରୋଗପ୍ରତିରୋଧକ ବୃଦ୍ଧିକାରୀ ଗୁଣ ରହିଥିବ।
ମଧ୍ୟପ୍ରଦେଶ ହସ୍ତତନ୍ତ ଓ ହସ୍ତଶିଳ୍ପ ନିଗମର କମିସନର୍ ରାଜୀବ ଶର୍ମା ଗଣମାଧ୍ୟମକୁ କହିଛନ୍ତି ଯେ, ଏ ଶାଢ଼ିର ସର୍ବନିମ୍ନ ମୂଲ୍ୟ ପ୍ରାୟ ୩୦୦୦ ଟଙ୍କା। ସମ୍ପ୍ରତି ଏହି ଶାଢ଼ି କେବଳ ଭୋପାଳ ଓ ଇନ୍ଦୋରରେ ବିକ୍ରୟ ହେଉଛି। ଆଗାମୀ ଦିନମାନଙ୍କରେ ଦେଶରେ ଥିବା ଆମର ୩୬ଟି ସୋ’ରୁମ୍ରେ ଏହା ବିକ୍ରୟ ହେବ।
Follow Us