ଦୁର୍ଘଟଣା ପରେ ଚେତା ପଶିଲା

ଦୁର୍ଘଟଣା ପରେ ଚେତା ପଶିଲା

ମହାପ୍ରବନ୍ଧକଙ୍କୁ ମିଳିଲା ଅଧିକ କ୍ଷମତା

ଏଲ୍‌ଫିନ୍‌ଷ୍ଟୋନ୍‌ ଫ୍ଲାଏ ଓଭରବ୍ରିଜ୍‌ରେ ଦଳାଚକଟା ହେବା ପରେ କେତେକ ସଂସ୍କାରମୂଳକ ପଦକ୍ଷେପ ରେଳ ମନ୍ତ୍ରୀ ନେଇଛନ୍ତି। ପୂର୍ବରୁ ମୁମ୍ବାଇ ସବ୍‌ଅର୍ବାନ ରେଳ ଷ୍ଟେସନ୍‌ ଏବଂ ସୁରକ୍ଷା ସମ୍ବନ୍ଧିତ ନିର୍ଣ୍ଣୟ ନେବା ଲାଗି ଦିଲ୍ଲୀ ସ୍ଥିତ ରେଳ ବୋର୍ଡକୁ ଫାଇଲ୍‌ ଯାଉଥିଲା। କିନ୍ତୁ ଏବେ ସୁରକ୍ଷା ସମ୍ପର୍କିତ ସମସ୍ତ ନିଷ୍ପତ୍ତି ନେବାର ଅଧିକାର ରେଳ ମହାପ୍ରବନ୍ଧକଙ୍କୁ ମିଳିଛି। ଗ୍ରାଉଣ୍ଡ ଅପରେସନ୍‌ ଏବଂ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ଲାଗି ରେଳ ମୁଖ୍ୟାଳୟରେ ପ୍ରାୟ ୨୦୦ ଅଧିକାରୀ ରହିଛନ୍ତି। ଏବେ ସେମାନେ କ୍ଷେତ୍ର ଅଧିକାରୀଙ୍କ ଭଳି କ୍ଷେତ୍ରକୁ ଯାଇ କାର୍ଯ୍ୟ କରିବେ।
ଅର୍ଥର ଅଭାବ ରହିବନି
ଷ୍ଟେସନ୍‌ ଗୁଡ଼ିକରେ ପାଦଚଲା ଓଭରବ୍ରିଜ୍‌ ଏବଂ ପ୍ଲାଟଫର୍ମର ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ଏଥିପାଇଁ ବଜେଟ୍‌ର କୌଣସି ଅଭାବ ରହିବ ନାହିଁ। ସୁରକ୍ଷା ସମ୍ପର୍କିତ ପ୍ରକଳ୍ପ ଗୁଡ଼ିକୁ ବଜେଟ୍‌ରେ ଧାର୍ଯ୍ୟ ସମୟ ସୀମା ଅନୁଯାୟୀ ଶେଷ କରିବା ନିମନ୍ତେ ୧୮ ମାସ ପାଇଁ ମହାପ୍ରବନ୍ଧକମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ପ୍ରକଳ୍ପର ବଜେଟ ସମ୍ବନ୍ଧିତ ସୂଚନା ୭ ଦିନ ମଧ୍ୟରେ ମହାପ୍ରବନ୍ଧକଙ୍କୁ ବିତ୍ତ ଆୟୁକ୍ତଙ୍କୁ ନିକଟକୁ ପଠାଇବାକୁ ପଡ଼ିବ। ବିତ୍ତ ଆୟୁକ୍ତ ଏହି ରିପୋର୍ଟ ପାଇବାର ୧୫ ଦିନ ମଧ୍ୟରେ ନିଷ୍ପତ୍ତି ନେବାକୁ ହେବ। ଯଦି ବିତ୍ତ ଆୟୁକ୍ତ ପ୍ରକଳ୍ପକୁ ରଦ୍ଦ କରନ୍ତି ତାହେଲେ ସେ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ଲାଗି ରେଳ ବୋର୍ଡକୁ ପଠାଇବାକୁ ହେବ। ବିତ୍ତ ଆୟୁକ୍ତ ମଧ୍ୟ ପ୍ରକଳ୍ପ ସମ୍ପର୍କରେ ତାଙ୍କର ନିଷ୍ପତ୍ତି ୧୫ ଦିନ ମଧ୍ୟରେ ଜଣାଇବେ। ପୂର୍ବରୁ ଏଥିପାଇଁ ଦୀର୍ଘଦିନ ଧରି ଅପେକ୍ଷା କରିବାକୁ ପଡ଼ୁଥିଲା।

ଏ-୧ ବର୍ଗର ଷ୍ଟେସନ୍‌ ପାଇଁ ରହିବେ ନିର୍ଦ୍ଦେଶକ

ଦେଶରେ ସବୁ ଏ-୧ ବର୍ଗର ରେଳ ଷ୍ଟେସନ୍‌ ପାଇଁ ଷ୍ଟେସନ୍‌ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦିଆଯିବ। ଷ୍ଟେସନ୍‌ ନିର୍ଦ୍ଦେଶକଙ୍କ କ୍ଷମତା ପରିସର ଷ୍ଟେସନ୍‌ ମ୍ୟାନେଜରଙ୍କଠାରୁ ଅଧିକ ରହିବ। ମୁମ୍ବାଇରେ ଭିଡ଼ ହେଉଥିବା ଅଧିକାଂଶ ଷ୍ଟେସନ୍‌ ଏ-୧ ବର୍ଗରେ ଆସୁଛି। ବର୍ତ୍ତମାନର ନିୟମ ମୁତାବକ ଷ୍ଟେସନ୍‌ର ବର୍ଗୀକରଣ ମିଳୁଥିବା ରାଜସ୍ୱ ଅନୁଯାୟୀ ହୋଇଥାଏ। କିନ୍ତୁ ଏବେ ପ୍ରତିଦିନ ଷ୍ଟେସନ୍‌କୁ ଯାତୟାତ କରୁଥିବା ଯାତ୍ରୀ ଏବଂ ରାଜସ୍ୱ ଆଧାରରରେ ଷ୍ଟେସନ୍‌ର ବର୍ଗୀକରଣ ହେବ।

ଲୋକାଲ ଟ୍ରେନ୍‌ରେ ସିସିଟିଭି

ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ଲାଗି ମୁମ୍ବାଇର ସମସ୍ତ ଲୋକାଲ ଟ୍ରେନ୍‌ରେ ଆଗାମୀ ୧୫ ମାସ ମଧ୍ୟରେ ସିସିଟିଭି ଲଗାଯିବ। ଏହି ଫୁଟେଜ୍‌କୁ ଟ୍ରେନ୍‌ ଗାର୍ଡ ମଧ୍ୟ ଦେଖିପାରିବେ।

ଭିଆଇପି ସଂସ୍କୃତିରେ ପଡ଼ିବ ପୂର୍ଣ୍ଣଛେଦ

ଶନିବାର ହୋଇଥିବା ବୈଠକରେ ରେଳବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ ଲୋହାନି ଯୋଗଦେଇଥିଲେ। ବୈଠକରେ ଯୋଗଦେବା ପରେ ତାଙ୍କୁ ସ୍ୱାଗତ କରିବା ଲାଗି କେଉଁମାନେ ବିମାନ ବନ୍ଦରକୁ ଯାଇଥିଲେ ତାହାର ତାଲିକା ମାଗିଥିଲେ। ମିଳିଥିବା ସୂଚନା ଅନୁଯାୟୀ ଏ ପ୍ରକାର ଭିଆଇପି ସଂସ୍କୃତିକୁ ଖତମ କରିବା ଲାଗି ଦାୟିତ୍ୱ ନେବା ସମୟରେ ରେଳବୋର୍ଡ ଅଧ୍ୟକ୍ଷ ଗୁରୁତ୍ୱାରୋପ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe