Photograph: (google)
ଅଲୱାର: ଜେଲରେ ପ୍ରେମ ଓ ବିବାହ ପାଇଁ ପାରୋଲରେ ଆସିବା ପରି ଏକ କାହାଣୀ ରାଜସ୍ଥାନରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। କୌଣସି ଚଳଚ୍ଚିତ୍ରର କାହାଣୀ ପରି ମନେ ହେଉଥିଲେ ମଧ୍ୟ ପ୍ରିୟା ସେଠ୍ ଓରଫ ନେହା ସେଠ ଓ ହନୁମାନ ପ୍ରସାଦଙ୍କୁ ସେମାନଙ୍କ ବାହାଘର ପାଇଁ ରାଜସ୍ଥାନ ହାଇକୋର୍ଟରୁ ୧୫ ଦିନିଆ ଜରୁରୀକାଳୀନ ପାରେଲ ମିଳିଛି। ପ୍ରିୟା ଜଣେ ମଡେଲ। ଏକ ଡେଟିଂ ଆପ୍ରେ ସେ ଭେଟିଥିବା ଦୁଷ୍ୟନ୍ତ ଶର୍ମା ନାମକ ଜଣେ ଯୁବକଙ୍କୁ ହତ୍ୟା କରିବା ଅପରାଧରେ ସାଙ୍ଗାନେର୍ ମୁକ୍ତାକାଶ ଜେଲରେ ସଜ୍ଜା କାଟୁଛନ୍ତି। ପ୍ରିୟା ତାଙ୍କ ବୟଫ୍ରେଣ୍ଡ ଦିକ୍ଷାନ୍ତ କାମରା ଓ ଅନ୍ୟ ଜଣେ ଲୋକ ସହିତ ମିଶି ୨୦୧୮ ମସିହାରେ ଦୁଷ୍ୟନ୍ତ ଶର୍ମାଙ୍କୁ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡ ପାଇଁ ପ୍ରିୟା ଏବେ ସାଙ୍ଗାନେର୍ ମୁକ୍ତାକାଶ ଜେଲରେ ଅଛନ୍ତି। ଛଅ ମାସ ତଳେ ସେ ଜେଲରେ ହନୁମାନ ପ୍ରସାଦଙ୍କୁ ଭେଟିଥିଲେ। ହନୁମାନ ପ୍ରସାଦ ୫ ଜଣ ଲୋକଙ୍କୁ ହତ୍ୟା କରିବା ଅପରାଧରେ ଜେଲ ଦଣ୍ଡାଦେଶ ଭୋଗୁଛନ୍ତି। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସୂଚନାଯୋଗ୍ୟ, ହନୁମାନ ପ୍ରସାଦ ତାଙ୍କଠାରୁ ୧୦ ବର୍ଷ ବଡ଼ ଗର୍ଲଫ୍ରେଣ୍ଡର ସ୍ବାମୀ ଓ ପିଲାଙ୍କୁ ଅତି ବର୍ବରତା ସହିତ ହତ୍ୟା କରିଥିଲେ। ଅଲୱାରର ଜଣେ ତାଇକୋଣ୍ଡୋ ଖେଳାଳି ସନ୍ତୋଷ ୨୦୧୭ ମସିହା ଅକ୍ଟୋବର ୨ ରାତିରେ ହନୁମାନ ପ୍ରସାଦଙ୍କୁ ତାଙ୍କ ସ୍ବାମୀ ଓ ପିଲାଙ୍କୁ ହତ୍ୟା କରିବାକୁ ଡାକିଥିଲେ। ପଶୁଙ୍କୁ ହତ୍ୟା କରିବାକୁ ବ୍ୟବହାର ହେଉଥିବା ଛୁରିରେ ହନୁମାନ ପ୍ରସାଦ ୪ ଜଣ ଶିଶୁଙ୍କ ସମେତ ୫ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡ ସେତେବେଳେ ଅଲୱାରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।
ଏହି ହତ୍ୟାକାଣ୍ଡ ଏବେ ପ୍ରିୟା ଓ ହନୁମାନ ପ୍ରସାଦଙ୍କୁ ଏକାଠି କରିଛି। ରାଜସ୍ଥାନ ହାଇକୋର୍ଟରୁ ପାରୋଲ ମିଳିବା ପରେ ପ୍ରିୟା ଓ ହନୁମାନ ପ୍ରସାଦ ଅଲୱାରର ବରୋଦାମେଭରେ ଶୁକ୍ରବାର ବିବାହ କରିବେ।
ଆହୁରି ପଢ଼ନ୍ତୁ: ନିବେଶକ ହରାଇଲେ ୬ ଲକ୍ଷ କୋଟି ଟଙ୍କା
Follow Us