Image Courtesy of India Today
ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ବାସଭବନ ‘ଆଣ୍ଟିଲିଆ’ ପ୍ରତି ସମ୍ଭାବ୍ୟ ବିପଦ ଥିବା କଥା ଜଣେ ଟ୍ୟାକ୍ସି ଡ୍ରାଇଭର୍ ଠାରୁ ସୂଚନା ପାଇବା ପରେ ସୋମବାର ଦିନ ସେଠାରେ ପୁଲିସ ପହରା କଡ଼ାକଡ଼ି କରାଯାଇଥିଲା। କିନ୍ତୁ, ‘ଆଣ୍ଟିଲିଆ’ ପ୍ରତି କୌଣସି ବିପଦ ନ ଥିବା କଥା ପୁଲିସ ଏବେ ସ୍ପଷ୍ଟ କରି ଦେଇଛି।
ଜଣେ ଟ୍ୟାକ୍ସି ଡ୍ରାଇଭର୍ କହିବା ଅନୁସାରେ, ସୋମବାର ଦିନ କ୍ୟାବ୍ରେ ଥିବା କିଛି ସନ୍ଦିଗ୍ଧ ବ୍ୟକ୍ତି ତାଙ୍କୁ ‘ଆଣ୍ଟିଲିଆ’ର ଠିକଣା ପଚାରିଥିଲେ। ପ୍ରଥମେ ସେ ସେମାନଙ୍କୁ ଅନ୍ଲାଇନ୍ରେ ସର୍ଚ କରିବାକୁ କହିଥିଲେ ହେଁ, ପରେ ଠିକଣା ବତାଇ ଦେଇଥିଲେ। ଏହା ପରେ ସେ ଯାଇ ପୁଲିସକୁ ଏକଥା ଜଣାଇଥିଲେ।
ତେଣୁ, ‘ଆଣ୍ଟିଲିଆ’ ଠିକଣା ପଚାରିଥିବା କ୍ୟାବ୍ ଚାଳକକୁ ଧରିବା ପାଇଁ ପୁଲିସ ତଲାସ ଆରମ୍ଭ କରିଥିଲା। ମୁମ୍ବାଇର ବିଭିନ୍ନ ସ୍ଥାନରେ ଚେକ୍ପଏଣ୍ଟ୍ ବସାଯିବା ସହ ଛତ୍ରପତି ଶିବାଜୀ ଟର୍ମିସନ୍ ଚତୁର୍ପାଶ୍ବରେ ଥିବା ‘ସିସିଟିଭି ଫୁଟେଜ୍’ ଯାଞ୍ଚ କରାଯାଇଥିଲା।
Image Courtesy of Opindiaସୋମବାର ରାତିରେ ସମ୍ପୃକ୍ତ କ୍ୟାବ୍ ଡ୍ରାଇଭର୍ଙ୍କ ସନ୍ଧାନ ପାଇବା ପରେ ମୁମ୍ବାଇ ପୁଲିସ ଜାଣିଲା ଯେ, ବିପଦର କୌଣସି ଆଶଙ୍କା ନାହିଁ। ସେ କ୍ୟାବ୍ରେ ଗୁଜରାଟର ତିନିଜଣ ଲୋକ ଗେଟ୍ୱେ ଅଫ୍ ଇଣ୍ଡିଆ ଭଳି ପର୍ଯ୍ୟଟନସ୍ଥଳୀ ବୁଲୁଥିଲେ। ସମୋନେ ‘ଆଣ୍ଟିଲିଆ’ ମଧ୍ୟ ପରିଦର୍ଶନ କରିବାକୁ ଚାହୁଁଥିଲେ। ସେଥିପାଇଁ ସେ କ୍ୟାବ୍ ଡ୍ରାଇଭର୍ଜଣକ ଅନ୍ୟ ଜଣେ କ୍ୟାବ୍ ଡ୍ରାଇଭର୍ଙ୍କୁ ‘ଆଣ୍ଟିଲିଆ’ର ଠିକଣା ପଚାରୁଥିଲେ। ‘ଆଣ୍ଟିଲିଆ’ ଦେଖି ସାରି ସମ୍ପୃକ୍ତ ପର୍ଯ୍ୟଟକମାନେ ସେହି ଦିନ ହିଁ ଗୁଜରାଟ ଫେରିଯାଇଥିଲେ।
ସନ୍ଦିଗ୍ଧ କ୍ୟାବ୍ ଡ୍ରାଇଭର୍ଙ୍କୁ ବାଶିରେ ମୁମ୍ବାଇ ପୁଲିସ ଅଟକ ରଖିଥିଲା। ତାଙ୍କର କୌଣସି ଅପରାଧିକ ଇତିବୃତ୍ତ ନ ଥିବାରୁ ପରେ ପୁଲିସ ତାଙ୍କୁ ଛାଡ଼ି ଦେଇଥିଲା।
ଏ ସଂକ୍ରାନ୍ତରେ ଜଣେ ପୁଲିସ ଅଧିକାରୀ କହିଛନ୍ତି, ଆମେ କଥାଟିକୁ ସକାରାତ୍ମକ ଭାବେ ଗ୍ରହଣ କରୁଛୁ। ଅନ୍ତତଃ, ଲୋକେ ସଚେତନ ଅଛନ୍ତି ଏବଂ କିଛି ସନ୍ଦିଗ୍ଧ ସୂଚନା ପାଇଲେ ପୁଲିସକୁ ଜଣାଉଛନ୍ତି।
Follow Us