ଜେଲରଙ୍କୁ ଧମକାଇଥିବାରୁ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର୍ ଅନସାରୀଙ୍କୁ ୨ ବର୍ଷ ଜେଲ୍

Advertisment
ଜେଲରଙ୍କୁ ଧମକାଇଥିବାରୁ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର୍ ଅନସାରୀଙ୍କୁ ୨ ବର୍ଷ ଜେଲ୍

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର୍ ଅନସାରୀଙ୍କୁ ମିଳିଲା ୨ବର୍ଷ ଜେଲଦଣ୍ଡ। ଜଣେ ଜେଲରଙ୍କୁ ଧମକ ଦେବା ସହ ପିସ୍ତଲ ଦେଖାଇଥିବାରୁ ବୁଧବାର ଦିନ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଦ୍ୱାରା ମୁଖତାର୍ ଅନସାରୀ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଦୋଷୀ ସାବ୍ୟସ୍ତ ପରେ ଅନସାରୀଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିବା ଜଣାପଡ଼ିଛି।

ଜଷ୍ଟିସ ଦୀନେଶ କୁମାର ସିଂ ଉତ୍ତରପ୍ରଦେଶ ସରକାରଙ୍କ ଆବେଦନ ଶୁଣାଣି ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା ୨୦୦୩ ମସିହାର। ସେ ସମୟରେ ମୁଖତାର ଜେଲରେ ଥିବା ବେଳେ ଜେଲର ଏସ.କେ ଅବସ୍ତିଙ୍କୁ ହତ୍ୟା ଧମକ ଦେଇଥିଲେ। ଜେଲରେ ତାଙ୍କୁ ଭେଟିବାକୁ ଆସିଥିବା ଲୋକଙ୍କୁ ଯାଞ୍ଚ କରିବା ସମୟରେ ଅନସାରୀ ତାଙ୍କୁ ଧମକ ଦେଇଥିଲେ। ଏଭଳି ଧମକ ପାଇବା ପରେ ଆଲମ୍ବାଗ ପୁଲିସ ଷ୍ଟେସନରେ ମୁଖତାର ଅନସାରୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ ଏସ.କେ ଅବସ୍ତି। ଅନସାରୀ ତାଙ୍କୁ ବନ୍ଧୁକ ଦେଖାଇଥିବା ନେଇ ମଧ୍ୟ ଅବସ୍ତି ଅଭିଯୋଗ କରିଥିଲେ।

ହେଲେ ଏହି ମାମଲାରେ ମୁଖତାର୍ ଅନସାରୀଙ୍କୁ ଟ୍ରାଏଲ କୋର୍ଟ ଦ୍ୱାରା ମୁକ୍ତ କରାଯାଇଥିଲା। ପରେ ୟୁପି ସରକାର ହାଇକୋର୍ଟରେ ଟ୍ରାଏଲ କୋର୍ଟଙ୍କ ଆଦେଶ ବିରୋଧରେ ଆବେଦନ କରିଥିଲେ। ଏବେ ସେହି ଆବେଦନ ଉପରେ ଶୁଣାଣି କରାଯାଇ ମୁଖତାରଙ୍କୁ ୨ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ସୂଚନା ମୁତାବକ, ଏବେ ଅନସାରୀଙ୍କୁ ବନ୍ଦା ଜେଲରେ ରଖାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏପ୍ରିଲ ୭ରେ ତାଙ୍କୁ ପଞ୍ଜାବ ଜେଲରୁ ବନ୍ଦାକୁ ଅଣାଯାଇଥିଲା। କେବଳ ଏହି ମାମଲା ନୁହେଁ ପୂର୍ବରୁ ଅନେକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଅଛନ୍ତି ଅନସାରୀ। ବଟି ଆଦାୟ ମାମଲାରେ ସେ ଜାନୁଆରି ୨୦୧୯ଠାରୁ ରୁପନଗର ଜେଲରେ ରହିଥିଲେ। ୟୁପି ଏବଂ ଅନ୍ୟାନ୍ୟ ସ୍ଥାନରେ ତାଙ୍କ ବିରୋଧରେ ୫୨ଟି ମାମଲା ରୁଜୁ ହୋଇଥିବା ବେଳେ ସେଥିମଧ୍ୟରୁ ୧୫ଟି ଟ୍ରାଏଲ ପର୍ଯ୍ୟାୟରେ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe