୮୨ ବର୍ଷରେ ବିଶିଷ୍ଟ ରାଜନେତା ମୁଲାୟମ୍‌ ସିଂହ ଯାଦବଙ୍କ ଦେହାନ୍ତ

Advertisment
୮୨ ବର୍ଷରେ ବିଶିଷ୍ଟ ରାଜନେତା ମୁଲାୟମ୍‌ ସିଂହ ଯାଦବଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ୍‌ ସିଂହ ଯାଦବଙ୍କର ଆଜି ପ୍ରତ୍ୟୁଷରେ ଦେହାନ୍ତ ହୋଇଯାଇଥିବା କଥା ଟୁଇଟ୍‌ କରି ପୁତ୍ର ଅଖି‌ଳେଶ ଯାଦବ ସୂଚନା ଦେଇଛନ୍ତି।

ସଂକ୍ଷେପରେ ଅଖିଳେଶ ଲେଖିଛନ୍ତି: ମୋର ଆଦରଣୀୟ ପିତା ତଥା ସମସ୍ତଙ୍କ ନେତା ଆଉ ନାହାନ୍ତି।

ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଅଗଷ୍ଟ ୨୨ ତାରିଖରୁ ଗୁରୁଗ୍ରାମର ମେଦାନ୍ତ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା। ଶ୍ବାସପ୍ରଶ୍ବାସରେ ଅସୁବିଧା ହେଉଥିବାରୁ ‘ଇଣ୍ଟର୍‌ନାଲ୍‌ ମେଡିସିନ୍‌’ ବିଶେଷଜ୍ଞମାନେ ତାଙ୍କର ତତ୍ତ୍ବାବଧାନ କରୁଥିଲେ। ଏହାଛଡ଼ା, ତାଙ୍କର ମୂତ୍ରନଳୀ ମଧ୍ୟ ସଂକ୍ରମିତ ହୋଇଥିଲା। କିନ୍ତୁ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ଅବନତି ଘଟିବାରୁ ତାଙ୍କୁ ‘ଆଇସିୟୁ’ରେ ରଖାଯାଇଥିଲା ବୋଲି ଡାକ୍ତରଖାନାସୂତ୍ରରୁ ପ୍ରକାଶ।

ପତ୍ନୀ ଡିମ୍ପଲ୍‌ଙ୍କ ସହିତ ମୁଲାୟମ୍‌ଙ୍କ ପୁଅ ତଥା ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ଗୁରୁଗ୍ରାମରେ ପହଞ୍ଚିଛନ୍ତି।

publive-image Image Courtesy of NDTV

ପ୍ରବୀଣ ରାଜନେତା ମୁଲାୟମ୍‌ ପୂର୍ବରୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ଭାରତର ପ୍ରତିରକ୍ଷାମନ୍ତ୍ରୀ ଥିଲେ।

ଆଜି ସକାଳ ସକାଳ ପ୍ରାୟ ୮.୧୫ରେ ତାଙ୍କର ପରଲୋକ ହୋଇଯାଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିବା ପରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।

ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ଉତ୍ତର ପ୍ରଦେଶ ଏବଂ ଜାତୀୟ ରାଜନୀତିରେ ମୁଲୟମ୍‌ ସିଂହ ଯାଦବ ପ୍ରସିଦ୍ଧ ଥିଲେ। ଜରୁରୀ ପରିସ୍ଥିତି ବେଳେ ସେ ଥିଲେ ଗଣତନ୍ତ୍ରର ପ୍ରମୁଖ ସୈନିକ। ପ୍ରତିରକ୍ଷା ମନ୍ତ୍ରୀ ଭାବେ ସେ ସୁଦୃଢ଼ ଭାରତ ପାଇଁ କାମ କରିଥିଲେ। ତାଙ୍କର ସଂସଦୀୟ ସମ୍ପୃକ୍ତି ଥିଲା ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଏବଂ ଜାତୀୟ ସ୍ବାର୍ଥକୁ ଅଗ୍ରସର କରାଇବାରେ ସେ ଗୁରୁତ୍ବାରୋପ କରୁଥିଲେ।

ଅଫିସିଆଲ୍‌ ଟୁଇଟର୍‌ ହ୍ୟାଣ୍ଡଲ୍‌ରେ କଂଗ୍ରେସ ଲେଖିଛି: ପୂର୍ବରୁ ଭାରତର ପ୍ରତିରକ୍ଷାମନ୍ତ୍ରୀ ଥିବା ସମାଜବାଦୀ ପାର୍ଟିର ମୁଖ୍ୟ ମୁଲାୟମ୍‌ ସିଂହ ଯାଦବଙ୍କ ବିୟୋଗ ଭାରତୀୟ ରାଜନୀତି ନିମନ୍ତେ ବିରାଟ କ୍ଷତି। ଈଶ୍ବର ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଓ ତାଙ୍କ ପରିବାର ବର୍ଗଙ୍କୁ ସାମର୍ଥ୍ୟ ଦିଅନ୍ତୁ।

ଉତ୍ତର ପ୍ରଦେଶ ବିଧାନସଭା ବାଚସ୍ପତି ସତୀଶ ମହନା ଶୋକବାର୍ତ୍ତାରେ ଲେଖିଛନ୍ତି: ବଡ଼ ଦୁଃଖଦାୟକ ଖବର। ସେ ଥିଲେ ଏ ମାଟିର ସନ୍ତାନ। ନିକଟରେ ମୁଁ ମେଦାନ୍ତକୁ ଯାଇ ଅଖିଳେଶଙ୍କୁ ଭେଟିଥିଲି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି ବୋଲି ଜାଣି ଫେରିଥିଲି। ଏଇଟା ବଡ଼ ଦୁଃଖର ସମୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe