ଲକ୍ଷ୍ନୌ : ଅଯୋଧ୍ୟା ମାମଲାରେ ସୁପ୍ରିମ୍ କୋର୍ଟଙ୍କ ୫ ଜଣିଆ ସମ୍ବିଧାନ ପୀଠ ଦେଇଥିବା ରାୟକୁ ଅଲ୍ ଇଣ୍ଡିଆ ମୁସ୍ଲିମ୍ ପର୍ସନାଲ ଲ’ ବୋର୍ଡ (ଏଆଇଏମ୍ପିଏଲ୍ବି) ଆଜି ପ୍ରତ୍ୟାଖ୍ୟାନ କରିଛି। ବାବ୍ରି ମସ୍ଜିଦ ବଦଳରେ ମୁସ୍ଲିମ ପକ୍ଷକୁ ଦିଆଯାଇଥିବା ୫ ଏକର ଜମି ଆମ ପାଇଁ ଗ୍ରହଣୀୟ ନୁହେଁ ଏବଂ ସୁପ୍ରିମ୍ କୋର୍ଟ ରାୟ ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କରାଯିବ ବୋଲି ବୋର୍ଡର ଅଧ୍ୟକ୍ଷ ରାବେ ହସନ ନଦ୍ବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୋଷଣା କରାଯାଇଛି। ଯେଉଁ ସ୍ଥାନରେ ମସ୍ଜିଦ୍ ଥିଲା ତାହା ଅଲ୍ଲାଙ୍କ ସ୍ଥଳ, ତେଣୁ ଆମେ ବିକଳ୍ପ ଜମି ଗ୍ରହଣ କରିବା ପ୍ରଶ୍ନ ଉଠୁନାହିଁ ବୋଲି ଏଆଇଏମ୍ପିଏଲ୍ବି କହିଛି। ଇସ୍ଲାମିକ ଆଇନରେ ଏଭଳି ବିକଳ୍ପ ଜମି ଗ୍ରହଣ କରିବା ବ୍ୟବସ୍ଥା ନଥିବାରୁ ସୁପ୍ରିମ୍ କୋର୍ଟରେ ଖୁବ୍ଶୀଘ୍ର ପୁନର୍ବିଚାର ଆବେଦନ ଦାଖଲ କରାଯିବ ବୋଲି କୁହାଯାଇଛି।
ମୁସ୍ଲିମ ପକ୍ଷର ଓକିଲ ଜଫରୟାବ ଜିଲାନିଙ୍କ ଉପସ୍ଥିତିରେ ବୋର୍ଡ ସଦସ୍ୟ ଏସ୍କ୍ୟୁଆର୍ ଇଲିୟାସୀ କହିଛନ୍ତି ଯେ ବାବରଙ୍କ ସେନାପତି ମୀର୍ ବାକି ସେଠାରେ ମସ୍ଜିଦ୍ ନିର୍ମାଣ କରିଥିଲେ ବୋଲି ସୁପ୍ରିମ୍ କୋର୍ଟ ଗ୍ରହଣ କରିଛନ୍ତି। ତେଣୁ ସେଠାରେ ପୂର୍ବରୁ ମନ୍ଦିର ଥିବା ଦାବିକୁ ଆମେ ସ୍ବୀକାର କରିବୁ ନାହିଁ। ୧୯୪୯ରେ ସଂପୃକ୍ତ ଅଂଚଳରେ ବଳପୂର୍ବକ ମୂର୍ତ୍ତି ରଖାଯାଇଥିଲା ଏବଂ ଏହି ଆଧାରରେ ଆମେ ମସ୍ଜିଦ ସ୍ଥଳକୁ ନେଇ କୌଣସି ପରିବର୍ତ୍ତନକୁ ଗ୍ରହଣ କରିବୁ ନାହିଁ। ଏହାଛଡ଼ା ରାମ ଜନ୍ମଭୂମିକୁ ଏକ ପକ୍ଷ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ତେଣୁ ଏହି ଆଧାରରେ ରାୟ ଦିଆଯାଇଥିବାରୁ ଏହାକୁ ସ୍ବୀକାର କରାଯିବ ନାହିଁ। ୬ ଡିସେମ୍ବରରେ ୧୯୯୨ରେ ମସ୍ଜିଦ୍ଙ୍କୁ ଧ୍ବଂସ କରିଦିଆ ଯାଇଥିଲା। ଏହା ସତ୍ତ୍ବେ ସୁପ୍ରିମ୍ କୋର୍ଟ ମନ୍ଦିର ସପକ୍ଷରେ ରାୟ ଦେଇଥିବାରୁ ଏହାକୁ ଚ୍ୟାଲେଂଜ କରାଯିବ ବୋଲି ଇଲିୟାସୀ କହିଛନ୍ତି।
ମୁସ୍ଲିମ ପର୍ସନାଲ ଲ ବୋର୍ଡ ମହାସଚିବ ମୌଲାନା ବଲି ରହମାନୀ ସରିଆତର ଉଦାହରଣ ଦେଇ କହିଛନ୍ତି ଯେ ମସ୍ଜିଦ୍ ଯେଉଁଠି ନିର୍ମାଣ ହୁଏ, ସେଠାରେ ମସ୍ଜିଦ୍ ହିଁ ରହିଥାଏ। ଏଥିରେ କୌଣସି ପରିବର୍ତ୍ତନକୁ ଗ୍ରହଣ କରାଯିବା ବ୍ୟବସ୍ଥା ଇସ୍ଲାମରେ ନାହିଁ। ମୁସ୍ଲିମ୍ ପର୍ସନାଲ ଲ’ ବୋର୍ଡର ଏହି ନିଷ୍ପତ୍ତିକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ପୂର୍ବରୁ ବୋର୍ଡ ସୁପ୍ରିମ୍ କୋର୍ଟ ରାୟକୁ ସ୍ବାଗତ କରିଥିବା ବେଳେ ଏବେ ଅଚାନକ ଆଭିମୁଖ୍ୟ ବଦଳାଇଥିବାରୁ ବିଭିନ୍ନ ମହଲ ଏ ନେଇ ପ୍ରଶ୍ନ ଉଠାଇଛନ୍ତି।
Follow Us