ନୂଆଦିଲ୍ଲୀ: ୧୬ ଓ ୨୧ ବର୍ଷର ଏକ ମୁସଲିମ ଦମ୍ପତିଙ୍କୁ ସୁରକ୍ଷା ପ୍ରଦାନ କରି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସୋମବାର ରାୟ ଦେଇଛନ୍ତି ଯେ ୧୬ ବର୍ଷ ବୟସର ଜଣେ ମୁସଲମାନ ତରୁଣୀ ତା’ ମନ ପସନ୍ଦର ଯୁବକକୁ ବିବାହ କରିପାରିବ। ଜଷ୍ଟିସ୍ ଜସଜିତ ସିଂହ ବେଦୀଙ୍କ ଜଣିକିଆ ବେଞ୍ଚ ସୁରକ୍ଷା ପାଇଁ ଆବେଦନ କରିଥିବା ପଠାନକୋଟର ଏକ ମୁସଲିମ ଦମ୍ପତିଙ୍କ ସପକ୍ଷରେ ଏହି ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି, ଏହି ଯୁବକ-ଯୁବତୀ ତାଙ୍କ ପରିବାର ସଦସ୍ୟଙ୍କ ଇଚ୍ଛା ବିରୋଧରେ ବିବାହ କରିଛନ୍ତି ବୋଲି ସେମାନଙ୍କୁ ସେମାନଙ୍କ ସାମ୍ବିଧାନିକ ମୌଳିକ ଅଧିକାରରୁ ବଞ୍ଚିତ କରାଯାଇ ପାରିବ ନାହିଁ।
ଜଷ୍ଟିସ୍ ବେଦୀ କହିଲେ ଯେ ମୁସଲମାନ ଝିଅଙ୍କ ବିବାହ ମୁସଲିମ ପର୍ସନାଲ ଲ ଅନୁଯାୟୀ ହୋଇଥାଏ। ସାର୍ ଦିନଶାହ ଫର୍ଦ୍ଦୁନଜୀ ମୁଲ୍ଲାଙ୍କ ଦ୍ବାରା ଲିଖିତ ‘ପ୍ରିନ୍ସିପ୍ଲ୍ସ ଅଫ୍ ମହମ୍ମଡାନ ଲ’ ପୁସ୍ତକର ଧାରା ୧୯୫ ଅନୁସାରେ ଆବେଦନକାରୀ ଝିଅର ବୟସ ୧୬ ବର୍ଷରୁ ଅଧିକ ହୋଇଥିବାରୁ ସେ ନିଜ ପସନ୍ଦରେ ବିବାହ କରିପାରିବ। ଆବେଦନକାରୀ ଯୁବକଟିର ବୟସ ବି ୨୧ରୁ ଅଧିକ। ତେଣୁ ମୁସଲିମ ଆଇନ ଅନୁଯାୟୀ ଉଭୟ ବିବାହ କରିବାରେ କୌଣସି ବାଧା ନାହିଁ। କୋର୍ଟ ପଠାନକୋଟ ପୁଲିସକୁ ଦମ୍ପତିଙ୍କୁ ସୁରକ୍ଷା ଦେବା ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଜୁନ୍ ୮ ତାରିଖରେ ଦମ୍ପତି ମୁସଲମାନ ବିଧି ଅନୁସାରେ ନିକାହ କରିଥିଲେ। କିନ୍ତୁ ସେମାନଙ୍କ ପରିବାର ଏହାକୁ ବିରୋଧ କରିଥିଲେ। ମୁସଲମାନ ଆଇନ ଅନୁସାରେ ଗୋଟିଏ ଝିଅ ଗର୍ଭଧାରଣକ୍ଷମ ହେବା ପରେ ବିବାହଯୋଗ୍ୟା ହୁଏ ଏବଂ ଏହାକୁ ହାରାହାରି ୧୫ ବର୍ଷ ବୋଲି ଧରାଯାଇଛି।
Follow Us