ନୂଆଦିଲ୍ଲୀ: ‘ଲକ୍ଡାଉନ୍’ ଚାଲିଯାଇଛି, କିନ୍ତୁ କରୋନା ଭୂତାଣୁ ଯାଇନାହିଁ, ଏ କଥା ଆଦୌ ନ ଭୁଲିବାକୁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ସନ୍ଧ୍ୟାରେ ଜାତି ଉଦ୍ଦେଶ୍ୟର ବାର୍ତ୍ତା ଦେଇ ପ୍ରଧାମନ୍ତ୍ରୀ ପାର୍ବଣ ସମୟରେ ସାବଧାନତାର ସହ ଚଳିବାକୁ ଦେଶବାସୀଙ୍କୁ ସଚେତନ କରାଇଛନ୍ତି।
ସଂଧ୍ୟା ୬ଟାରେ ଦେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି , ଜନତା କର୍ଫ୍ୟୁରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଭାରତବାସୀ କରୋନାଭାଇରସ୍ ବିରୋଧୀ ସଂଗ୍ରାମରେ ଦୀର୍ଘ ପଥ ଯାତ୍ରା କଲେଣି। ଗତ ସାତ/ ଆଠ ମାସ ମଧ୍ୟରେ ପ୍ରତ୍ୟେକ ଭାରତୀୟଙ୍କ ଉଦ୍ୟମ ଯୋଗୁଁ ଭାରତର ସ୍ଥିତି ଭଲ ଅଛି। ଏହାକୁ ଆମେ ବିଗାଡ଼ିବା ନାହିଁ। ଏହା ମଧ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ଧୀରେ ଧୀରେ ବୃଦ୍ଧିପାଉଛି। ଅନେକ ଲୋକ ଘରୁ ପଦାକୁ ବାହାରିଲେଣି। ପୂଜାପାର୍ବଣର ସମୟ ଆସିଥିବାରୁ ବଜାରରେ ମଧ୍ୟ ଗହଳି ହେଲାଣି। କିନ୍ତୁ, ଆମେ ଭୁଲିଯିବା ନାହିଁ ଯେ, ‘ଲକ୍ଡାଉନ୍’ ଚାଲିଯାଇ ଥାଇପାରେ, କିନ୍ତୁ କରୋନା ରୋଗର ସୃଷ୍ଟିକାରୀ ଭୂତାଣୁ ଚାଲିଯାଇ ନାହିଁ।
Image Courtesy of India Todayମାନବତାକୁ ରକ୍ଷା କରିବା ଲାଗି ଯୁଦ୍ଧକାଳୀନଭିତ୍ତିରେ କାର୍ଯ୍ୟ ଚାଲିଛି। ଟିକା ନ ଆସିବା ପର୍ଯ୍ୟନ୍ତ କରୋନାଭାଇରସ୍ ବିପକ୍ଷରେ ଆମେ ସଂଗ୍ରାମ ଜାରି ରଖିବା ଆବଶ୍ୟକ। ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଟିକା ପହଞ୍ଚାଇବା ନିମନ୍ତେ ସରକାର ବ୍ୟବସ୍ଥା କରୁଛନ୍ତି। ଭାରତରେ ମୃତ୍ୟୁହାର ମଧ୍ୟ ଏକ ନିୟୁତ ଜନସଂଖ୍ୟାରେ ୮୩ । ଏହା ତୁଳନାରେ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ୍ ଏବଂ ବ୍ରାଜିଲ୍ ଆଦି କେତେକ ଦେଶରେ ମୃତ୍ୟୁହାର ୬୦୦ରୁ ଅଧିକ। ବିଶ୍ବର ଅନ୍ୟ ଦେଶମାନଙ୍କରେ ସଂକ୍ରମଣ ସଂଖ୍ୟା ପୁଣି ବୃଦ୍ଧି ପାଉଥିବା ଜଣାପଡ଼ିଲାଣି। ତେଣୁ, ଭାରତର ଜନସାଧାରଣ ଅଧିକ ସତର୍କ ରହିବା ଆବଶ୍ୟକ।
ସେ କହିଛନ୍ତି, ଯଦି ଆପଣ ଅବଜ୍ଞା କରି ମାସ୍କ ନ ପିନ୍ଧି ବାହାରକୁ ଆସୁଛନ୍ତି, ଆପଣ ନିଜକୁ, ନିଜ ପରିବାରକୁ ଏବଂ ପରିବାରର ପିଲାଙ୍କୁ ଏବଂ ବୟସ୍କମାନଙ୍କୁ ସଙ୍କଟରେ ପକାଉଛନ୍ତି। ଲୋକେ ଆଉ ଯତ୍ନବାନ ହେଉ ନ ଥିବା ଅନେକ ଫଟୋ ଓ ଭିଡିଓରୁ ସ୍ପଷ୍ଟ ଭାବେ ଦେଖି ହେଉଛି। ତାହା କିନ୍ତୁ, ଠିକ୍ କଥା ନୁହେଁ।
Follow Us