ବେଜିଂ: ହ୍ବାଟ୍ସଆପ୍ ବା ସ୍କୁଲ ଜିମେଲ ଆକାଉଣ୍ଟ ବ୍ୟବହାର କରିବା ଅପରାଧରେ ଚୀନ୍ ମୁସଲିମ ମହିଳାମାନଙ୍କୁ ମାସ ମାସ ଧରି ଅଟକ ରଖୁଥିବା ନିକଟରେ ପ୍ରକାଶିତ ‘ଇନ୍ ଦ କ୍ୟାମ୍ପସ୍: ଚାଇନାଜ୍ ହାଇଟେକ୍ ପେନାଲ କଲୋନି’ ଶୀର୍ଷକ ପୁସ୍ତକରେ ଉଲ୍ଲେଖ କରାଯାଇଛି। ମୁସଲିମ ମହିଳାମାନେ ହ୍ବାଟ୍ସଆପ୍ ବ୍ୟବହାର କରିବାକୁ ସାଇବର ‘ପ୍ରି-କ୍ରାଇମ୍’ (ପ୍ରାକ୍-ଅପରାଧ) ଏବଂ ସମ୍ପୃକ୍ତ ମହିଳାମାନଙ୍କୁ ‘ପ୍ରି-କ୍ରିମିନାଲ’ (ପ୍ରାକ୍-ଅପରାଧୀ) ଭାବେ ଅଭିହିତ କରାଯାଉଛି।
ଏଥିରେ ବେରା ଝୋଙ୍କ ଉଦାହରଣ ଦିଆଯାଇଛି, ଯିଏ କି ୟୁନିଭର୍ସିଟି ଅଫ୍ ୱାଶିଂଟନର ଛାତ୍ରୀ। ସେ ନିକଟରେ ଭିର୍ଚୁଆଲ ପ୍ରାଇଭେଟ ନେଟ୍ୱାର୍କ (ଭିପିଏନ୍) ବ୍ୟବହାର କରି ତାଙ୍କ ସ୍କୁଲର ଜିମେଲ ଆକାଉଣ୍ଟ ଖୋଲିଥିଲେ ଏବଂ ଚୀନ୍ର ଶିଂଜିଆଙ୍ଗରେ ନିଜର ହୋମ୍ୱାର୍କ ଦାଖଲ କରିଥିଲେ। ଏଥିପାଇଁ ତାଙ୍କୁ ପ୍ରାକ୍-ଅପରାଧୀ ଭାବେ ଅଟକ ରଖାଯାଇଥିବା ଏକ ଇଂରାଜୀ ଦୈନିକରେ ପ୍ରକାଶ ପାଇଛି। ଝୋଙ୍କୁ ଛଅମାସ ଅଟକ ରଖାଯିବା ପରେ କେତେକ ସର୍ତ୍ତରେ ଛଡ଼ାଯାଇଛି। ସର୍ତ୍ତ ଭିତରେ ଅଛି ସେ ନିକଟସ୍ଥ ନିର୍ଦ୍ଦିଷ୍ଟ ଅଞ୍ଚଳରେ ରହିବେ ଏବଂ ନିୟମିତ ରିପୋର୍ଟ କରିବେ। ଝୋ ମୁକ୍ତି ପାଇବା ପରେ କହିଛନ୍ତି ଯେ, ଏବେ ବି ତାଙ୍କୁ ଲାଗୁଛି ସେ ଡିଜିଟାଲ ଜେଲରେ ବନ୍ଦୀ ହୋଇ ଅଛନ୍ତି। ଦିନେ ଝୋ ନିର୍ଦ୍ଦିଷ୍ଟ ଅଞ୍ଚଳ ସୀମା ଯାଏ ଚାଲିଯାଇଥିଲେ। ସଙ୍ଗେ ସଙ୍ଗେ ନିକଟସ୍ଥ ମନିଟରରେ ପ୍ରଦର୍ଶିତ ହେଲା- ଏ ମୁସ୍ଲିମ ପ୍ରି-କ୍ରିମିନାଲ। ଚୀନ୍ର ଶିବିରଗୁଡ଼ିକରେ ବର୍ତ୍ତମାନ ଏକ ନିୟୁତରୁ ଅଧିକ ଉଇଘର ଓ ଅନ୍ୟ ମୁସଲିମ ଲୋକ ବନ୍ଦୀ ଭାବେ ରହିଥିବା ଉକ୍ତ ପୁସ୍ତକରେ ପ୍ରକାଶ ପାଇଛି। ଏହି ଲୋକମାନଙ୍କୁ ଜବରଦସ୍ତ ମାଗଣା ଶ୍ରମିକଭାବେ ଖଟାଯାଉଥିବା ମଧ୍ୟ ମାନବାଧିକାର ଗୋଷ୍ଠୀମାନେ ଅଭିଯୋଗ କରିଛନ୍ତି।
Follow Us