ଆଫଗାନ-ତାଲିବାନ ଆକ୍ରମଣ ଘଟଣାରେ ଗୁଇନ୍ଦା ବିଫଳତା ଶୀର୍ଷ ଜେନେରାଲଙ୍କୁ ଭର୍ତ୍ସନା କଲେ ମୁନିର

ଡୁରାଣ୍ଡ ଲାଇନରେ ଥିବା ପାକିସ୍ତାନୀ ସାମରିକ ପୋଷ୍ଟ ଉପରେ ଆଫଗାନ-ତାଲିବାନ ଯୋଦ୍ଧାମାନଙ୍କ ସମନ୍ୱିତ ଓ ସଫଳ ଆକ୍ରମଣ  ପାକିସ୍ତାନକୁ ଦୋହଲାଇ ଦେଇଛି।  ପାକ୍‌ ସେନାମୁଖ୍ୟ...

Untitled-11

ଇସଲାମାବାଦ: ଡୁରାଣ୍ଡ ଲାଇନରେ ଥିବା ପାକିସ୍ତାନୀ ସାମରିକ ପୋଷ୍ଟ ଉପରେ ଆଫଗାନ-ତାଲିବାନ ଯୋଦ୍ଧାମାନଙ୍କ ସମନ୍ୱିତ ଓ ସଫଳ ଆକ୍ରମଣ  ପାକିସ୍ତାନକୁ ଦୋହଲାଇ ଦେଇଛି।  ପାକ୍‌ ସେନାମୁଖ୍ୟ ଫିଲ୍ଡ ମାର୍ଶଲ ଅସୀମ ମୁନିର ଗତରାତିରେ ରାୱଲପିଣ୍ଡିସ୍ଥିତ ଜେନେରାଲ୍ ମୁଖ୍ୟାଳୟରେ ଏକ ଜରୁରିକାଳୀନ ଉଚ୍ଚସ୍ତରୀୟ ବୈଠକ ଡକାଇ ଏ ବାବଦରେ ଆଲୋଚନା କରିଛନ୍ତି।
ଶୀର୍ଷ ଗୁଇନ୍ଦା ସୂତ୍ରରୁ ପ୍ରକାଶ୍ୟ ଯେ, ଏହି ବୈଠକରେ ପେଶାୱାର କର୍ପସ୍ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ୍ ଓମାର ଅହମଦ ବୋଖାରୀ, ଦକ୍ଷିଣ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ୍ ରାହତ ନସିମ୍ ଅହମଦ ଖାନ୍, ଚିଫ୍ ଅଫ୍ ଜେନେରାଲ୍ ଷ୍ଟାଫ୍ (ସିଜିଏସ୍) ଲେଫ୍ଟନାଣ୍ଟ ଜେନେରାଲ୍ ମହମ୍ମଦ ଆବାଇସ୍, ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଡିଜି) ଅସିମ୍ ମଲିକ, ମିଲିଟାରୀ ଇଣ୍ଟେଲିଜେନ୍ସ (ଡିଜିଏମ୍ଆଇ) ମହାନିର୍ଦ୍ଦେଶକ ମେଜର ଜେନେରାଲ୍ ୱାଜିଦ୍ ଅଜିଜ୍ ଓ ମିଲିଟାରୀ ଅପରେସନ୍ (ଡିଜିଏମ୍ଓ) ମହାନିର୍ଦ୍ଦେଶକ ମେଜର ଜେନେରାଲ୍ କାଶିଫ୍ ଅବଦୁଲ୍ଲା ପ୍ରମୁଖ ଯୋଗ ଦେଇଥିଲେ। 

ଗୁଇନ୍ଦା ସୂତ୍ର ଅନୁଯାୟୀ, ମୁନିର ତାଙ୍କ ଶୀର୍ଷ କମାଣ୍ଡରମାନଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ଆଫଗାନ-ତାଲିବାନ ଆକ୍ରମଣକୁ ସେ ପାକିସ୍ତାନର ପଶ୍ଚିମ ସୀମାରେ ଏକ ପ୍ରମୁଖ ଗୁଇନ୍ଦା ବିଫଳତା ବୋଲି ବର୍ଣ୍ଣନା କରିଛନ୍ତି। ସେ ପ୍ରତ୍ୟେକ ଅଧିକାରୀଙ୍କଠାରୁ ଉତ୍ତର ମାଗିଥିଲେ- ଏତେ ବଡ଼ ଆକ୍ରମଣର ଆଗୁଆ ଗୁଇନ୍ଦା ସୂଚନା କାହିଁକି ମିଳିପାରି ନ ଥିଲା ଏବଂ ଶୀଘ୍ର ପ୍ରତିଆକ୍ରମଣ ପାଇଁ ତୁରନ୍ତ ସାମରିକ ବ୍ୟାକ୍‌ଅପ୍ କାହିଁକି ପ୍ରସ୍ତୁତ ହୋଇ ନ ଥିଲା। ମୁନିର ସମସ୍ତ ବରିଷ୍ଠ କମାଣ୍ଡରଙ୍କୁ ସାତ ଦିନ ମଧ୍ୟରେ ଚିଫ୍ ଅଫ୍ ଜେନେରାଲ୍ ଷ୍ଟାଫ୍‌ଙ୍କ କାର୍ଯ୍ୟାଳୟରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ କ୍ଷେତ୍ରରେ ସତର୍କତା ନିଶ୍ଚିତ କରିବାକୁ ଏବଂ ଅଧିକ କ୍ଷତିକୁ ଏଡାଇବା ପାଇଁ ସମସ୍ତ ଦିଗରେ ଅତିରିକ୍ତ ପଦକ୍ଷେପ ନେବାକୁ ସେ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମୁନିର ଜେନେରାଲମାନଙ୍କୁ ମନେ ପକାଇ ଦେଇଛନ୍ତି ଯେ ଉଭୟ ଭିତରେ ଓ ବାହାରେ ପାକିସ୍ତାନ ଯୁଦ୍ଧରେ ଅଛି ଏବଂ ଆତଙ୍କବାଦ ବିରୋଧରେ ଲଢ଼େଇରେ ପାକିସ୍ତାନକୁ ଏକ ‘କଠୋର ରାଷ୍ଟ୍ର’ରେ ପରିଣତ କରିବାକୁ ହେବ। ବିଫଳତାର ପୁନରାବୃତ୍ତିକୁ ରୋକିବା ପାଇଁ ସେ ଜେନେରାଲମାନଙ୍କୁ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe