Image Courtesy of NDTV
ଲଣ୍ଡନ: ଭାଲେଣ୍ଟାଇନ୍ସ୍ ଡେ’ରେ କାର୍ଯ୍ୟକ୍ଷେତ୍ରରୁ ସାଇକେଲ୍ ଚଢ଼ି ଘରୁକୁ ଫେରୁଥିବା ଜଣେ ଭାରତୀୟ ରେସ୍ତୋରାଁ ମ୍ୟାନେଜର୍ଙ୍କୁ ହତ୍ୟା କରାଯିବା ଘଟଣାରେ ସମ୍ପୃକ୍ତ ଥିବା ୮ଜଣଙ୍କୁ ବ୍ରିଟିସ୍ ପୁଲିସ ଗିରଫ କରିଛି।
ନିହତ ଭାରତୀୟ ନାଗରିକ ୩୬ ବର୍ଷିୟ ବିଘ୍ନେଶ ପଟ୍ଟଭିରମଣ ଥିଲେ ତାମିଲନାଡୁ ଅନ୍ତର୍ଗତ କୋଏମ୍ବାଟୁର୍ର ମୂଳ ବାସିନ୍ଦା। ଫେବ୍ରୁଆରି ୧୪ ତାରିଖ ମଧ୍ୟରାତ୍ରର କିଛିକ୍ଷଣ ଆଗରୁ ରେଡିଙ୍ଗ୍ ନଗରୀର ଆବାସିକ ଅଞ୍ଚଳ ନିକଟ ଆଡିଙ୍ଗ୍ଟନ୍ ରୋଡ୍ରେ ତାଙ୍କୁ ଗୋଟାଏ ଗାଡ଼ି ଧକ୍କା ଦେଇ ଦ୍ରୁତ ବେଗରେ ଘଟଣାସ୍ଥଳରୁ ଚାଲିଯାଇଥିଲା। ସେ ମୃତ ବୋଲି ପରେ ରୟାଲ୍ ବର୍କସାୟର୍ ହସ୍ପିଟାଲ୍ ଘୋଷଣା କରିଥିଲା।
ଟେମସ୍ ଉପତ୍ୟକା ପୁଲିସର ଅପରାଧିକ ୟୁନିଟ୍ ଏଥିପାଇଁ ନରହତ୍ୟା ତଦନ୍ତ ଆରମ୍ଭ କରିଛି। ପୁଲିସର ଜଣେ ମୁଖପାତ୍ର କହିଛନ୍ତି, ମନେ ହେଉଛି ଗାଡ଼ିରେ ଥିବା ବ୍ୟକ୍ତିଜଣକ ସାଇକେଲ୍ ଆରୋହୀଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଖସି ପଳାଇଛନ୍ତି।
ବିଘ୍ନେଶଙ୍କୁ ହତ୍ୟା କରିଥିବା ସନ୍ଦେହରେ ସୋମବାର ଦିନ ରେଡିଙ୍ଗ୍ରୁ ଜଣେ ୨୪ ବର୍ଷିୟ ଯୁବକଙ୍କୁ ଗିରଫ କରାଯାଇଛି। ତାଙ୍କୁ ସହାୟତା କରିଥିବା ସନ୍ଦେହରେ ମଧ୍ୟ ରେଡିଙ୍ଗ୍ରୁ ୨୦,୨୧,୨୪,୨୭,୩୧, ୪୧ ଓ ୪୮ ବର୍ଷର ୭ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସମସ୍ତେ ହାଜତରେ ଅଛନ୍ତି।
ଭାରତରେ ଜନ୍ମିତ ପଟ୍ଟଭିରମଣ ପ୍ରାୟ ବର୍ଷେ ତଳେ ଦୋହାରୁ ବ୍ରିଟେନ୍ ଯାଇ ସେଠାରେ ଗୋଟାଏ ହିୟାତ୍ ହୋଟେଲ୍ରେ ରେସ୍ତୋରାଁ ମ୍ୟାନେଜର୍ ଭାବେ ଯୋଗ ଦେଇଥିଲେ। ରେଡିଙ୍ଗ୍ ନଗରୀରେ ସେ ସ୍ତ୍ରୀ ରମୟାଙ୍କ ସହିତ ବାସ କରୁଥିଲେ।
Follow Us