ପଶ୍ଚିମବଙ୍ଗରେ ବିଜେପିକୁ ଝଟ୍‌କା: ଟିଏମ୍‌ସି ଫେରିଲେ ମୁକୁଲ ରାୟ

Advertisment

ଆହୁରି ଫେରିବେ: ମମତା, ବିଜେପିରେ କେହି ରହିବାକୁ ଚାହିବେ ନାହିଁ: ମୁକୁଲ

ଆହୁରି ଫେରିବେ: ମମତା, ବିଜେପିରେ କେହି ରହିବାକୁ ଚାହିବେ ନାହିଁ: ମୁକୁଲ

ପଶ୍ଚିମବଙ୍ଗରେ ବିଜେପିକୁ ଝଟ୍‌କା: ଟିଏମ୍‌ସି ଫେରିଲେ ମୁକୁଲ ରାୟ

DNA India

କୋଲକାତା : ପଶ୍ଚିମବଂଗରେ ନିର୍ବାଚନ ହାରିବା ପରେ ବିଜେପିକୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି। ଦଳର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରାୟ ପୁଅ ଶୁଭ୍ରାଂଶୁ ସହିତ ଆଜି ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ଫେରି ଆସିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ସେମାନେ ଟିଏମ୍‌ସିରେ ସାମିଲ ହୋଇଛନ୍ତି।

ଏ ବାବଦରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମମତା କହିଛନ୍ତି ଯେ ବିଜେପି‌ରେ ବହୁତ ଶୋଷଣ ଚାଲିଛି ଏବଂ ସେଠାରେ କେହି ତିଷ୍ଠିବା କଷ୍ଟକର ହୋଇଯାଇଛି। ବିଜେପି ସାଧାରଣ ଲୋକଙ୍କ ଦଳ ନଥିବାରୁ ଆଗକୁ ଆହୁରି ନେତା ଟିଏମ୍‌ସିକୁ ଫେରିବେ ବୋଲି ମମତା କହିଛନ୍ତି। ମୁକୁଲ ଘରର ପୁଅ ଥିଲେ ଏବଂ ଘରକୁ ଫେରି ଆସିଲେ ବୋଲି ସେ କହିଛନ୍ତି। ମୁକୁଲଙ୍କ ସହିତ ମୋର କୌଣସି ମତଭେଦ ନାହିଁ। ଯେଉଁମାନେ ଟିଏମ୍‌ସି ସହିତ ବିଶ୍ବାସଘାତ କରିଛନ୍ତି, ସେମାନଙ୍କୁ ଦଳରେ ପୁଣି ଗ୍ରହଣ କରାଯିବନାହିଁ। ଯେଉଁମାନେ ସ୍ବାଭାବିକ ଭାବେ ଦଳ ଛାଡ଼ିଛନ୍ତି ସେମାନଙ୍କୁ ଦଳରେ ସ୍ବାଗତ କରାଯିବ ବୋଲି ମମତା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁକୁଲ କହିଛନ୍ତି ଯେ ଏହି ରାଜ୍ୟରେ ଯେଭଳି ସ୍ଥିତି ଲାଗି ରହିଛି ସେଥିରେ କେହି ବିଜେପିରେ ରହିବେ ନାହିଁ । ମମତା ହିଁ ରାଜ୍ୟ ଏବଂ ଦେଶର ଏକମାତ୍ର ନେତ୍ରୀ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ବଡ଼ ବିଜୟ ପରେ ତାଙ୍କର ଅନେକ ପୁରୁଣା ସହଯୋଗ ବିଜେପି ଛାଡ଼ି ପୁଣି ଟିଏମ୍‌ସିକୁ ଫେରିବାକୁ ଚାହୁଛନ୍ତି। ବିଜେପିରେ ଶୁଭେନ୍ଦୁ ଅଧିକାରୀଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯିବାରୁ ଏଥିରେ ବିଚଳିତ ଥିବା ମୁକୁଲ ପ୍ରଥମେ ଟିଏମ୍‌ସିକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଆଗକୁ ଆହୁରି ଅନେକ ନେତା ଦଳକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି। କୃଷ୍ଣନଗର ଉତ୍ତର ବିଧାନସଭା ଆସନରୁ ବିଧାୟକ ଥିବା ମୁକୁଲ ଇସ୍ତଫା ଦେବେ ଏବଂ ସେହି ଆସନରୁ ତାଙ୍କ ପୁଅ ଟିଏମ୍‌ସି ଟିକେଟ୍‌ରେ ନିର୍ବାଚନ ଲଢ଼ିବେ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ଟିଏମସି ମୁକୁଲ ରାୟଙ୍କୁ ୨୦୧୭ରେ ୬ ବର୍ଷ ପାଇଁ ବହିଷ୍କାର କରିଥିଲା ଏବଂ ରାଜ୍ୟରେ ଟିଏମ୍‌ସିର ପ୍ରଥମ ପ୍ରମୁଖ ନେତାଭାବେ ସେ ବିଜେପିରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe