ମୁମ୍ବାଇ: ମୁମ୍ବାଇ ଗେଟ୍ୱେ ଅଫ୍ ଇଣ୍ଡିଆ ଠାରୁ ଏଲିଫାଣ୍ଟା ଦ୍ବୀପକୁ ପ୍ରାୟ ୧୧୦ ଯାତ୍ରୀଙ୍କୁ ନେଇ ଆରବ ସାଗରରେ ଯାଉଥିବା ଏକ ଯାତ୍ରୀବାହୀ ବୋଟ୍ ବୁଡ଼ିଯାଇଥିବା ଘଟଣା ଗତ ଦୁଇ ଦିନ ହେବ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନୌସେନାର ଏକ ସ୍ପିଡ୍ ବୋଟ୍ ଇଞ୍ଜିନ ପରୀକ୍ଷଣ ବେଳେ ନିୟନ୍ତ୍ରଣ ହରାଇ ଏକ ଯାତ୍ରୀବାହୀ ବୋଟ୍ ସହ ପିଟି ହୋଇ ବୁଡ଼ିଯାଇଥିଲା।
ଏହି ଅଘଟଣରେ ଅନେକ ଯାତ୍ରୀଙ୍କ ଜୀବନ ବିପଦ ମୁହାଁ ହୋଇଥିବା ବେଳେ ସେହି ସମୟରେ ଯାତ୍ରୀଙ୍କ ପାଇଁ ଈଶ୍ବର ସାଜିଥିଲେ କ୍ୟାପ୍ଟେନ୍ ଅନ୍ମୋଲ୍ ଶ୍ରୀବାସ୍ତବ। କ୍ୟାପ୍ଟେନ୍ ଶ୍ରୀବାସ୍ତବ ୧୨ ଜଣିଆ ଏକ ବୋଟ୍ ବ୍ୟବହାର କରି ୫୬ ଜଣଙ୍କ ଜୀବନ ବଞ୍ଚାଇଥିଲେ। ତାଙ୍କର ଏହି ସାହସିକ କାର୍ଯ୍ୟ ପାଇଁ ତାଙ୍କୁ ଗଣତନ୍ତ୍ର ଦିବସରେ ସମ୍ମାନିତ କରାଯିବ।
ଗେଟୱେ ଅଫ୍ ଇଣ୍ଡିଆରୁ ଏଲିଫାଣ୍ଟା ଦ୍ୱୀପକୁ ଯାଉଥିବା ‘ନିଲ କମଲ’ ବୋଟ୍ ଭାରସାମ୍ୟ ହରାଇ ଏକ ନୌସେନା ବୋଟ୍ରେ ପିଟିହେବା ପରେ ଅଘଟଣ ଘଟି ଶହ ଶହ ଯାତ୍ରୀଙ୍କ ଜୀବନ ବିପଦମୁଖକୁ ଚାଲି ଯାଇଥିଲା। ତେବେ କ୍ୟାପ୍ଟେନ୍ ଶ୍ରୀବାସ୍ତବଙ୍କ ବୀରତ୍ୱ ପାଇଁ ଅନେକ ଜୀବନ ବଞ୍ଚିଯାଇଛି। ସେ ଉଚିତ ସମୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିନଥିଲେ। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇଥାନ୍ତା ବୋଲି ଅନୁମାନ କରାଯାଉଛି।
ଜବାହରଲାଲ ନେହେରୁ ବନ୍ଦରରେ ଏବଂ ବାହାରେ ବଡ ବଡ ମାଲ ପରିବହନ ଜାହାଜକୁ ମାର୍ଗଦର୍ଶନ କରିବା ପାଇଁ କ୍ୟାପଟେନ ଶ୍ରୀବାସ୍ତବ ବୁଧବାର ଦିନ ଡ୍ୟୁଟିରେ ଥିଲେ। ସେହି ସମୟରେ ସେ ବୁଡ଼ି ଯାଉଥିବା ବୋଟ୍ ବିଷୟରେ ରେଡିଓରେ ଏକ ଏସ୍ଓଏସ୍ କଲ ପାଇଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ କ୍ୟାପଟେନ ଶ୍ରୀବାସ୍ତବ ଜାଣିବାକୁ ପାଇଲେ ଯେ ସେହି ବୋଟ୍ରେ ଅନେକ ଶିଶୁ, ବୃଦ୍ଧ ମଧ୍ୟ ଥିଲେ। ସେ ପ୍ରଥମେ ସେମାନଙ୍କର ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ଏହି ଦୁର୍ଘଟଣାରେ ୩ ନୌସେନା କର୍ମଚାରୀଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି।
Follow Us