କେରଳରେ ଆଉ ଜଣେ ଆର୍‌ଏସ୍‌ଏସ୍‌ କର୍ମୀଙ୍କୁ ହତ୍ୟା

Advertisment
କେରଳରେ ଆଉ ଜଣେ ଆର୍‌ଏସ୍‌ଏସ୍‌ କର୍ମୀଙ୍କୁ ହତ୍ୟା

ଥ୍ରିସୁର: କେରଳର ଥ୍ରିସୁରରେ ଆରଏସ୍‌ଏସ୍‌ର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଆଜି ନିର୍ମମ ହତ୍ୟା କରାଯାଇଛି। ମୃତ କାର୍ଯ୍ୟକର୍ତ୍ତାଙ୍କ ନାମ ଆନନ୍ଦ ଏବଂ ସେ ବାଇକ୍‌ରେ ଯାଉଥିବା ବେଳେ ଆକ୍ରମଣକାରୀମାନେ ତାଙ୍କୁ ଏକ କାର୍‌ରେ ଆସି ଧକ୍କା ଦେଇଥିଲେ। ଆନନ୍ଦ ତଳେ ପଡ଼ିଯିବା ପରେ ତାଙ୍କୁ ଖଣ୍ଡାରେ ହାଣି ଅତି ନୃଶଂସ ଭାବେ ହତ୍ୟା କରିଥିଲେ। ଆକ୍ରମଣକାରୀମାନେ ଯେଉଁ କାର୍‌ରେ ଆସି ଏହି କାଣ୍ଡ ଘଟାଇଥିଲେ ତାହାକୁ ପୁଲିସ ଜବତ କରିଛି। ବିଜେପି ରାଜ୍ୟ ନେତାମାନେ କହିଛନ୍ତି ଯେ ସିପିଏମ୍‌ କାର୍ଯ୍ୟକର୍ତ୍ତାମାନେ ଆନନ୍ଦଙ୍କୁ ହତ୍ୟା କରିଛି ଏବଂ ଏ ବାବଦରେ ତତ୍କାଳ ଅନେକ ପ୍ରମାଣ ମିଳିସାରିଛି। କିଛି ମାସ ତଳେ ଜଣେ ସିପିଏମ୍‌ କାର୍ଯ୍ୟକର୍ତ୍ତାଙ୍କୁ ଏଠାରେ ହତ୍ୟା କରାଯାଇଥିଲା ଏବଂ ଏହି ମାମଲାରେ ଆନନ୍ଦ ମଧ୍ୟ ଅଭିଯୁକ୍ତ ଥିଲେ। ନିକଟରେ ସେ ଜାମିନରେ ମୁକୁଳିଥିଲେ। ତେଣୁ ପ୍ରତିଶୋଧ ନେବାପାଇଁ ତାଙ୍କୁ ସିପିଏମ୍‌ ସମର୍ଥକମାନେ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ଏହି ହତ୍ୟା ସଂପର୍କରେ ଖବର ପ୍ରଚାର ହେବାପରେ ଥ୍ରିସୁର ଜିଲ୍ଲାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କେତେକ ସ୍ପର୍ଶକାତର ଅଂଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଆର୍‌ଏସ୍‌ଏସ୍‌ ଓ ଏହାର ସମର୍ଥକ ସଂଗଠନମାନେ ଏହି ରାଜନୈତିକ ହତ୍ୟାର ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛନ୍ତି। ଆର୍‌୍‌ଏସ୍‌୍‌ଏସ୍‌ କର୍ମୀ ଓ ନେତାଙ୍କୁ ସିପିଏମ୍‌ର ଗୁଣ୍ଡାମାନେ ଟାର୍ଗେଟ୍‌ କରି ହତ୍ୟା କରିଚାଲିଥିବାରୁ ଏହା ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ ହେବ ବିଜେପି ଓ ଆର୍‌ଏସ୍‌ଏସ୍‌ ନେତାମାନେ ଚେତାବନୀ ଦେଇଛନ୍ତି। ସିପିଏମ୍‌ ଗଣତନ୍ତ୍ରରେ ବିଶ୍ୱାସ କରୁନଥିବାରୁ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଏଭଳି ହତ୍ୟା କରିଚାଲିଛି ବୋଲି ବିଜେପି ରାଜ୍ୟ ସଭାପତି କେ ରାଜଶେଖରନ କହିଛନ୍ତି। ଏବିଭିପି ଏହି ହତ୍ୟାର ପ୍ରତିବାଦରେ ଥିରୁବନନ୍ତପୁରମରେ ଏକ ବିକ୍ଷୋଭ ଶୋଭାଯାତ୍ରା ଆୟୋଜନ କରିଥିଲା। ରାଜ୍ୟରେ ବଢ଼ିଚାଲିଥିବା ରାଜନୈତିକ ଅସହିଷ୍ଣୁତା ବିରୋଧରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଏବିଭିପି ନେତାମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe