Image Courtesy of Times of India
ମୁମ୍ବାଇ: ସୋମବାର ଅପରାହ୍ଣରେ ମହାରାଷ୍ଟ୍ରର ମତୁଙ୍ଗାରେ ଥିବା ଦାଦ୍କର୍ ମୈଦାନରେ କ୍ରିକେଟ୍ ମ୍ୟାଚ୍ ଚାଲିଥିବା ବେଳେ ମୁଣ୍ଡରେ ବଲ୍ ବାଜିବାରୁ ଜଣେ ୫୨ ବର୍ଷିୟ ଖେଳାଳିଙ୍କର ମୃତ୍ୟୁ ଘଟିଥିବା କଥା ‘ଟାଇମ୍ସ୍ ଅଫ୍ ଇଣ୍ଡିଆ’ ରିପୋର୍ଟ କରିଛି।
ରିପୋର୍ଟରେ ଉଲ୍ଲେଖ ଅଛି, ସେତେବେଳେ ଦୁଇଟି କ୍ରିକେଟ୍ ମ୍ୟାଚ୍ ଚାଲିଥିଲା। ସେଥରୁ ଗୋଟିଏ ମ୍ୟାଚ୍ର ବଲ୍ ଆସି ଆଉ ଗୋଟିଏ ମ୍ୟାଚ୍ରେ ଫିଲ୍ଡିଙ୍ଗ୍ କରୁଥିବା ଉକ୍ତ ଖେଳାଳିଙ୍କ ମୁଣ୍ଡରେ ବାଜିବାରୁ ତାଙ୍କର ମୃତ୍ୟୁ ଘଟିଲା।
Image Courtesy of The Indian Expressଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି, ଜୟେଶ ସୱାଲ୍ ନାମରେ ଉକ୍ତ କ୍ରିକେଟ୍ ଖେଳାଳି ଫିଲ୍ଡିଙ୍ଗ୍ କରୁଥିଲେ। ଏତିକି ବେଳେ ନିକଟରେ ଥିବା ‘ଦାଦର୍ ପାର୍ସି କଲୋନି ସ୍ପୋର୍ଟିଙ୍ଗ୍ କ୍ଲବ୍’ ଗ୍ରାଉଣ୍ଡ୍ରେ ବି ମ୍ୟାଚ୍ ଚାଲିଥିଲା। ସେଠାକାର ଜଣେ ବ୍ୟାଟ୍ସ୍ମ୍ୟାନ୍ଙ୍କ ମାଡ଼ରେ ବଲ୍ ଉଡ଼ିଆସି ପଛପଟୁ ଜୟେଶଙ୍କ କାନମୁଣ୍ଡାରେ ମାଡ଼ ହେଲା। ସେ କଚାଡ଼ି ହୋଇ ପଡ଼ିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଗଲା। କିନ୍ତୁ, ସେ ମୃତ ବୋଲି ଡାକ୍ତରମାନେ ଘୋଷଣା କଲେ।
ସୂଚନାଯୋଗ୍ୟ, ଉଭୟ ମ୍ୟାଚ୍ ୫୦ ବର୍ଷ ବୟସରୁ ଊର୍ଦ୍ଧ୍ବ ଖେଳାଳିଙ୍କ ନିମନ୍ତେ ଆୟୋଜିତ ‘ଟି୨୦ ଟୁର୍ଣ୍ଣାମେଣ୍ଟ୍’ ‘କୁଚ୍ଛି ଭିସା ଓସ୍ୱାଲ୍ ବିକାଶ ଲେଜେଣ୍ଡ୍ କପ୍’ ଉପଲକ୍ଷେ ଖେଳାଯାଉଥିଲା। ସହରରେ ସ୍ଥାନ ଅଭାବରୁ ଗୋଟିଏ ସ୍ଥାନରେ ଏକ ସମୟରେ ଏକାଧିକ ମ୍ୟାଚ୍ ଖେଳାଯାଉଛି।
ପୁଲିସ କହିଛି, ସେମାନେ ଏହାକୁ ଦୁର୍ଘଟଣାଜନିତ ମୃତ୍ୟୁ ଉଲ୍ଲେଖ କରି ରିପୋର୍ଟ ଫାଇଲ୍ କରିଛନ୍ତି। ଶବ ବ୍ୟବଚ୍ଛେଦ କରାଯିବା ପରେ ଏହା ହତ୍ୟାକାଣ୍ଡ ନୁହେଁ ବୋଲି ସ୍ପଷ୍ଟ ହୋଇଛି। ପରେ ଜୟେଶଙ୍କ ଶବ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
Follow Us